Fri. Mar 14th, 2025

ଆଉଥରେ ଦାରିଦ୍ର୍ୟ ସୀମା ଧାର୍ଯ୍ୟ ହେବ

1 min read
Spread the love

ନୂଆଦିଲ୍ଲୀ: ଦେଶରେ କେଉଁମାନେ ଗରିବ? କେଉଁମାନେ ଦାରିଦ୍ର୍ୟ ଭିତରେ ଜୀବନ ଅତିବାହିତ କରୁଛନ୍ତି? ଏହା ଜାଣିବା ଲାଗି କେନ୍ଦ୍ର ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ସୁପାରିସ କରିଛନ୍ତି। କେନ୍ଦ୍ର ଯୋଜନା ମନ୍ତ୍ରୀ ରାଓ ଇନ୍ଦରଜିତ ସିଂହ ଆଜି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଏହି ଦାୟିତ୍ବ ନିତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିୟାଙ୍କୁ ଦିଆଯାଇଥିଲା। କିନ୍ତୁ ସେ କୌଣସି ନିର୍ଦିଷ୍ଟ ନିର୍ଯ୍ୟାସରେ ପହଞ୍ଚିପାରିନଥିଲେ। ସରକାର ଯେଉଁ ନୂଆ କମିଟି ଗଠନ କରିବାକୁ ସୁପାରିସ କରିଛନ୍ତି ତାହା ବିଭିନ୍ନ ବିଷୟ ବିଚାରକୁ ନେବ। ତଥ୍ୟ ଅନୁଶୀଳନ କରିବ।

ସବୁ ପ୍ରକାର ସୂଚନାକୁ ନଜରରେ ରଖି ଦାରିଦ୍ର୍ୟ ସୀମାରେଖା ଧାର୍ଯ୍ୟ କରିବା ନିଷ୍ପତ୍ତି ନେବ ବୋଲି ଶ୍ରୀ ସିଂହ ରାଜ୍ୟସଭାକୁ କହିଛନ୍ତି। ୨୦୧୧-୧୨ରେ ସୁରେଶ ତେନ୍ଦୁଲକର କମିଟି ଦାରିଦ୍ର୍ୟ ସୀମା ରେଖା ନେଇ ସୁପାରିସ କରିଥିଲେ। ଦାରିଦ୍ର୍ୟର ଏଭଳି ଏକ ସଂଜ୍ଞା ଧାର୍ଯ୍ୟ ହେଉ ବୋଲି ସରକାର ଚାହୁଛନ୍ତି ଯାହାକୁ କାର୍ଯ୍ୟକାରୀ କରାଯାଇପାରିବ। ସେଥିପାଇଁ ୨୦୧୫ରେ ପାନାଗାରିୟାଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ଗଠନ କରାଯାଇଥିଲା। ଏହା ପ୍ରଥମେ ଦାରିଦ୍ର୍ୟକୁ କିଭଳି ମପା ଯାଇପାରିବ ତାହା ଉପରେ ଗୁରୁତ୍ବ ଦେଇଥିଲା ଏବଂ ଦାରିଦ୍ର୍ୟ ଦୂରୀକରଣ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଦାରିଦ୍ର୍ୟ ସୀମାରେଖାକୁ ନେଇ କୌଣସି ନିଷ୍ପତ୍ତି ହୋଇନଥିଲା। ଟାସ୍କଫୋର୍ସ ଏହାର ରିପୋର୍ଟରେ ଜଣାଇଥିଲା ଯେ ତେନ୍ଦୁଲକର କମିଟିର ସୁପାରିସ୍ କିମ୍ବା ତା’ଠାରୁ ଅଧିକ ଦାରିଦ୍ର୍ୟ ସୀମା ରେଖା ଧାର୍ଯ୍ୟ କରିବା ନେଇ କୌଣସି ନିଷ୍ପତ୍ତି ହୋଇପାରୁନାହିଁ। କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବା ପୂର୍ବରୁ ଦେଶର ବିଶିଷ୍ଟ ବିଶେଷଜ୍ଞମାନଙ୍କୁ ଏହି ପ୍ରସଙ୍ଗରେ ଗଭୀର ଅନୁଶୀଳନ ହେବା ଦରକାର।

Copyright © All rights reserved.