ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଗୋଲାପି ଲଢ଼େଇ
1 min readଆଡିଲେଡ୍: ଗୁରୁବାରଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଥିବା ବେଳେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ଭାରତୀୟ କ୍ରିକେଟ୍ର ଅମୂଲ୍ୟରତ୍ନ ଭାବେ ଉଭା ହୋଇଥିବା ବିରାଟ କୋହଲିଙ୍କ ‘ନିର୍ଭୟ ଭାରତ’ ଆଡିଲେଡ୍ରେ ଗୋଲାପି ବଲ୍ ଟେଷ୍ଟ୍ (ଦିବାରାତ୍ର) ଖେଳି ଏହି ଅଭିଯାନ ଆରମ୍ଭ କରିବ। ଭାରତ ଗତ ଗସ୍ତରେ ଆଡିଲେଡ୍ ଟେଷ୍ଟ୍ ଜିତିଥିବାରୁ ଏଥର ଦୋହରାଇବା ଆଶା ରଖିଛି। ଅନ୍ୟପକ୍ଷରେ ଗତ ଆଡିଲେଡ୍ ଟେଷ୍ଟ୍ ସହ ଶୃଙ୍ଖଳା ପରାଜୟର ମଧୁର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଘରୋଇ ଅଷ୍ଟ୍ରେଲିଆ ଦଳ। ଭାରତ ଗତ ଗସ୍ତରେ ଚେତେଶ୍ବର ପୂଜାରାଙ୍କ ବ୍ୟାଟିଂ ଓ ଦ୍ରୁତ ବୋଲରଙ୍କ ଅବଦାନ ବଳରେ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ପାଇଥିଲା। ଏଥର କିନ୍ତୁ ଅଷ୍ଟ୍ରେଲିଆ ଏହାକୁ ପ୍ରତିହତ କରିବା ଲାଗି ନିଜ ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ ଲବୁସାନଙ୍କଠାରୁ ସ୍ଥିର ପ୍ରଦର୍ଶନ ଆଶା କରିବ। ଲବୁସାନ୍ ମଧ୍ୟ ଗୋଟିଏ ଋତୁର ବିସ୍ମୟ ଖେଳାଳି ନୁହଁନ୍ତି ବୋଲି ପ୍ରମାଣ କରିବା ଲକ୍ଷ୍ୟରେ ରହିବେ।
ଉଭୟ ଦଳର ବ୍ୟକ୍ତିଗତ ମୁକାବିଲାର ବୋଲିଂ ବିଭାଗରେ ଜୋସ୍ ହାଜେଲଉଡ୍, ପ୍ୟାଟ୍ କମିନ୍ସଙ୍କୁ ବି କାଟିବା ଆଶାରେ ରହିଛନ୍ତି ମହମ୍ମଦ ସାମି ଓ ଯଶପ୍ରୀତ୍ ବୁମରା। ବୁମରାଙ୍କ ୟର୍କର ବନାମ କମିନ୍ସଙ୍କ ବାଉଁସର୍ ଏହି ଟେଷ୍ଟ୍ର ଅନ୍ୟତମ ଅସ୍ତ୍ର ହେବ ବୋଲି ଉଭୟ ଦଳ ଆଶା ରଖିଛନ୍ତି। ଭାରତ ଈଶାନ୍ତ ଶର୍ମାଙ୍କୁ ଏବଂ ଅଷ୍ଟ୍ରେଲିଆ ନିଶ୍ଚିତ ଡେଭିଡ୍ ୱାର୍ନରଙ୍କ ଅନୁପସ୍ଥିତିକୁ ଅନୁଭବ କରିବ ବୋଲି ଆଶଙ୍କା କରାଯାଉଛି। ଅଷ୍ଟ୍ରେଲିଆ କିନ୍ତୁ ଅଧିକ ଦିବାରାତ୍ର ଟେଷ୍ଟ୍ ଖେଳିଥିବାରୁ ଅଭିଜ୍ଞତା ଦୃଷ୍ଟିରୁ ଭାରତଠାରୁ ଆଗରେ ରହିବ। ଦିବାରାତ୍ର ଟେଷ୍ଟ୍ ହୋଇଥିବାରୁ ଭାରତୀୟ ସମୟ ୯.୩୦ରୁ ଏହି ମ୍ୟାଚ୍ ଆରମ୍ଭ ହେବ। ଗୋଲାପି ବଲ୍ ବ୍ୟାକରଣର ମୌଳିକ କଥାକୁ ଦେଖିଲେ ପ୍ରଥମ ଅଧିବେସନରେ ବ୍ୟାଟ୍ସମ୍ୟାନଙ୍କ ପ୍ରାଧାନ୍ୟ ରହିବ। ସୂର୍ଯ୍ୟାସ୍ତ ହେବା ପରେ ବୋଲରଙ୍କ ଜଲୱା ଦେଖିବାକୁ ମିଳିବ। ଭାରତ ନିଜ ଚୂଡାନ୍ତ ଏକାଦଶ ଘୋଷଣା କରି ସାରିଥିବାରୁ ଶୁଭମନ ଗିଲ୍ ଓ କେଏଲ୍ ରାହୁଲଙ୍କୁ ଅପେକ୍ଷା କରିବାକୁ ପଡ଼ିବ। ଟେଷ୍ଟ୍ ସ୍ତରରେ ପୃଥ୍ବୀ ସ’ ଭଲ କରି ଆସିଥିବାରୁ ଏବେ ଫର୍ମରେ ନଥିଲେ ବି କୋହଲିଙ୍କ ସମର୍ଥନ ପାଇଛନ୍ତି। ଋଷବ ପନ୍ତଙ୍କୁ ବି ତାଙ୍କ ପିଙ୍କ୍ ବଲ୍ ଅଭ୍ୟାସ ଶତକ ସହାୟକ ହୋଇପାରିନାହିଁ। ସ୍ବାଭାବିକ ଭାବେ ଋଦ୍ଧିମାନ ସାହା ପ୍ରଥମ ପସନ୍ଦ ୱିକେଟରକ୍ଷକ ଭାବେ ସ୍ଥାନ ପାଇଛନ୍ତି।