Thu. Feb 6th, 2025

ଓଡ଼ିଶାରେ ପାରିବାରିକ ଆୟ, ବ୍ୟୟ, ସଞ୍ଚୟର ପାଇଲଟ‌୍ ସର୍ଭେ ୨୧ରୁ

1 min read
Spread the love

ଭୁବନେଶ୍ବର: ଭାରତ ସରକାରଙ୍କ ଅଧୀନ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ପକ୍ଷରୁ ଲୋକଙ୍କ ଆୟ, ବ୍ୟୟ ଏବଂ ସଞ୍ଚୟ ଉପରେ ଏକ ସର୍ଭେ ଆରମ୍ଭ ହେବ। ଏଥିପାଇଁ ପାଇଲଟ୍ ସର୍ଭେ ଓଡ଼ିଶା ସମେତ ୩ଟି ରାଜ୍ୟରେ ‌କରାଯିବ। ଚଳିତ ମାସ ୨୧ ତାରିଖରୁ ସର୍ଭେ ଆରମ୍ଭ ହୋଇ ମେ’ ୨୧ ତାରିଖରେ ଶେଷ ହେବ। ରାଜ୍ୟର ୧୩୨ଟି ଗ୍ରାମ ଏବଂ ୧୦୮ଟି ସହରକୁ ଏଥିପାଇଁ ନମୁନା ଭାବେ ଚୟନ କରାଯାଇଛି। ପାଇଲଟ୍ ସର୍ଭେ ଶେଷହେବା ପରେ ଦେଶବ୍ୟାପୀ ଉକ୍ତ ସର୍ଭେ କରାଯିବ। ଉକ୍ତ ସର୍ଭେରୁ ଏସ୍‌ଏଚ୍‌ଜି ଏବଂ ପାର୍ଟନରସିପ୍‌ ଉଦ୍ୟୋଗ ସମେତ ପରିବାରଗୁଡ଼ିକର ବାର୍ଷିକ ଆୟ, ବ୍ୟୟ ଏବଂ ସଞ୍ଚୟ ସଂପର୍କରେ ସୂଚନା ମିଳିବ। ‌ଆତ୍ମ ନିଯୁକ୍ତ ଲୋକ ଥିବା ଏବଂ ନଥିବା ପରିବାରର ସଦସ୍ୟ, ପାର୍ଟନରସିପ୍‌ ଉଦ୍ୟୋଗ ଏବଂ ଏସ୍‌ଏଚ୍‌ଜି ଗୁଡ଼ିକୁ ଏହି ସର୍ଭେରେ ସାମିଲ କରାଯିବ।

ଭୁବନେଶ୍ବରର ଏନ୍‌ଏସ୍‌ଓ(ଏଫ୍‌ଓଡି) କାର୍ଯ୍ୟାଳୟ ପକ୍ଷରୁ କ୍ଷେତ୍ରସ୍ତରରେ ସର୍ଭେ କାର୍ଯ୍ୟ କରିବାକୁ ଥିବା ଅଧିକାରୀମାନଙ୍କ ପାଇଁ ଭୁବନେଶ୍ବରରେ ଏକ ତିନିଦିନିଆ ଆଞ୍ଚଳିକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୮ ତାରିଖରେ ଏହି ତାଲିମ କାର୍ଯ୍ୟକ୍ରମକୁ ଏନ୍‌ଏସ୍‌ଓ(ଏଫ୍‌ଓଡି), ନୂଆଦିଲ୍ଲୀର ଅତିରିକ୍ତ ନିର୍ଦ୍ଦେଶକ ଏସ୍‌ ଏଲ୍‌ ମିନାରିଆ ଉଦ୍‌ଘାଟନ କରିଥିଲେ। ଏଥିରେ ସ୍ବତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ଏନ୍‌ଏସ୍‌ଓ(ଏଫ୍‌ଓଡି), ନୂଆଦିଲ୍ଲୀର ନିର୍ଦ୍ଦେଶକ ଡ ସନ୍ଦୀପ ଶର୍ମା ଯୋଗଦେଇଥିଲେ। ଭୁବନେଶ୍ବରସ୍ଥିତ ଏନ୍‌ଏସ୍‌ଓ(ଏଫ୍‌ଓଡି) କାର୍ଯ୍ୟାଳୟର ଉପ ମହାନିର୍ଦ୍ଦେଶକ କେ ପି ମିଶ୍ର ଏଥିରେ ପୌରୋହିତ୍ୟ କରିଥିଲେ। ଉପ ନିର୍ଦ୍ଦେଶକ ସୋମନାଥ ଜାନା ଧନ୍ୟବାଦ ଦେଇଥିଲେ। ସର୍ଭେରେ ସାମିଲ ହେବାକୁ ଥିବା ଓଡ଼ିଶାର ପରିବାର, ଉଦ୍ୟୋଗ ଏବଂ ଏସ୍‌ଏଚ୍‌ଜିଗୁଡ଼ିକ କ୍ଷେତ୍ର ସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବା ଲାଗି ଶ୍ରୀ ମିନାରିଆ ଏହି ଅବସରରେ ନିବେଦନ କରିଥିଲେ।

Copyright © All rights reserved.