Sun. Feb 23rd, 2025

ଟ୍ରେନ୍, ବସ୍‌ ଭଡ଼ା ବଢ଼ିବ, ପନିପରିବା ମହଙ୍ଗା ହେବ

1 min read
Spread the love

ଭୁବନେଶ୍ବର: ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ହେଉଥିବା ବୃଦ୍ଧି ରେଳବାଇ ଠାରୁ ଆରମ୍ଭ କରି ଟେଲିକମ୍ କଂପାନି ଓ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାଷୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିବ। ଦେଶରେ ସର୍ବାଧିକ ଡିଜେଲ୍ ରେଳବାଇ ଏବଂ ପରିବହନ କ୍ଷେତ୍ରର ଟ୍ରକ୍ ଓ ଅନ୍ୟାନ୍ୟ ଗାଡ଼ିଗୁଡ଼ିକରେ ବ୍ୟବହାର କରାଯାଏ। ଡିଜେଲ୍‌ ଦାମ୍‌ରେ ହେଉଥିବା ବୃଦ୍ଧି ରେଳ ଟିକଟ ଦରବୃଦ୍ଧିର କାରଣ ହୋଇପାରେ। ବସ୍‌ ଭଡ଼ା ବୃଦ୍ଧିର ଏହା ଏକ ପ୍ରମୁଖ କାରଣ ହେବ। ଟ୍ରକ୍ ଜରିଆରେ ପରିବହନ ହେଉଥିବା ପନିପରିବା ଠାରୁ ଆରମ୍ଭ କରି ପ୍ରାୟ ସବୁ ପ୍ରକାର ସାମଗ୍ରୀର ଦାମ୍ ବଢ଼ିବ। ଟେଲିକମ୍ କଂପାନିଗୁଡ଼ିକ ମଧ୍ୟ କେତେକ ଟାୱାରରେ ଡିଜେଲ୍‌କୁ ଇନ୍ଧନ ଭାବେ ବ୍ୟବହାର କରୁଛନ୍ତି।ବଡ଼ ବଡ଼ ଆପାର୍ଟମେଣ୍ଟ୍‌ରେ ଡିଜେଲ୍ ଜେନେରେଟର ରହିଛି। ତେଣୁ ଡିଜେଲ୍ ଦାମ୍ ବଢ଼ିଲେ ଟେଲିକମ୍ ଶୁଳ୍କ ଓ ଆପାର୍ଟମେଣ୍ଟ୍‌ର ସୋସାଇଟି ଚାର୍ଜ ବଢ଼ିବାର ମଧ୍ୟ ଆଶଙ୍କା ରହିଛି। ଡିଜି ସେଟ୍, ଟ୍ରାକ୍ଟର ଓ ପାୱାର ଟିଲର୍‌ ରଖିଥିବା ଚାଷୀଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଛି। ପେଟ୍ରୋଲ୍ ଦରବୃଦ୍ଧି କେବଳ ବେତନଭୋଗୀ, କର୍ପୋରେଟ୍ ଜଗତରେ କାର୍ଯ୍ୟ କରୁଥିବା ପେସାଦାର ଓ କର୍ମଚାରୀ ଏବଂ ଦୂରଦୂରାନ୍ତ ସ୍ଥାନକୁ ନିଜ ଗାଡ଼ିରେ ଯାତ୍ରା କରୁଥିବା ଲୋକମାନଙ୍କୁ ପ୍ରଭାବିତ କରିବ। ଏହା ପରିବାରର ସଞ୍ଚୟକୁ କମ୍ କରିବ ଯାହା ଭାରତ ଭଳି ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ପାଇଁ ଆଦୌଁ ଭଲ ନୁହେଁ।

Copyright © All rights reserved.