ଅଗଷ୍ଟର ୧୬ ଦିନ ଜୁଲାଇକୁ ବଳିଗଲା
1 min readଭୁବନେଶ୍ୱର : ମାର୍ଚ୍ଚ ୧୫ରୁ ମେ’ ୩୧ ମଧ୍ୟରେ ରାଜଧାନୀରେ ୬୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁନ୍ ୩୦ ବେଳକୁ ରାଜଧାନୀରେ ୩୨୦ଜଣ ଚିହ୍ନଟ ହୋଇଥିଲେ, ଏଥିରୁ ୧୩୦ଜଣ ଚିକିତ୍ସାଧୀନ ଥିଲେ। କିନ୍ତୁ ଜୁଲାଇ ୩୧ ବେଳକୁ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୩୫ରେ ପହଞ୍ଚିଗଲା। ଏଥିରୁ ୧୨୮୫ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିଲେ। ଜୁଲାଇ ମାସରେ ରାଜଧାନୀରେ ୨୪୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁଲାଇ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ ବୋଲି ପୂର୍ବରୁ କୁହାଯାଇଥିଲା। ତେଣୁ ଲୋକ ଏତିକି ଦେଖି ଟିକେ ଆଶ୍ବସ୍ତ ହେଲେ। ହେଲେ ଅଗଷ୍ଟ ମାସ ସମସ୍ତଙ୍କ ନିଦ ହଜାଇ ଦେଲାଣି। ଜୁଲାଇରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଅଗଷ୍ଟର ୧୬ଦିନରେ ତାହାକୁ ବଳି ଗଲାଣି। ଅଗଷ୍ଟ ୧ରୁ ୧୬ ମଧ୍ୟରେ କେବଳ ୨୫୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଅଗଷ୍ଟ ମାସରେ ଏବେ ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ମାସ ଶେଷକୁ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮ହଜାର ଟପିବାର ଆଶଙ୍କାକୁ ଏଡ଼ାଇ ହେବନି। କାରଣ ୧୬ ଦିନରେ ୨୫୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାସ ଶେଷକୁ ଏହା ୫ ହଜାର ଟପିବାର ସମ୍ଭାବନା ସୃଷ୍ଟି ହୋଇଛି। ଆଜି ସୁଦ୍ଧା ରାଜଧାନୀରେ ୫୨୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୩୫ଜଣ ସୁସ୍ଥ ହେଲେଣି। ୧୮୨୩ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର୍ରେ ଚିକିତ୍ସାଧୀନ ଅଛନ୍ତି।
ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ଅଗଷ୍ଟ ମାସର ୧୬ ଦିନରେ ମାତ୍ର ଦିନଟିଏ ୧୦୦ରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୩ରେ ୮୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସବୁ ଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏପରିକି ଅଗଷ୍ଟରେ ତିନି ଥର ଦୁଇ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୧୩ରେ ୨୩୭, ୧୪ରେ ୨୪୭ ଏବଂ ଅଗଷ୍ଟ ୧୫ରେ ସବୁ ରେକର୍ଡ ଭାଙ୍ଗି ୨୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ଏତିକି ନୁହେଁ, ଏହି ମାସରେ ଦୁଇ ଥର ଦୁଇ ଶହ ପାଖାପାଖି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ୮ରେ ୧୯୦ଜଣ ଏବଂ ଅଗଷ୍ଟ ୧୨ରେ ୧୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୧୭୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।