Fri. Nov 22nd, 2024

କୋହଲି ଓ ପାଣ୍ଡ୍ୟା ମଧ୍ୟ ଅଷ୍ଟ୍ରେଲିଆରେ କରୋନା ନିୟମ ଉଲ୍ଲଂଘନ କରିଥିଲେ

1 min read
Spread the love

ମେଲ୍‌ବର୍ଣ୍ଣ : ଶନିବାର ୫ ଭାରତୀୟ ରୋହିତ ଶର୍ମା, ପୃଥ୍ବୀ ସ’, ଶୁବମନ୍ ଗିଲ୍‌, ଋଷଭ ପନ୍ତ୍‌ ଓ ନଭ୍‌ଦୀପ ସୈନି କରୋନା କଟକଣା ଉଲ୍ଲଂଘନ କରିଥିବା ଅଭିଯୋଗକ୍ରମେ ଏକାନ୍ତବାସକୁ ଯାଇଥିଲା ବେଳେ ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ମଧ୍ୟ ଅଷ୍ଟ୍ରେଲିଆରେ କରୋନା ପ୍ରୋଟୋକଲ୍‌ ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ଉଠିଛି। ଉଭୟ କୋହଲି ଏବଂ ପାଣ୍ଡ୍ୟା ଭାରତ ଫେରିଯିବା ପୂର୍ବରୁ ମୁହଁରେ ମାସ୍କ ନପିନ୍ଧି ଖେଳନା ଦୋକାନକୁ ଯାଇଥିବା କୁହାଯାଇଛି।

ଏକ ରିପୋର୍ଟ ଅନୁଯାୟୀ କୋହଲି ଓ ପାଣ୍ଡ୍ୟା ଡିସେମ୍ବର ୭ ତାରିଖ ଦିନ ବିନା ମାସ୍କରେ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଖେଳନା ଦୋକାନକୁ ଯାଇଥିଲେ। ଏହା ଅଷ୍ଟ୍ରେଲିଆରେ କରୋନା କଟକଣାର ଖୋଲା ଉଲ୍ଲଂଘନ ଥିଲା ବୋଲି ଅଭିଯୋଗ ଉଠିଛି। ସେତେବେଳେ ଅଷ୍ଟ୍ରେଲିଆରେ କରୋନା ସ୍ଥିତି ନିୟଂତ୍ରଣରେ ରହିଥିବାରୁ ଏବଂ ଏହା ଏକ ମାମୁଲି ପ୍ରସଙ୍ଗ ହୋଇଥିବାରୁ କେହି ଦୃଷ୍ଟି ଦେଇନଥିଲେ। ହେଲେ କରୋନା ମହାମାରୀ ଏବେ ବି ଧମକ ଦେଉଥିବାରୁ ଖେଳାଳିମାନେ ମାର୍ଗଦର୍ଶିକାକୁ ଅନୁପାଳନ କରିବା ବାଧ୍ୟ ବୋଲି କୁହାଯାଇଛି।ଏଠାରେ ସୂଚନାଯୋଗ୍ୟ, କୋହଲି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଖୁବ୍‌ ଶୀଘ୍ର ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଥିଲା ବେଳେ ପାଣ୍ଡ୍ୟା ଆଇପିଏଲ୍‌ ଖେଳିବାକୁ ୟୁଏଇ ଯିବା ପୂର୍ବରୁ ଏକ ପୁତ୍ର ସନ୍ତାନର ଜନକ ହୋଇସାରିଥିଲେ। ଅଷ୍ଟ୍ରେଲିଆରେ ପାଣ୍ଡ୍ୟା ଧଳା ବଲ୍‌ ଦଳର ସଦସ୍ୟ ଥିଲେ ଏବଂ ୬ ମ୍ୟାଚ୍‌ ଖେଳିସାରି ଭାରତ ଫେରିଯାଇଥିଲେ। କିନ୍ତୁ କୋହଲି ପ୍ରଥମ ଟେଷ୍ଟ୍‌ ଖେଳି ପିତୃତ୍ବ ଅବକାଶରେ ସ୍ବଦେଶ ଫେରିଯାଇଛନ୍ତି। ତେବେ ଉଭୟଙ୍କ ବିରୋଧରେ କୌଣସି ବୋର୍ଡ (ଭାରତ କିମ୍ବା ଅଷ୍ଟ୍ରେଲିଆ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସେହି ପ୍ରସଙ୍ଗକୁ ଏବେ ଏଡ଼ାଇ ଦିଆଯାଇଛି। କିନ୍ତୁ ୫ ଟେଷ୍ଟ୍‌ ଖେଳାଳିଙ୍କୁ ନେଇ ଏବେ ଯେଉଁ ବିବାଦ ଉପୁଜିଛି ତାହା ବିସିସିଆଇ ପାଇଁ ଅଡୁଆ ସୃଷ୍ଟି କରିଛି।

Copyright © All rights reserved.