ଗତ ବୁଧବାର ଫେବ୍ରୁଆରି ୧୪ ତାରିଖରେ ବସନ୍ତ ପଞ୍ଚମୀ ପଡ଼ିଥିଲା। ଏହି ଅବସରରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ରହୁଥିବା ସହାନା ତିନତଲାକ ଭୟରେ ସନାତନ ଧର୍ମ ଗ୍ରହଣ କରି ବରେଲିରେ ବସବାସରୁ କରୁଥିବା ଓମପ୍ରକାଶଙ୍କୁ ବିବାହ କରିଛନ୍ତି।
ଗଣମାଧ୍ୟମ ସହ କଥା ହେବା ସମୟରେ ସହାନା ନିଜ ବିବାହକୁ ନେଇ କହିଛନ୍ତି,‘ମୋ ପରିଚୟ ଏବେ ସହାନା ନୁହେଁ ସାରଦା ଭାବେ ହେବ। ମୁଁ ମୋର ଧର୍ମ ଓ ନାମ ଉଭୟ ପରିବର୍ତ୍ତନ କରି ଦେଇଛି।
ସ୍ବାମୀ ମୋତେ ତିନତଲାକ ଦେବା ପରେ ମୁଁ ଭାଙ୍ଗି ପଡ଼ିଥିଲି କ’ଣ କରିବି କିଛି ବୁଝି ପାରି ନଥିଲି। ଆମ ଧର୍ମରେ ଥିବା ତିନ ତଲାକ ଓ ହଲାଲ ପ୍ରଥା ପାଇଁ ମୁଁ ଚିନ୍ତାରେ ପଡ଼ି ଯାଇଥିଲି।ଏହି ସମୟରେ ଓମପ୍ରକାଶ ମୋ ଜୀବନକୁ ଆସିଥିଲେ। ସେ ମୋତେ ବଞ୍ଚିବା ଶିଖାଇଥିଲେ। ଦୁଇବର୍ଷ ଧରି ମୁଁ ଓମପ୍ରକାଶଙ୍କ ସହ କଥା ହେବା ପରେ ତାଙ୍କୁ ଜାଣିବା ପରେ ଶେଷରେ ଆମେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲୁ। ଏଥିରେ ଆମ ଦୁଇ ପରିବାରଙ୍କ ସହମତି ଅଛି। ଆମେ ଦୁହେଁ ଏହି ବିବାହକୁ ନେଇ ବେଶ ଖୁସି ଅଛୁ। ମୁଁ କାହାରି ଚାପରେ ବିବାହ କରିନାହିଁ। ଏହା ମୋର ନିଜସ୍ବ ଇଚ୍ଛା ଥିଲା। ଓମପ୍ରକାଶଙ୍କୁ ମୁଁ ଖୁବ ଭଲପାଏ। ତାଙ୍କ ଭଳି ମଣିଷକୁ ଜୀବନସାଥୀ ଭାବେ ପାଇ ମୁଁ ମୋର ସବୁ ଦୁଃଖ ଭୁଲି ଯାଇଛି। ଆଗକୁ ତାଙ୍କ ସହ ଖୁସିରେ ରହିବି ବୋଲି ବି ମୋର ପୂରା ବିଶ୍ବାସ ରହିଛି। ’