କଂଗ୍ରେସକୁ ଘରଭଙ୍ଗା ରୋଗ ଛାଡ଼ୁନି!
1 min readଭୁବନେଶ୍ବର : ୨୦୦୦ ମସିହାରୁ ଦଳ କ୍ଷମତାରେ ନାହିଁ। ବିଧାନସଭାରେ ସଂଖ୍ୟା କମିବାରେ ଲାଗିଛି। ଦୁଇ ନମ୍ବରରୁ ତିନି ନମ୍ବର ସ୍ଥାନରେ ଯାଇ ପହଞ୍ଚିଲାଣି। ତଥାପି କଂଗ୍ରେସ ଦଳକୁ ପୁରୁଣା ରୋଗ ଛାଡୁନି। ପିସିସି ପରିବର୍ତ୍ତନ ଲାଗି ଗତ କିଛି ଦିନ ମଧ୍ୟରେ ହାତଗଣତି କିଛି ନେତାଙ୍କର ଦୁଇ ଦୁଇଟି ପଦକ୍ଷେପ ପୁଣି ଏଭଳି ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।ଜାନୁଆରି ୩୦ ତାରିଖ ଦିନ ବ୍ରହ୍ମପୁରରେ କଂଗ୍ରେସ ଏକ ବିଶାଳ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ଅନ୍ୟ ରାଜନୈତିକ ଦଳ ଏହି ସଭାର ପ୍ରଭାବକୁ ନେଇ ହିସାବନିକାସ ଚଳାଇଛନ୍ତି। ଠିକ୍ ଏମିତି ସମୟରେ କଂଗ୍ରେସର ହାତଗଣତି ଚାରି ପାଞ୍ଚଜଣ ନେତା ନୂଆଦିଲ୍ଲୀରେ ଯାଇ ନେତୃତ୍ବ ବଦଳ କସରତ ଚଳାଇଥିଲେ। ହାଇକମାଣ୍ଡ ଦେଖାଦେଲେନି, ଦଳର ବରିଷ୍ଠ ନେତା କେ ସି ଭେନୁଗୋପାଳଙ୍କୁ ଭେଟି ପିସିସି ପରବର୍ତ୍ତନ ଲାଗି ଏମାନେ ଦାବି ଜଣାଇ ଫେରିଆସିଥିଲେ।
ଆଜି କେନ୍ଦ୍ରାପଡ଼ାରେ କଂଗ୍ରେସ ପୁଣି ଏକ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ମେଡ଼ିକାଲ କଲେଜ ପ୍ରସଙ୍ଗକୁ ନେଇ ଜିଲ୍ଲାରେ ଏକ ବଡ଼ ଅସନ୍ତୋଷ ରହିଛି। କେନ୍ଦ୍ରାପଡ଼ା ବିକାଶ ପରିଷଦ ସମେତ ଅନ୍ୟ ସାମାଜିକ ସଂଗଠନ ଏହି ପ୍ରସଙ୍ଗରେ ମେଳି ହେଲେଣି। ରାଜ୍ୟ ସରକାର ଏହା ଉପରେ ଠୋସ୍ ପଦକ୍ଷେପ ନେଇପାରିନାହାନ୍ତି। ଖୋଦ୍ ବିଜେଡି ନେତାମାନେ ବି ଅସନ୍ତୋଷ ଟାଳିବା କସରତରେ ଅଛନ୍ତି। ଜନଅସନ୍ତୋଷ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ କଂଗ୍ରେସ ଏହି ପ୍ରସଙ୍ଗ ହାତକୁ େନଇଛି। ପୂର୍ବତନ ମନ୍ତ୍ରୀ ଗଣେଶ୍ବର େବହେରା ଏହାର ଆୟୋଜନ କରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତାମାନେ ଏକାଠି ହୋଇ ଏହି ପ୍ରସଙ୍ଗରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଏକ ସଭା କରିଥିଲେ। କଂଗ୍ରେସର ‘ମାଟି ପାଇଁ ପାଟି ଖୋଲ’ ସ୍ଲୋଗାନ ଆଜି ଜିଲ୍ଲା ରାଜନୀତିରେ କମ୍ପନ ସୃଷ୍ଟି କରିଛି।ଠିକ୍ ସେହି ସମୟରେ କଂଗ୍ରେସର ମହାଆନ୍ଦୋଳନରେ ସାମିଲ ନହୋଇ କେନ୍ଦ୍ରାପଡ଼ାର ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ତଥା ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା ପ୍ରମୁଖ ରାଜଧାନୀରେ ପିସିସି ନେତୃତ୍ବ ବିରୋଧରେ ବୈଠକ କରିବା ଘଟଣା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କଂଗ୍ରେସ ପାଇଁ ଲଢ଼ିବା ବଦଳରେ ନେତୃତ୍ବ ବଦଳ ଲଢେଇରେ ଏହି ନେତାମାନେ ମାତିବା ଘଟଣାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ବି ଗ୍ରହଣ କରିିପାରିନାହାନ୍ତି।ତେବେ ମିଳିଥିବା ସୂଚନା ଅନୁସାରେ, ହାତଗଣତି କିଛି ଅସନ୍ତୁଷ୍ଟ ନେତା ବୈଠକ ସ୍ଥଳରୁ ଭିଡ଼ିଓ କଲ୍ କରି କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲାକୁମାରଙ୍କ ସହିତ ଯୋଗାଯୋଗ କରିଥିଲେ। ଦାବି କରିଥିଲେ ଯେ ପିସିସି ସଭାପତିଙ୍କୁ ବଦଳାଇବା ପାଇଁ ସେମାନେ ଏକାଠି ହୋଇଛନ୍ତି ଓ ପ୍ରଭାରୀଙ୍କୁ ଭେଟିବାକୁ ଚାହାନ୍ତି। ମାତ୍ର ଚେଲ୍ଲାକୁମାର ଖୁବ୍ ଶୀଘ୍ର ଓଡ଼ିଶା ଆସୁଛନ୍ତି ଓ ସେବେ ଏହି ଗୋଷ୍ଠୀ ସହିତ ଆଲୋଚନା କରିବେ ବୋଲି ସୂଚନା ଦେଇଥିବା ବୈଠକରେ ଯୋଗଦେଇଥିବା ନେତାମାନେ ଗଣମାଧ୍ୟମକୁ କହିଛନ୍ତି। କେବଳ ସେତିକି ନୁହେଁ, ମାର୍ଚ୍ଚ ୧୫ ତାରିଖ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ଏହି ଅସନ୍ତୁଷ୍ଟ ଗୋଷ୍ଠୀ ଭେଟିବେ ବୋଲି ସମୟ ମାଗିଥିବା ସୂଚନା ଦେଇଛନ୍ତି। ବୈଠକରେ ଯୋଗଦେଇଥିବା ନେତାମାନେ ଗଣମାଧ୍ୟମକୁ କହିଛନ୍ତି ଯେ କଂଗ୍ରେସ ନେତୃତ୍ବ ଏବେ ଦୁର୍ବଳ ହୋଇଯାଇଛି। ଦଳର ପ୍ରଦର୍ଶନ ଉତ୍ସାହଜନକ ନଥିବା ପରିପ୍ରେକ୍ଷୀରେ ପିସିସି ପରିବର୍ତ୍ତନ ନିହାତି ଦରକାର।