Mon. Feb 24th, 2025

ଆଜିର ମ୍ୟାଚ୍‌: ଚେନ୍ନାଇ ସୁପର କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍‌ସ

1 min read
Spread the love

ଦୁବାଇ: ରାଜସ୍ଥାନ ରୟାଲ୍ସଠାରୁ ଅପ୍ରତ୍ୟାଶିତ ଭାବେ ୧୬ ରନ୍‌ରେ ହାରିବା ପରେ ଚେନ୍ନାଇ ସୁପରକିଙ୍ଗ୍ସର ବ୍ୟାଟିଂକ୍ରମକୁ ନେଇ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ବିଶେଷ କରି ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସପ୍ତମ ସ୍ଥାନରେ ଆସିବା ଏବଂ ନିଜ ପାଳି ଆରମ୍ଭରୁ ଅତ୍ୟନ୍ତ ମନ୍ଥର ବ୍ୟାଟିଂ କରିବାକୁ ବହୁ ପୂର୍ବତନ କ୍ରିକେଟର୍‌ ତୀବ୍ର ସମାଲୋଚନା କରିଛନ୍ତି। ସେଥିପାଇଁ ଚେନ୍ନାଇ ନିଜ ବ୍ୟାଟିଂକ୍ରମକୁ ନେଇ ଦ୍ବନ୍ଦ୍ବରେ ରହିଛି। ସେପଟେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରମୁଖ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ଆହତ ହେବା ଏହି ଦଳ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ଏଣୁ ଚେନ୍ନାଇ-ଦିଲ୍ଲୀ ଯେତେବେଳେ ଶୁକ୍ରବାର ଚଳିତ ଆଇପିଏଲ୍‌ର ସପ୍ତମ ମୁକାବିଲାରେ ମୁହାଁମୁହିଁ ହେବେ ଉଭୟଙ୍କ ପାଇଁ ଏହି ଦୁଇଟି ବିଷୟ ଅତ୍ୟନ୍ତ ଗୁରୁତ୍ବ ଓ ମହତ୍ବ ରଖିବ। କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ପ୍ରଥମ ମୁକାବିଲାକୁ ସୁପରଓଭରରେ ଜିତିଥିବା ଦିଲ୍ଲୀ ନିଜ ଦ୍ବିତୀୟ ବିଜୟ ସନ୍ଧାନରେ ଥିବା ଚେନ୍ନାଇ ଭଳି ଶକ୍ତିଶାଳୀ ଦଳକୁ ହରାଇ ଆତ୍ମବଳକୁ ଆହୁରି ଉଚ୍ଚରେ ପହଞ୍ଚାଇବା ଲକ୍ଷ୍ୟରେ ରହିବ।

ସେପଟେ ଉଦଘାଟନୀ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଚେନ୍ନାଇ ପୁଣି ଥରେ ଏହି ଧାରାକୁ ଫେରିବା ଆଶାରେ ଥିବ। କାନ୍ଧ ଆଘାତ ପାଇଁ ଅଶ୍ବିନ ବାଦ୍ ପଡ଼ିଲେ ଦିଲ୍ଲୀକୁ କିନ୍ତୁ ନିଜ ବୋଲିଂ ବାହିନୀରେ କିଛିଟା ଅଦଳ ବଦଳ କରିବାକୁ ହେବ। ତେବେ ଶୁକ୍ରବାରର ଅଭ୍ୟାସ ଅଧିବେସନ ପରେ ଅଶ୍ବିନଙ୍କୁ ନେଇ ନିଷ୍ପତ୍ତି ନିଆଯିବ ଏବଂ ଫିଜିଓ ପ୍ୟାଟ୍ରିକ୍ ଫରହତ୍‌ଙ୍କ ଆକଳନ ଚୂଡ଼ାନ୍ତ ହେବ ବୋଲି ଦିଲ୍ଲୀର କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ମହମ୍ମଦ କୈଫ କହିଛନ୍ତି। ଅଶ୍ବିନ ନଖେଳିଲେ ଅବଶ୍ୟ ଅକ୍ଷର ପଟେଲଙ୍କ ସ୍ପିନ୍ ସାଥୀ ଭାବେ ଅମିତ ମିଶ୍ରଙ୍କୁ ଦଳରେ ନେବାର ବିକଳ୍ପ ଦିଲ୍ଲୀ ପାଖରେ ଖୋଲା ରହିବ। ଦ୍ରୁତ ବୋଲର ମୋହିତ ଶର୍ମା ମାତ୍ରାଧିକ ଦୁର୍ବଳ ବଲ୍ ପକାଇବା ମଧ୍ୟ ଦିଲ୍ଲୀ ପାଇଁ ଆଉ ଏକ ସମସ୍ୟା ହୋଇପାରେ। ସିମରନ୍ ହେଟମେରଙ୍କ ସହ ଆଲେକ୍ସ କେରିଙ୍କୁ ଦଳ ନିଜ ଚୂଡ଼ାନ୍ତ ଏକାଦଶରେ ନେଇପାରେ। ଦିଲ୍ଳୀ ପାଖରେ ପୃଥ୍ବୀ ସ’, ଶିଖର ଧାୱନ, ଋଷବ ପନ୍ତ, ଅଧିନାୟକ ଶ୍ରେୟସ୍ ଆୟର ଓ ମାର୍କସ ଷ୍ଟୋଇନିସଙ୍କ ଭଳି ବିସ୍ଫୋରକ ବ୍ୟାଟର ବି ଅଛନ୍ତି। ଚେନ୍ନାଇ ପାଖରେ ମଧ୍ୟ ବିକଳ୍ପର ଅଭାବ ନାର୍ହି। ହେଲେ ଏହି ଦଳ ନିଜ ଚୂଡ଼ାନ୍ତ ଏକାଦଶରେ ବଡ଼ ଧରଣର ଅଦଳ ବଦଳ କରିବାର ସମ୍ଭାବନା କମ୍ ରହିଛି। ଯୁବ ତାରକା ଋତୁରାଜ ଗାଏକ୍ବାଡ୍ ନିଜ ପ୍ରଥମ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରି ପାରିନଥିଲେ ମଧ୍ୟ ଧୋନି ତାଙ୍କୁ ଆଉ ଗୋଟିଏ ଦୁଇଟି ସୁଯୋଗ ଦେଇପାରନ୍ତି। କାରଣ ଅମ୍ବାତି ରାୟୁଡୁ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇ ନାହାନ୍ତି।

Copyright © All rights reserved.