Sat. Feb 8th, 2025

ଓଡ଼ିଶାରେ ଜିଏସ୍‌ଟି ଆଦାୟ ୨୧% ବଢ଼ିଲା, ଆଠ ମାସ ପରେ ଦେଶରେ ଲକ୍ଷେ କୋଟି ଟପିଲା

1 min read
Spread the love

ନୂଆଦିଲ୍ଲୀ/ଭୁବନେଶ୍ବର: ରାଜ୍ୟରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ‌ରେ ‌ଅକ୍ଟୋବର ମାସରେ ୨୧.୭୯ ପ୍ରତିଶତ ବୃଦ୍ଧି ଘଟିଛି। ଚଳିତ ବର୍ଷ ଏହି ମାସରେ ୨୪୧୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ୨୦୧୯ରେ ରାଜ୍ୟରେ ୧୯୯୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଥିଲା। ଓଡ଼ିଶା ସରକାରଙ୍କ ବାଣିଜ୍ୟ କର ଓ ଜିଏସ୍‌ଟି କମିସନରେଟ୍‌ର ତଥ୍ୟ ଅନୁଯାୟୀ, ରାଜ୍ୟରେ କ୍ରମାଗତ ଦ୍ବିତୀୟ ମାସ ଲାଗି ଜିଏସ୍‌ଟି ସଂଗ୍ରହ ଯୁକ୍ତାତ୍ମକ ରହିଛି। ଅକ୍ଟୋବରରେ ରାଜ୍ୟ ପାଇଁ ଆଇଜିଏସ୍‌ଟି ଫଇସଲା ବାବଦକୁ ୪୮୦.୮୩ କୋଟି ଟଙ୍କା ମିଳିଛି। ଚଳିତ ବର୍ଷ ଏପ୍ରିଲ୍‌ରୁ ଅକ୍ଟୋବର ଭିତରେ ୪୩୦୬.୨୬ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଆଦାୟ ‌ହୋଇଛି ଯାହା ଗତବର୍ଷ ଏହି ସମୟରେ ଆଦାୟ ହୋଇଥିବା ୪୭୯୮.୩୯ କୋଟି ଟଙ୍କା ତୁଳନାରେ ୮.୪୮ ପ୍ରତିଶତ କମ୍। ଏହି ସମୟରେ ମୋଟ୍‌ ଜିଏସ୍‌ଟି ଆଦାୟ ୧୪,୭୦୧ କୋଟି ଟଙ୍କା ରହିଛି ଯାହା ଗତବର୍ଷ ୧୭,୦୭୦ କୋଟି ଟଙ୍କା ଥିଲା। ଚଳିତ ବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ପେଟ୍ରୋଲିୟମ୍ ସାମଗ୍ରୀ ଉପରୁ ରାଜ୍ୟରେ ଯଥାକ୍ରମେ ୪୬୪.୨୫ କୋଟି ଟଙ୍କା ଓ ୫୧୪.୨୬ କୋଟି ଟଙ୍କାର ଭାଟ୍ ଆଦାୟ ହୋଇଛି।

ସର୍ବଭାରତୀୟ ସ୍ତରରେ ଦୀର୍ଘ ଆଠ ମାସ ପରେ ଜିଏସ୍‌ଟି ଆଦାୟ ପରିମାଣ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି। ଚଳିତ ବର୍ଷ ଅକ୍ଟୋବରରେ ଦେଶରେ ୧,୦୫,୧୫୫ କୋଟି ଟଙ୍କା ଆଦାୟ ହୋଇଛି ଯାହା ଗତବର୍ଷର ୯୫,୩୭୯ କୋଟି ଟଙ୍କାରୁ ୧୦ ପ୍ରତିଶତ ଅଧିକ। କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଗତ ଫେବ୍ରୁଆରି ପରେ ପ୍ରଥମ ଥର ଲାଗି ମାସିକ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କାରୁ ଅଧିକ ହୋଇଛି। କରୋନା ମହାମାରୀ ଦ୍ବାରା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିରେ ଏହାକୁ ପୁନରୁଦ୍ଧାରର ଏକ ସଙ୍କେତ ଭାବେ ବିଚାର କରାଯାଉଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇରେ ୧୪% କମ୍, ଅଗଷ୍ଟରେ ୮% ଓ ସେପ୍ଟେମ୍ବରରେ ୫% କମ୍ ଜିଏସ୍‌ଟି ଆଦାୟ ହୋଇଥିଲା। ଅକ୍ଟୋବରରେ ୧୦ ପ୍ରତିଶତର ବୃଦ୍ଧି ଘଟିଛି। ଅର୍ଥାତ ଗତ ଏପ୍ରିଲ୍ ପରଠାରୁ ଅର୍ଥନୈତିକ କାର୍ଯ୍ୟକଳାପରେ ଧୀରେ ଧୀରେ ସୁଧାର ଘଟିବା ସହ ଟିକସ ଆଦାୟ ମଧ୍ୟ ତ୍ବରାନ୍ବିତ ହୋଇଛି। ଅକ୍ଟୋବର ମାସରେ ୧୯,୧୯୩ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୨୫,୪୧୧ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୫୨,୫୪୦ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ଆଦାୟ ହୋଇଛି। ଆମଦାନି ହୋଇଥିବା ସାମଗ୍ରୀରୁ ୨୩,୩୭୫ କୋଟି ଟଙ୍କା ଓ ସେସ୍‌ ଆକାରରେ ୮୦୧୧ କୋଟି ଟଙ୍କା ଆଦାୟ ହୋଇଛି। କେବଳ ଆମଦାନି ହୋଇଥିବା ସାମଗ୍ରୀରୁ ୯୩୨ କୋଟି ଟଙ୍କାର ସେସ୍‌ ଆଦାୟ ହୋଇଛି। ନିୟମିତ ଫଇସଲା ଭାବେ କେନ୍ଦ୍ର ସରକାର ୨୫,୦୯୧ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି ଓ ୧୯,୪୨୭ କୋଟି ଟଙ୍କାର ରାଜ୍ୟ ଓ ସମନ୍ବିତ ଜିଏସ୍‌ଟିର ଫଇସଲା କରିଛନ୍ତି। ନିୟମିତ ଫଇସଲା ପରେ ରାଜ୍ୟଗୁଡ଼ିକର ଆୟ ୪୪,୮୩୯ କୋଟି ଟଙ୍କା ଓ କେନ୍ଦ୍ରର ଆୟ ୪୪,୨୮୫ କୋଟି ଟଙ୍କା ହୋଇଛି। ଅକ୍ଟୋବର ମାସରେ ୮୦ ଲକ୍ଷ ଜିଏସ୍‌ଟିଆର୍‌-୩ବି ରିଟର୍ଣ୍ଣ ଫାଇଲ୍‌ ହୋଇଛି।

Copyright © All rights reserved.