ଅର୍ଥନୈତିକ ସର୍ଭେ ମୁଖ୍ୟାଂଶ: କରୋନାରେ ନିର୍ମାଣ କ୍ଷେତ୍ର ସର୍ବାଧିକ ପ୍ରଭାବିତ
1 min readଭୁବନେଶ୍ବର: କରୋନା ପାଇଁ ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁ ଓଡ଼ିଶା ଅର୍ଥନୀତି ଶିଳ୍ପ କ୍ଷେତ୍ରର ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଛି। ଶିଳ୍ପ ଅଧୀନରେ ଆସୁଥିବା ବିଭିନ୍ନ କ୍ଷେତ୍ରଗୁଡ଼ିକ ୨୦୨୦-୨୧ ଅଗ୍ରିମ ଅଟକଳରେ ବିଯୁକ୍ତାତ୍ମକ ରହିଛି। ନିର୍ମାଣ କ୍ଷେତ୍ରରେ ସର୍ବାଧିକ ୧୦.୭୯ ପ୍ରତିଶତ ସଂକୋଚନ ଦେଖିବାକୁ ମିଳିଥିବାବେଳେ କଳ କାରଖାନା ଉତ୍ପାଦନରେ ବିଯୁକ୍ତ ୯.୯୦ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରାଯାଇଛି। ତେବେ କରୋନା ମହାମାରୀ ପ୍ରଭାବରୁ ଶିଳ୍ପ ଓ ଉଦ୍ୟୋଗ ଜଗତକୁ ରିହାତି ଦେବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ସୁଧ ରିହାତି ବାବଦରେ ୧୦୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରତିଷ୍ଠାତାଙ୍କ ଯୋଗଦାନ ବାବଦରେ ୨୭ କୋଟି ଟଙ୍କା ଦେଇଛନ୍ତି। କୋଭିଡ-୧୯ ସହାୟତା ପାଣ୍ଠି ସହ ଯୋଡ଼ି ହେବା ପାଇଁ ଉଦ୍ୟୋଗଗୁଡ଼ିକୁ ୨୦୨୦-୨୧ରେ ୧୦୦ କୋଟି ଟଙ୍କା ସରକାର ଦେଇଛନ୍ତି। ଏଥିସହିତ ଟପ୍ ଅପ୍ ସବସିଡି ବାବଦରେ ୧୦ କୋଟି, ରାଜ୍ୟ ଜିଏସଟି ଫେରସ୍ତ ବାବଦରେ ୩୮ କୋଟି, ବାର୍ଷିକ ରକ୍ଷଣାବେକ୍ଷଣ ଛାଡ଼ ବାବଦରେ ଇଡକୋକୁ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ପ୍ରଦାନ କରିବାକୁ ଥିବା ୫.୮୪ କୋଟି ଟଙ୍କାକୁ ଛାଡ଼ କରାଯାଇଛି।
ରାଜ୍ୟର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। ୨୦୦୪-୦୫ରୁ ୨୦୧୦-୧୧ ମଧ୍ୟରେ ରାଜ୍ୟର ଗ୍ରାମାଞ୍ଚଳରେ ଦାରିଦ୍ୟ ୨୫ ପ୍ରତିଶତ କମିଛି। ୨୦୦୪-୦୫ରେ ଏହା ୬୦.୮ ପ୍ରତିଶତ ଥିବାବେଳେ ୨୦୧୦-୧୧ରେ ୩୫.୬୯ ପ୍ରତିଶତକୁ ଖସିଆସିଛି। କିନ୍ତୁ ଏହି ସମୟ ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ୧୬ ପ୍ରତିଶତ ହ୍ରାସ ପାଇଛି। ଗ୍ରାମାଞ୍ଚଳ ଲୋକଙ୍କ ବିକାଶ ପାଇଁ ୨୦୧୯-୨୦ରେ ସରକାରୀ ଯୋଜନାରେ ୩,୯୪,୨୧୨ଟି ଘର ନିର୍ମାଣହୋଇଛି। ଏଥିରୁ ୩,୫୭,୯୧୪ଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ହୋଇଥିବାବେଳେ ୧୫,୫୬୭ଟି ଘର ବିଜୁ ପକ୍କା ଘର ଯୋଜନାରେ, ୧୮୫୮ଟି ଘର ପକ୍କା ଘର ଯୋଜନା (ଖଣି), ୧୦୯୮୩ଟି ଘର ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଏବଂ ୭୮୯୦ଟି ଘର ବିପିଜିୱାଇ (ତିତ୍ଲି) ଅଧନୀରେ ହୋଇଛି। ସେହିଭଳି ୨୦୨୦ ସୁଦ୍ଧା ରାଜ୍ୟରେ ୪ ଲକ୍ଷ ୬୦ ହଜାର ନଳକୂପ ସ୍ଥାପନ ହୋଇଥିବାବେଳେ ପରିବାରଗୁଡ଼ିକୁ ୧ କୋଟି ୧ ଲକ୍ଷ ୬୦ ହଜାର ଟ୍ୟାପ୍ ସଂଯୋଗ ଯୋଗାଇ ଦିଆଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥିବା ଗରିବଙ୍କ ପାଇଁ ୨୫,୭୦୧୭୪ଟି ଘରର ନିର୍ମାଣ କାର୍ଯ୍ୟ ଶେଷ କରିପାରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି।