Mon. Feb 24th, 2025

ଜିଏସ୍‌ଟି ଆଦାୟରେ ରେକର୍ଡ

1 min read
Spread the love

ନୂଆଦିଲ୍ଲୀ : ଡିସେମ୍ବର ମାସରେ ଜିଏସ୍‌ଟି ଆଦାୟ ଇତିହାସ ସୃଷ୍ଟି କରିଛି। ୨୦୧୭ ଜୁଲାଇରେ ଏହି ଟିକସ ଲାଗୁ ହେବା ପରଠାରୁ ପ୍ରଥମ ଥର ପାଇଁ କୌଣସି ମାସରେ ଆଦାୟ ପରିମାଣ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। ୨୦୨୦ ଡିସେମ୍ବରରେ ଦେଶରେ ୧,୧୫,୧୭୪ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଛି। ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସ୍‌ଟି (ସିଜିଏସ୍‌ଟି) ପରିମାଣ ୨୧,୩୬୫ କୋଟି ଟଙ୍କା ହୋଇଥିବାବେଳେ ରାଜ୍ୟ ଜିଏସ୍‌ଟି (ଏସ୍‌ଜିଏସ୍‌ଟି) ଓ ସମନ୍ବିତ ଜିଏସ୍‌ଟି (ଆଇଜିଏସ୍‌ଟି) ପରିମାଣ ଯଥାକ୍ରମେ ୨୭,୮୦୪ କୋଟି ଟଙ୍କା ଓ ୫୭୪୨୬ କୋଟି ଟଙ୍କା ରହିଛି। ଏଥିମଧ୍ୟରେ ସାମଗ୍ରୀ ରପ୍ତାନି ବାବଦ ରାଜସ୍ବ ସଂଗ୍ରହ ପରିମାଣ ୨୭,୦୫୦ କୋଟି ଓ ଉପକର ବା ସେସ୍‌ ବାବଦରେ ୮୫୭୯ କୋଟି ଟଙ୍କା ରହିଛି। ଗତ ନଭେମ୍ବରରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୋଟ ୮୭ ଲକ୍ଷ ଜିଏସ୍‌ଟିଆର୍‌ ୩ବି ରିଟର୍ଣ୍ଣ ଫାଇଲ କରିଛନ୍ତି। ୨୦୨୦ ଡିସେମ୍ବରରେ ଓଡ଼ିଶାରେ ୨୮୬୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି ଯାହା ୨୦୧୯ ଡିସେମ୍ବରରେ ହୋଇଥିବା ୨୩୮୩ କୋଟି ଟଙ୍କା ଆଦାୟ ତୁଳନାରେ ୨୦% ଅଧିକ।

ଏହା ପୂର୍ବରୁ ୨୦୧୯ ଏପ୍ରିଲ ମାସରେ ସର୍ବାଧିକ ୧,୧୩,୮୬୬ କୋଟି ଟଙ୍କାର ଜିଏସ୍‌ଟି ସଂଗୃହୀତ ହୋଇଥିଲା। ତେବେ ମାର୍ଚ୍ଚ ମାସରେ ରିଟର୍ଣ୍ଣ ଦାଖଲ ହେଉଥିବାରୁ ଏପ୍ରିଲରେ ସାଧାରଣତଃ ଅଧିକ ଜିଏସ୍‌ଟି ସଂଗୃହୀତ ହୋଇଥାଏ, କାରଣ ଏହା ଆର୍ଥିକ ବର୍ଷର ଆରମ୍ଭ ମାସ। ତେବେ ଡିସେମ୍ବରରେ ଏହି ସୁବିଧା ନଥିବା ସତ୍ତ୍ବେ ଏଥର ସର୍ବାଧିକ ଜିଏସ୍‌ଟି ଆଦାୟ ହୋଇଛି। କ୍ରମାଗତ ଭାବେ ୨୧ ମାସ ପରେ ଜିଏସ୍‌ଟି ସଂଗ୍ରହ ଅଭିବୃଦ୍ଧି ସର୍ବାଧିକ ସ୍ତରରେ ପହଞ୍ଚିଛି। ମହାମାରୀ ପରେ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ମିଳିତ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଜିଏସ୍‌ଟି ଫାଙ୍କୁଥିବା ଏବଂ ନକଲି ବିଲ୍‌ ଆଦି ଦ୍ୱାରା ସରକାରଙ୍କୁ ଠକୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦେଶବ୍ୟାପୀ ଚଢଉ ଫଳରେ ଏହି ଆଦାୟ ବଢିଛି। ଅଧିକରୁ ଅଧିକ ବ୍ୟବସାୟୀ ଟିକସ ଦାଖଲ କରିଛନ୍ତି। ଜିଏସ୍‌ଟି ଲାଗୁ ହେବା ଦିନଠାରୁ ଏହାକୁ ମିଶାଇ ତୃତୀୟଥର ପାଇଁ ଏହି ରାଜସ୍ବ ସଂଗ୍ରହ ପରିମାଣ ୧.୧ ଲକ୍ଷ କୋଟି ଟଙ୍କା ଟପିଛି। ଗତ ୩ ମାସ ମଧ୍ୟରେ କ୍ରମାଗତଭାବେ ଜିଏସ୍‌ଟି ସଂଗ୍ରହ ବୃଦ୍ଧି ପାଉଥିବାରୁ ଏହା ଆର୍ଥିକ ପୁନରୁଦ୍ଧାରର ସୂଚନା ଦେଉଛି।

Copyright © All rights reserved.