Mon. Feb 24th, 2025

ଆମାଜନ୍‌ ସହ ବ୍ୟବସାୟ କରିବ ଫାଲ୍‌କନ୍‌ ମେରାଇନ୍‌: ତାରାରଞ୍ଜନ ପଟ୍ଟନାୟକ

1 min read
Spread the love

ସିଫୁଡ୍‌ ବ୍ୟବସା‌ୟ ଓ ରପ୍ତାନି କ୍ଷେତ୍ରର ଏକ ପରିଚିତ ନାମ ହେଉଛନ୍ତି ଫାଲ୍‌କନ୍‌ ମେରାଇନ୍ ଏକ୍ସପୋର୍ଟସ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ତାରାରଞ୍ଜନ ପଟ୍ଟନାୟକ। ଓଡ଼ିଶାର ଚିଙ୍ଗୁଡ଼ିକୁ ବିଶ୍ବ ବଜାରରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ମହାମାରୀର ପ୍ରଭାବ, ରପ୍ତାନି ବଜାର ଓ ନିଜ ସଂସ୍ଥା ସମ୍ପର୍କରେ ସେ ଯାହା ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପନ କରାଯାଇଛି।କରୋନା ମହାମାରୀ ପୂର୍ବ ବର୍ଷ ଉତ୍ପାଦନ ବହୁତ ଭଲ ଓ ଉତ୍ସାହଜନକ ଥିଲା। ଓଡ଼ିଶାର ମୋଟ୍ ବଜାର ପରିମାଣ ୩୦୦୦ କୋଟି ଟଙ୍କାରୁ ଅଧିକ ଥିଲା। ୨୦୧୯ ଡିସେମ୍ବର ବେଳକୁ ଆମେ ଚୀନ୍‌ରେ କରୋନା ଭୂତାଣୁ ଦେଖାଦେଇଥିବା ଜାଣିବାକୁ ପାଇଥିଲୁ। ଏହି ରୋଗ ସାରା ବିଶ୍ବରେ ବ୍ୟାପିବ ବୋଲି ମଧ୍ୟ ଅନୁମାନ କରାଯାଉଥିଲା। ଏଥିପାଇଁ ଚୀନ୍‌ରୁ ଆମକୁ ସତର୍କ ସୂଚନା ଦିଆଯାଇଥିଲା। ଆମେ ମଧ୍ୟ ସ୍ଥିତି ଉପରେ ନଜର ରଖିଥିଲୁ। ମାର୍ଚ୍ଚରେ ଷ୍ଟକିଂ କରିବା ବେଳେ ଆମେ ଚାଷୀମାନଙ୍କୁ ମଧ୍ୟ ଅଧିକ ଷ୍ଟକିଂ ନକରିବା ଲାଗି କହିଥିଲୁ। ସେମାନେ ଷ୍ଟକିଂ କମ୍ କରିଥିଲେ। ସେଥିପାଇଁ ଓଡ଼ିଶାରେ ଉତ୍ପାଦନ ୨୫-୩୦% କମ୍ ହୋଇଛି।ଆମ ବ୍ୟବସାୟ ପ୍ରାୟ ୩୦-୪୦% ପ୍ରଭାବିତ ହୋଇଛି। କାରଖାନାର ବନ୍ଦ ରହିବା ଓ ଲକ୍‌ଡାଉନ୍ କଟକଣା ଆଦି ବିଭିନ୍ନ କାରଣ ଯୋଗୁଁ କାରବାର ପ୍ରଭାବିତ ହୋଇଥିଲା। ମୋଟ ଉପରେ ୨୦୨୦ ବର୍ଷଟି ବ୍ୟବସାୟ ପାଇଁ ଖରାପ ଥିଲା। ବ୍ୟବସାୟୀମାନେ କ୍ଷତି ସହିଛନ୍ତି। ସରକାରଙ୍କ ତରଫରୁ ଯେଉଁଭଳି ପ୍ରୋତ୍ସାହନ ଆଶା କରାଯାଉଥିଲା, ତାହା ମଧ୍ୟ ମିଳିନାହିଁ। ‌ସେଥିପାଇଁ ବ୍ୟବସାୟ ଅଧିକ ପ୍ରଭାବିତ ହୋଇଛି।

ଯଦି ଆମେରିକାରେ କିଛି ଭଲ ଘଟଣା ଘଟିବ ତେବେ ରପ୍ତାନି ବଜାରରେ ସୁଧାର ହେବ। ଯଦି ଆସନ୍ତା ଦୁଇ ମାସ ଭିତରେ ୟୁରୋପ ଓ ଆମେରିକା ବଜାରରେ ସୁଧାର ଦେଖାଦେବ ତେବେ ହିଁ ସ୍ବାଭାବିକ ସ୍ଥିତି ଫେରିବ। ଏବେ ବି ଆମେରିକା ଓ ୟୁରୋପରେ ବିପୁଳ ପରିମାଣର ଷ୍ଟକ ପଡ଼ିରହିଛି। ପ୍ରଥମେ ସେଗୁଡ଼ିକୁ ବଜାରରେ ବିକ୍ରି କରିବାକୁ ପଡ଼ିବ। ଏହା ପରେ ନୂଆ ବରାଦ ବିଷୟରେ ଚିନ୍ତା କରାଯାଇପାରିବ। ସ୍ଥିତିରେ‌ କେବେ ସୁଧାର ହେବ ଏବେଠାରୁ କହିବା କଷ୍ଟକର।ଆମ କଂପାନି ମୁଖ୍ୟତଃ ଆମେରିକ‌ାରେ କାରବାର କରୁଛି। ଆମର ଯାହା କିଛି ଦରକାର ହେଉଛି ଆମେ ଏବେ ଆନ୍ଧ୍ରରୁ ମଗାଉଛୁ। ଓଡ଼ିଶା ଓ ପଶ୍ଚିମବଙ୍ଗରେ ସବୁ କିଛି ଠପ୍ ହୋଇଯାଇଛି। ଏମିତିରେ ଓଡ଼ିଶାରେ ମେ’ରୁ ଅକ୍ଟୋବର ଭିତରେ ହିଁ କାରବାର ହୁଏ। ବ୍ୟବସାୟୀମାନଙ୍କ ପାଖକୁ ଚୀନ୍‌ରୁ ବହୁତ କମ୍ ବରାଦ ଆସେ। ଯେଉଁମାନେ କଞ୍ଚାମାଲ ବିକ୍ରି କରନ୍ତି ସେମାନେ ଚୀନ୍‌କୁ ରପ୍ତାନି କରନ୍ତି। ଚୂଡ଼ାନ୍ତ ଉତ୍ପାଦ ଚୀନ୍ କିଣେନାହିଁ।

Copyright © All rights reserved.