ଅର୍ଥନୀତି ଆଶାଠାରୁ ଭଲ ପ୍ରଦର୍ଶନ କରିବା ପରେ, ଶକ୍ତିକାନ୍ତଙ୍କ ଉପରେ ସମସ୍ତଙ୍କ ନଜର
1 min read
The Secretary, Department of Economic Affairs, Shri Shaktikanta Das addressing a press conference, in New Delhi on December 15, 2016.
ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ ଦେଶର ଅର୍ଥନୀତି ଆଶା ଠାରୁ ଉନ୍ନତ ପ୍ରଦର୍ଶନ କରିବା ପରେ ଏବେ ସମସ୍ତଙ୍କ ନଜର ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଉପରେ ରହିଛି। ଅଭିବୃଦ୍ଧିକୁ ସହାୟତା ପ୍ରଦାନ କରିବା ଭଳି କ’ଣ ପଦକ୍ଷେପ ସେ ଘୋଷଣା କରିବେ ତାହା ଜାଣିବାକୁ ସାରା ଶିଳ୍ପ ଜଗତ ଚାହିରହିଛି। ଆସନ୍ତା ଡିସେମ୍ବର ୨ରୁ ତିନି ଦିନିଆ ମୁଦ୍ରାନୀତି କମିଟି ବୈଠକ ଆରମ୍ଭ ହେବ। ସେଥିରେ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତିକୁ ନେଇ ମାନସ ମନ୍ଥନ ହେବ ଏବଂ ଗୁରୁତ୍ବପୂର୍ଣ୍ଣ ସୁଧ ରେପୋ ହାର ବଢ଼ିବ, କମିବ ନା ସ୍ଥିତାବସ୍ଥା ବଜାୟ ରହିବ ସେହି ନିଷ୍ପତ୍ତି ଗ୍ରହଣ କରାଯିବ।
କରୋନା ମହାମାରୀ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍ଡାଉନ୍ ଯୋଗୁଁ ଅର୍ଥନୈତିକ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠପ୍ ରହିବା କାରଣରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ (ଏପ୍ରିଲ୍-ଜୁନ୍) ଦେଶର ଅଭିବୃଦ୍ଧି ୨୩.୯% ଭଳି ବଡ଼ ଧରଣର ହ୍ରାସ ପାଇଥିଲା। ଦ୍ବିତୀୟ ତ୍ରୟମାସରେ କିନ୍ତୁ ସେଥିରେ ଦ୍ରୁତ ସୁଧାର ଘଟିଥିଲା। ଗତବର୍ଷ ତୁଳନାରେ ଜୁଲାଇ-ସେପ୍ଟେମ୍ବର ତ୍ରୟମାସରେ ଅଭିବୃଦ୍ଧି ୭.୫% ହ୍ରାସ ପାଇଛି। ଅର୍ଥନୀତି ପ୍ରଦର୍ଶନ ଉତ୍ସାହଜନକ ରହିବା ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଜିଡିପି ଯେତେ ତଳକୁ ଖସିବ ବୋଲି ଆଶଙ୍କା କରାଯାଉଥିଲା ସେଭଳି କ୍ଷତି ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିବା ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁ ସୁଧାର ଘଟିଛି ତା’ ପଛରେ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପର ଗୁରୁତ୍ବପୂର୍ଣ୍ଣ ଯୋଗଦାନକୁ କେହି ଅସ୍ବୀକାର କରିପାରିବେ ନାହିଁ। ସ୍ଥିତି ଆହୁରି ଭଲ ହେଉ ବୋଲି ସମସ୍ତେ ଚାହୁଛନ୍ତି। ସେଥିପାଇଁ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ପରବର୍ତୀ ପଦକ୍ଷେପକୁ ସମସ୍ତେ ଚାହିରହିଛନ୍ତି। କିଛି ଦିନ ତଳେ ଶକ୍ତିକାନ୍ତ ପୂର୍ବାନୁମାନ କରିଥିଲେ ଯେ ଅର୍ଥନୀତିରେ ଆଶା ଠାରୁ ଅଧିକ ସୁଧାର ହେବ। କେନ୍ଦ୍ର ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଜାରି କରିଥିବା ଜିଡିପି ଅଭିବୃଦ୍ଧି ତଥ୍ୟରେ ତାହା ସ୍ପଷ୍ଟ ପ୍ରତିଫଳିତ ହୋଇଛି।ଏଥର ମୁଦ୍ରାନୀତି କମିଟି ବୈଠକରେ ରେପୋ ହାର ଅପରିବର୍ତ୍ତିତ ରଖିବା ନେଇ ସହମତି ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ୨୦୧୯ ଜୁଲାଇରୁ ୨୦୨୦ ଅଗଷ୍ଟ ଭିତରେ ରିଜର୍ଭ ବ୍ୟାଙ୍କ ରେପୋ ହାରରେ ୨.୫ ପ୍ରତିଶତ ହ୍ରାସ କରିଛି। ଏବେବି ଦେଶରେ ଅନେକ ସାମଗ୍ରୀର ମୂଲ୍ୟ ଉଚ୍ଚ ସ୍ତରରେ ରହିଥିବା ବେଳେ ଗମନାଗମନ ଓ ପରିବହନ ଖର୍ଚ୍ଚ ଅଧିକ ରହିଛି। ଟିକସ ବୋଝ ମଧ୍ୟ ଏକ ସମସ୍ୟା। ଏସବୁ ବିଷୟକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ମୁଦ୍ରାସ୍ଫୀତିର ଲକ୍ଷ୍ୟକୁ ବଢ଼ାଇବା ଉପରେ ବିଚାର କରିପାରେ ବୋଲି ବାର୍କ୍ଲେ ପକ୍ଷରୁ କୁହାଯାଇଛି।