ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୮ତମ ସଂସ୍କରଣ କେବେ ଆରମ୍ଭ ହେବ ଏବଂ ଏହାର କାର୍ୟ୍ୟସୂଚୀ କେବେ ପ୍ରକାଶ ପାଇବ ସେ ନେଇ ସୂଚନା ମିଳିଛି । ସୂଚନା ଅନୁସାରେ , ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମେ ୨୫ରେ ଖେଳାଯିବ ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୫ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ। ନିୟମ ଅନୁଯାୟୀ ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ୍ ରାଇଡର୍ସ ଉଦଘାଟନୀ ମ୍ୟାଚରେ ନିଜ ଘରୋଇ ପଡ଼ିଆ ଇଡେନ୍ ଗାର୍ଡେନ୍ସରେ ଖେଳିବ । ବିସିସିଆଇ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ କାର୍ୟ୍ୟସୂଚୀ ଘୋଷଣା କରିନାହିଁ। ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୨ରେ ମୁମ୍ବାଇରେ ବିସିସିଆଇର ଏସଜିଏମ ପରେ ବୋର୍ଡର ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଆଇପିଏଲ ମାର୍ଚ୍ଚ ରୁ ଆରମ୍ଭ ହୋଇପାରେ ବୋଲି ସଙ୍କେତ ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ବ୍ରଡକାଷ୍ଟରମାନେ ଶନିବାରଠାରୁ ସିଜିନ୍ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ, ଯାହାକୁ ବୋର୍ଡ ଗ୍ରହଣ କରିଛି । ଦିନେ ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କାର୍ୟ୍ୟସୂଚୀ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।