Sun. Apr 20th, 2025

କୋଭିଡ୍‌ ହସ୍ପିଟାଲରେ ଶଯ୍ୟା ସଂକଟ

1 min read
Spread the love

ଭୁବନେଶ୍ବର: କୋଭିଡ୍‌ ହସ୍ପିଟାଲରେ ଏବେ ‌ଶଯ୍ୟା ସଂକଟ ଦେଖାଗଲାଣି। ରାଜଧାନୀର ୫ଟି ଯାକ କୋଭିଡ୍‌ ହସ୍ପିଟାଲରେ ୱାର୍ଡରୁ ଆରମ୍ଭ କରି ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟର୍‌ ପର୍ଯ୍ୟନ୍ତ ସବୁଠି ରୋଗୀ ଭର୍ତ୍ତି ହୋଇଯାଇଛନ୍ତି। ଆଶ୍ଚର୍ଯ୍ୟର ବିଷୟ, କୋଭିଡ୍‌ ହସ୍ପିଟାଲଗୁଡ଼ିକରେ ଭୁବନେଶ୍ବରର ଯେତିକି ଆକ୍ରାନ୍ତ ନାହାନ୍ତି, ତାହାଠାରୁ ଢେର୍ ଅଧିକ ଆକ୍ରାନ୍ତ ବାହାର ଜିଲ୍ଲାର। ୱାର୍ଡରୁ ଆରମ୍ଭ କରି ଆଇସିୟୁ, ଏଚ୍‌ଡିୟୁ ଓ ଭେଣ୍ଟିଲେଟର ପର୍ଯ୍ୟନ୍ତ ସବୁଠି ବାହାର ଜିଲ୍ଲାର ଆକ୍ରାନ୍ତ। ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ କୋଭିଡ୍‌ ହସ୍ପିଟାଲ ନିର୍ମାଣ ନକରିବା, ଯେତିକି ହସ୍ପିଟାଲ ଅଛି ସେଠାରେ ଆଇସିୟୁ, ଏଚ୍‌ଡିୟୁ ସୁବିଧା ନ ରଖିବା ରାଜଧାନୀବାସୀଙ୍କୁ ଭାରି ପଡ଼ିବାକୁ ଯାଉଛି। କାରଣ ରାଜଧାନୀର ଗୁରୁତର ଆକ୍ରାନ୍ତଙ୍କ ପାଇଁ ଶଯ୍ୟା ନାହିଁ।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୫ଟି କୋଭିଡ୍‌ ହସ୍ପିଟାଲ ଯଥା ସମ୍‌, କିମ୍‌ସ, ହାଇଟେକ୍, ଆଦିତ୍ୟ-ଅଶ୍ବିନୀ, ନୀଳାଚଳ ସମେତ ୪ଟି କୋଭିଡ୍‌ କେୟାର ସେଣ୍ଟର୍‌ରେ ୨୭୬୭ଟି ଶଯ୍ୟା ଅଛି। ଏଥିରୁ ୧୮୮୩ଟିରେ ଏବେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆଶ୍ଚର୍ଯ୍ୟର ବିଷୟ, କୋଭିଡ୍‌ ହସ୍ପିଟାଲରେ ୯୮%ରୁ ଅଧିକ ୱାର୍ଡ ଶଯ୍ୟା ପୂରଣ କରାଯାଇଛି। କୋଭିଡ୍‌ କେୟାର ସେଣ୍ଟରରେ ଯାହା କିଛି ଶଯ୍ୟା ଅଛି। ସେହିପରି ୫ଟି ହସ୍ପିଟାଲରେ ୨୬୮ଟି ଆଇସିୟୁ ଶଯ୍ୟା ଥିବା ବେଳେ ସବୁଥିରେ ଆକ୍ରାନ୍ତ ଭର୍ତ୍ତି ହୋଇଯାଇଛନ୍ତି। ଏଥିରୁ ୮୧ଜଣ ବିଏମ୍‌ସି ଅଞ୍ଚଳର। ଏଚ୍‌ଡିୟୁରେ ୫୯ଟି ଶଯ୍ୟା ଥିବା ବେଳେ ସେଥିରୁ ଗୋଟିଏ ବି ଖାଲି ନାହିଁ। ୧୬୫ଟି ଭେଣ୍ଟିଲେଟର୍‌ ଥିବା ବେଳେ ୯୯ଟି‌ରେ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଏଥିରୁ ମାତ୍ର ୨୫ଜଣ ବିଏମ୍‌ସି ଅଞ୍ଚଳର। ଆଇସିୟୁ ଓ ଏଚ୍‌ଡିୟୁ ପୂରା ଭର୍ତ୍ତି ହୋଇଯାଇଥିବାରୁ ଗୁରୁତର ଆକ୍ରାନ୍ତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ସମସ୍ୟା ହୋଇପାରେ। ଏପରିକି କେତେକ କ୍ଷେତ୍ରରେ ଯଦି ଗୋଟିଏ ହସ୍ପିଟାଲରେ ଆଇସିୟୁ ନଥିବ ତେବେ ଆକ୍ରାନ୍ତଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ବେଳକୁ ତାଙ୍କ ଜୀବନ ଚାଲି ଯାଇପାରେ। ତେଣୁ ଏ ଦିଗରେ ବିଏମ୍‌ସିକୁ ଏବେଠାରୁ ଚିନ୍ତା କରିବାକୁ ପଡ଼ିବ। ନଚେତ୍‌ ଆଗକୁ ସ୍ଥିତି ସାଂଘାତିକ ରୂପ ନେଇପାରେ।

Copyright © All rights reserved.