ଚେନ୍ନାଇକୁ ହରାଇଲା ହାଇଦ୍ରାବାଦ
1 min readଦୁବାଇ : ଘଟଣାବହୁଳ ମ୍ୟାଚ୍ରେ ଶୁକ୍ରବାର ୩ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସକୁ ସନ୍ରାଇଜର୍ସ ହାଇଦ୍ରାବାଦ ୭ ରନ୍ରେ ହରାଇ ଦେଇଛି। ଏଥି ସହିତ ଧୋନିଙ୍କ ଦଳ ହ୍ୟାଟ୍ରିକ୍ ପରାଜୟ ବରଣ କରିଥିବା ବେଳେ ସନ୍ରାଇଜର୍ସ ହାଇଦ୍ରାବାଦ ଲଗାତାର ବିଜୟ ହାସଲ କରିଛି। ଯୁବ ତାରକାଙ୍କ ବଳରେ ହାଇଦ୍ରାବାଦ ୧୬୪/୫ ସ୍କୋର୍ କରିବା ପରେ ଚେନ୍ନାଇକୁ ୧୫୭/୫ରେ ସୀମିତ ରଖିଦେଇଥିଲା। ହାଇଦ୍ରାବାଦ ପଏଣ୍ଟ୍ ଟେବୁଲ୍ର ଚତୁର୍ଥକୁ ଉଠିଥିବା ବେଳେ ଚେନ୍ନାଇ ଶେଷ ସ୍ଥାନରେ ସଂଘର୍ଷ କରୁଛି।
୧୬୫ ରନ୍କୁ ପିଛା କରିଥିବା ୩ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ପ୍ରଥମରୁ ସଂଘର୍ଷ କରିଥିଲା। ପାୱାର ପ୍ଲେ ୬ ଓଭର ଭିତରେ ଦଳ ୩ ୱିକେଟ୍ ହରାଇ ୩୬ ରନ୍ କରିଥିଲା। ସେନ୍ ୱାଟସନ୍, ଅମ୍ବାତି ରାୟୁଡୁ, ଫାପ୍ ଡୁ ପ୍ଲେସିସ୍ ପ୍ୟାଭିଲିଅନ୍ ଫେରି ଯାଇଥିଲେ। କେଦାର ଯାଦବଙ୍କ ବିଫଳତା ଚେନ୍ନାଇକୁ ୪୨/୪ରେ ପହଞ୍ଚାଇ ଦେଇଥିଲା। ମଧ୍ୟକ୍ରମରେ ରସିଦ୍ ଖାନ୍ଙ୍କ ମିତ୍ତବ୍ୟୟୀ ପ୍ରଥମ ସ୍ପେଲ (୩-୦-୫-୦) ଚେନ୍ନାଇର ରନ୍ ହାରକୁ ବାନ୍ଧି ରଖିଥିଲା। ଏହି ସମୟରେ ମହେନ୍ଦ୍ର ସିଂହ ଧୋନି ଏବଂ ରବୀନ୍ଦ୍ର ଜାଦେଜାଙ୍କ ମଧ୍ୟରେ ୭୨ ରନ୍ ଭାଗୀଦାରି ହୋଇଥିଲା। ୨୫ ବଲରୁ ୨୩ ରନ୍ କରିଥିବା ଜାଦେଜା ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ପରବର୍ତୀ ୯ ବଲରୁ ୨୭ ରନ୍ ଯୋଡ଼ି ଅର୍ଥଶତକ ପୂର୍ଣ୍ଣ କରିଥିଲେ। କିନ୍ତୁ ୧୮ତମ ଓଭରରେ ନଟରାଜନଙ୍କଠାରୁ ୩ ବଲରୁ ୧୨ ରନ୍ (୪,୨,୬) ଆଦାୟ କରି ଅର୍ଧଶତକ ପୂର୍ଣ୍ଣ କରିବାର ଠିକ୍ ପର ବଲରେ ଅବଦୁଲ ସମଦଙ୍କୁ କ୍ୟାଚ୍ ଦେଇ ଫେରି ଆସିଥିଲେ। ଶେଷ ଦୁଇ ଓଭରରୁ ୪୪ ରନ୍ ଆବଶ୍ୟକ ଥିଲା। ୧୯ତମ ଓଭର ବୋଲିଂ କରିବାକୁ ଆସି ଗୋଟିଏ ବଲ୍ ପରେ ଭୁବନେଶ୍ବର କୁମାରଙ୍କ ମାଂଶପେସୀ ଟାଣି ହୋଇଯିବାରୁ ବୋଲିଂ କରିପାରିନଥିଲେ। ଶେଷ ଓଭର ବୋଲିଂ କରିବାକୁ ଥିବା ଖଲିଲ୍ ଅହମ୍ମଦ ଅବଶିଷ୍ଟ ୫ ବଲ ବୋଲିଂ କରିଥିଲେ। ଏହି ଓଭରର ଧୋନି ମଧ୍ୟ କ୍ଲାନ୍ତ ହୋଇପଡ଼ିବାରୁ ବିରାମ ପରେ ଆସି ଛକା ମାରିଥିଲେ। ଶେଷ ଓଭରରୁ ୨୮ ରନ୍ ଆବଶ୍ୟକ ଥିଲା। ଅନଭିଜ୍ଞ ଅବଦୁଲ୍ ସମଦ ବୋଲିଂ କରିବାରୁ ଚେନ୍ନାଇ ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା। ତାଙ୍କ ପ୍ରଥମ ବଲ୍ ୱାଇଡ୍ ଚୌକାରେ ଯିବା ପରେ ଚେନ୍ନାଇକୁ ସୁଯୋଗ ବଢ଼ିଥିଲା। କ୍ଲାନ୍ତ ଧୋନି ଏବଂ ସାମ୍ କରନ୍ କିନ୍ତୁ ମୋଟ ୨୦ ରନ୍ (୫,୨,୪,୧,୧,୧,୬) ଆଦାୟ କରିପାରିଥିଲେ।