ଚୀନ୍ ସହ ସମ୍ପର୍କ ତୁଟାଇଲା ପବ୍ଜି
1 min readନୂଆଦିଲ୍ଲୀ: ଦକ୍ଷିଣ କୋରିଆର ଗେମିଂ ସଂସ୍ଥା ପବ୍ଜି କର୍ପୋରେସନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ଚୀନ୍ର ସଂସ୍ଥା ଟେନ୍ସେଣ୍ଟ୍ ଗେମସ୍ ସହ ରଖିଥିବା ସମ୍ପର୍କ ଛିନ୍ନ କରିଛି। ଭାରତରେ ପବ୍ଜି ନିଷିଦ୍ଧ ହେବାର କିଛି ଦିନ ପରେ ପବ୍ଜି କର୍ପୋରେସନ ଏହି ନିଷ୍ପତ୍ତି ନେଇଛି। ଭାରତ ଭଳି କେତେକ ନିର୍ଦିଷ୍ଟ ଦେଶରେ ପବ୍ଜିର ପରିଚାଳନା କରିବା ଲାଗି ଟେନ୍ସେଣ୍ଟ୍ ସହ ପବ୍ଜି ବୁଝାମଣା କରିଥିଲା। ପବ୍ଜି ପାଇଁ ଭାରତ ଥିଲା ଏକ ବହୁତ ବଡ଼ ବଜାର। ଭାରତରେ ୧୭.୫ କୋଟି ଥର ଏହାକୁ ଡାଉନ୍ଲୋଡ୍ କରାଯାଇଛି। ପିଲାମାନଙ୍କ ମଧ୍ୟରେ ଏହା ବେଶ ଲୋକପ୍ରିୟ ଥିଲା। ସାରା ବିଶ୍ବରେ ଏହି ଗେମ୍ ମୋଟ ଯେତିକି ଥର ଡାଉନ୍ଲୋଡ୍ ହୋଇଛି ତାହାର ୨୫% କେବଳ ଭାରତୀୟମାନେ ଡାଉନ୍ଲୋଡ୍ କରିଛନ୍ତି। ଭାରତରେ ପବ୍ଜି ନିଷିଦ୍ଧ ହେବା ପରେ ଏହାର ମୂଳ କଂପାନି ପବ୍ଜି କର୍ପୋରସନ୍କୁ ବଡ଼ ଧରଣର ଝଟ୍କା ଲାଗିଛି। ଭାରତ ବଜାରକୁ ପୁଣି ଥରେ ଫେରିବା ଲାଗି ଦକ୍ଷିଣ କୋରିଆର ଏହି କଂପାନି ଉଦ୍ୟମ କରୁଛି। ସେଥିପାଇଁ ବିଭିନ୍ନ ବିକଳ୍ପକୁ ଏହା ସନ୍ଧାନ କରୁଛି।କିଛି ମାସ ତଳେ ଲଦାଖ୍ର ଗଲ୍ୱାନ୍ ଘାଟିରେ ଚୀନ୍ ସେନା ସହ ଘଟିଥିବା ସଂଘର୍ଷରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ଭାରତ ଅର୍ଥନୈତିକ ପଦକ୍ଷେପ ସ୍ବରୂପ ପ୍ରଥମ ପର୍ଯ୍ୟାୟରେ ଟିକ୍ଟକ୍ ସମେତ ଚୀନ୍ର ୫୯ଟି ଆପ୍କୁ ନିଷିଦ୍ଧ କରିଥିଲା। ଗତ ସପ୍ତାହରେ ଆଉ ୧୧୮ଟି ଆପକୁ ନିଷିଦ୍ଧ କରାଯାଇଥିଲା ଯେଉଁଥିରେ ପବ୍ଜିର ନାମ ରହିଛି। ଏହି ସବୁ ଆପ୍ ବ୍ୟବହାରକାରୀମାନଙ୍କ ଗୋପନୀୟ ତଥ୍ୟ ଚୋରି କରୁଥିବା ଅଭିଯୋଗ ରହିଛି। ଦେଶର ସୁରକ୍ଷା ଓ ସଂହତି ପ୍ରତି ତାହା ବିପଦ ହୋଇଥିବାରୁ ଏହି ଆପ୍ଗୁଡ଼ିକୁ ସରକାର ନିଷିଦ୍ଧ କରିଛନ୍ତି। ଆପ୍ ଉପରୁ ନିଷେଧାଦେଶ ଉଠାଇବା ଲାଗି ପବ୍ଜି କର୍ପୋରେସନ୍ ଭାରତ ସରକାରଙ୍କ ସହ ଖୁବ୍ଶୀଘ୍ର ଆଲୋଚନା କରିବ। ଯଦିଓ ଏହା ଏକ ଜଟିଳ ପ୍ରକ୍ରିୟା ମାତ୍ର ଚୀନ୍ ସଂସ୍ଥା ସହ ସମ୍ପର୍କ ତୁଟାଇ ଏହା ଭାରତକୁ ଏକ ବାର୍ତା ଦେଇଛି। ଦକ୍ଷିଣ କୋରିଆର ସଂସ୍ଥା ଭାବେ ଏହା ସରକାରଙ୍କ ସହ ଆଲୋଚନା କରିବ।