Thu. Nov 21st, 2024

ଜାନୁଆରିରେ କୋଟିଏ ନୂଆ ନିଯୁକ୍ତି, ଏବେ ବି ପ୍ରାୟ ୩ କୋଟି ବେକାର

1 min read
Spread the love

ଚେନ୍ନାଇ: ଶ୍ରମ ବଜାର ଲାଗି ଜାନୁଆରି ଏକ ବହୁତ ଭଲ ମାସ ସାବ୍ୟସ୍ତ ହୋଇଛି। ଜାନୁଆରିରେ ସାରା ଦେଶରେ ୧୨ ନିୟୁତରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। କରୋନା ମହାମାରୀ ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପରେ ଶ୍ରମ ବଜାର ସ୍ଥିତି ବହୁତ ଖରାପ ହୋଇଥିଲା। ଅର୍ଥନୀତିରେ ସୁଧାର ହେଉଥିବାରୁ ଶ୍ରମ ବଜାର ପୁଣି ଥରେ ଚଳଚଞ୍ଚଳ ହୋଇଛି। ଘରୋଇ କ୍ଷେତ୍ରର ସଂସ୍ଥା ସେଣ୍ଟର୍‌ ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ରିପୋର୍ଟ ଅନୁଯାୟୀ, ଜାନୁଆରିରେ ନିଯୁକ୍ତି କ୍ଷେତ୍ରରେ ଥିବା ଲୋକଙ୍କ ସଂଖ୍ୟା ୪୦.୦୭ କୋଟିରେ ପହଞ୍ଚିଛି। ୨୦୨୦ ଡିସେମ୍ବରରେ ସେମାନଙ୍କ ସଂଖ୍ୟା ୩୮.୮୮ କୋଟି ଥିଲା। ଜାନୁଆରିରେ ୧୨ ନିୟୁତରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି ହୋଇଥିବାରୁ ଦେଶର ନିଯୁକ୍ତି ହାର ବୃଦ୍ଧି ପାଇଥିବା ‌ବେଳେ ବେକାରି ହାର ୬.୫%କୁ ଖସିଆସିଛି।

ଗତ ଡିସେମ୍ବରରେ ବେକାରି ହାର ୯.୧ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। ଗତ ଛଅ ମାସରେ ବେକାରି ହାର ୬.୫%ରୁ ୯.୧% ମଧ୍ୟରେ ଉପର ତଳ ହେଉଥିଲା। ୨୦୨୦ ଅଗଷ୍ଟରୁ ୨୦୨୧ ଜାନୁଆରି ମଧ୍ୟ‌ରେ ହାରାହାରି ବେକାରି ହାର ୭.୫% ରହିଛି। ଲକ୍‌ଡାଉନ୍ ପରବର୍ତୀ ସମୟରେ କୌଣସି ଗୋଟିଏ ମାସରେ ୫ ନିୟୁତରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉନଥିଲା। ମାତ୍ର ପ୍ରଥମ ଥର ଲାଗି ଚଳିତ ବର୍ଷ ଜାନୁଆରି ଦୁଇ ଗୁଣା ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି ବୋଲି ସିଏମ୍‌ଆଇଇର ସିଇଓ ମହେଶ ବ୍ୟାସ କହିଛନ୍ତି। ଗତ ଡିସେମ୍ବରରେ ଆଶ୍ଚର୍ଯ୍ୟଜନକ ଭାବେ ୧୧.୩ ନିୟୁତ ଲୋକ ବେକାର ହୋଇପଡ଼ିଥିଲେ। ‌ଜାନୁଆରିରେ ସେଥିରେ ସମ୍ପୂର୍ଣ୍ଣ ସୁଧ ହୋଇ ଆହୁରି ୧୨ ନିୟୁତ ଅଧିକ ଲୋକଙ୍କୁ ନୂଆ ନିଯୁକ୍ତି ମିଳିଛି। ଜାନୁଆରି ମାସରେ ବୈଷୟିକ ଓ ବିଭିନ୍ନ କ୍ଷେତ୍ରରେ ବିଶେଷ ଜ୍ଞାନ ଥିବା ଲୋକମାନଙ୍କୁ ଚାକିରି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଇଛି। ଭିତ୍ତିଭୂମି କ୍ଷେତ୍ରର ସଂସ୍ଥା ଓ ପାଣ୍ଠି ହାସଲ କରିଥିବା ଷ୍ଟାର୍ଟଅପ୍‌ଗୁଡ଼ିକ ନିଯୁକ୍ତି ବଢ଼ାଇବ‌ାରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ଏହା ସତ୍ତ୍ବେ ଦେଶରେ ବେକାର ଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୩ କୋଟି ରହିଛି। ସେମାନଙ୍କ ମଧ୍ୟରୁ ୨୭.୯ ନିୟୁତ ଲୋକ କାମ କରିବାର ସୁଯୋଗ ସନ୍ଧାନ କରୁଥିବା ବେଳେ ଅନ୍ୟମାନେ ଚାକିରି ଖୋଜିବା ପ୍ରତି ସେତେଟା ଧ୍ୟାନ ଦେଉନଥିବା ଜଣାପଡ଼ିଛି।

Copyright © All rights reserved.