ତଥ୍ୟରେ ବ୍ୟାପକ ଅନିୟମିତତା ସନ୍ଦେହ : ପ୍ରକାଶ ପାଇବନି ଡୁଇଂ ବିଜନେସ୍ ରିପୋର୍ଟ
1 min readନୂଆଦିଲ୍ଲୀ : ତଥ୍ୟରେ ବ୍ୟାପକ ଅନିୟମିତତା ଥିବାର ସନ୍ଦେହ କରାଯାଉଥିବାରୁ ଆସନ୍ତା ଅକ୍ଟୋବରରେ ପ୍ରକାଶ ପାଇବାକୁ ଯାଉଥିବା ଇଜ୍ ଅଫ୍ ଡୁଇଂ ବିଜନେସ୍ ରୢାଙ୍କିଙ୍ଗ୍ ରିପୋର୍ଟକୁ ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶ କରାଯିବ ନାହିଁ। ବିଶ୍ବର ବିଭିନ୍ନ ଦେଶ ପାଇଁ ବିଶ୍ବବ୍ୟାଙ୍କ ଏହି ରିପୋର୍ଟ ପ୍ରକାଶ କରୁଛି। ଯେଉଁ ଦେଶର ରୢାଙ୍କ ଯେତେ ଭଲ ସେଠାରେ ବ୍ୟବସାୟ କିମ୍ବା ପୁଞ୍ଜିନିବେଶ କରିବା ସେତେ ସହଜ ଓ ସୁରକ୍ଷିତ ବୋଲି ବିଚାର କରାଯାଏ। ବିଗତ ପାଞ୍ଚ ବର୍ଷରେ ଭାରତର ରୢାଙ୍କରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହା ଏବେ ୬୩ତମ ସ୍ଥାନରେ ରହିଛି।ବିଶ୍ବବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଅକ୍ଟୋବରରେ ପ୍ରକାଶ ପାଇବାକୁ ଥିବା ଡୁଇଂ ବିଜନେସ୍ ରିପୋର୍ଟକୁ ସ୍ଥଗିତ ରଖାଯାଇଛି। ବିଗତ ପାଞ୍ଚଟି ରିପୋର୍ଟରେ ତଥ୍ୟକୁ ନେଇ ବ୍ୟାପକ ଅନିୟମିତତା ରହିଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବିଶ୍ବବ୍ୟାଙ୍କ ପୁଣି ଥରେ ସଠିକ୍ ତଥ୍ୟ ସଂଗ୍ରହ କରିବ ଏବଂ ତଥ୍ୟ ଅନିୟମିତତା ଦ୍ବାରା ଯେଉଁ ଦେଶଗୁଡ଼ିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ରୢାଙ୍କିଙ୍ଗ୍ରେ ସଂଶୋଧନ କରିବ। ସଂଯୋଗର ବିଷୟ ହେଉଛି ଭାରତ ହେଉଛି ଏକ ଦେଶ ଯାହାର ରୢାଙ୍କ୍ ଗତ ପାଞ୍ଚ ବର୍ଷ ଭିତରେ ଅବିଶ୍ବସନୀୟ ଭାବେ ଉନ୍ନତି ହୋଇଛି।
ଏହି ବହୁ ଚର୍ଚ୍ଚିତ ଓ ପ୍ରତିକ୍ଷୀତ ରିପୋର୍ଟ ପ୍ରସ୍ତୁତ କରିବା ଲାଗି ଗ୍ରହଣ କରାଯାଇଥିବା ପଦ୍ଧତି ଉପରେ ଅସନ୍ତୋଷ ପ୍ରକଟ କରି ୨୦୧୮ ଜାନୁଆରିରେ ବିଶ୍ବବ୍ୟାଙ୍କର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ ପଲ୍ ରୋମର ନିଜ ପଦରୁ ଇସ୍ତଫା ଦେଇଥିଲେ। ଚିଲିର ରୢାଙ୍କିଙ୍ଗ୍ରେ କରାଯାଇଥିବା ଅବନତିର ସେ ପ୍ରତିବାଦ କରିଥିଲେ। ବିଗତ ଚାରି ବର୍ଷରେ ପ୍ରକାଶ କରାଯାଇଥିବା ରିପୋର୍ଟର ପୁନଃ ସମୀକ୍ଷା କରି ରୢାଙ୍କକୁ ପୁଣି ଥରେ ହିସାବ କରିବା ଲାଗି ରୋମର ଚାହୁଥିଲେ। ଯେଉଁ ପାଞ୍ଚ ବର୍ଷ ସମ୍ପର୍କରେ ବିଶ୍ବବ୍ୟାଙ୍କ କହୁଛି ସେହି ସମୟରେ ଭାରତର ରୢାଙ୍କ ୧୩୦ରୁ ଆହୁରି ଉନ୍ନତ ହୋଇ ୬୭ରେ ପହଞ୍ଚିଛି। ୨୦୧୬-୧୭ରେ ଭାରତର ରୢାଙ୍କ ଶ୍ରେଷ୍ଠ ୧୦୦ରେ ପ୍ରବେଶ କରିଥିଲା। ସେହି ସମୟରେ ଚିଲିର ରୢାଙ୍କ୍ ହ୍ରାସ ପାଇଥିଲା। ୨୦୧୨-୧୬ ପର୍ଯ୍ୟନ୍ତ ବିଶ୍ବବ୍ୟାଙ୍କ ଅର୍ଥନୀତିଜ୍ଞ ଭାବେ କାର୍ଯ୍ୟ କରିଥିବା କୌଶିକ ବସୁ କହିଥିଲେ ଯେ ରୢାଙ୍କ୍ ହିସାବ ଲାଗି ପଦ୍ଧତିରେ କରାଯାଇଥିବା ପରିବର୍ତନର ଲାଭ ଭାରତକୁ ମିଳିଛି। ୨୦୧୮ ଫେବ୍ରୁଆରିରେ ଶ୍ରୀ ବସୁ ଏ ସମ୍ପର୍କରେ ଏକ ନିବନ୍ଧ ଲେଖିଥିଲେ। ସେଥିରେ ସେ ଉଦାହରଣ ଦେଇଥିଲେ ଯେ, ୨୦୧୪ ଓ ୨୦୧୫ ଭିତରେ ଭାରତର ରୢାଙ୍କ ୧୪୨ରୁ ଉନ୍ନୀତ ହୋଇ ୧୩୦ରେ ପହଞ୍ଚିଥିଲା। ଯେଉଁ ୧୨ଟି କ୍ଷେତ୍ରରେ ଭାରତ ଉନ୍ନତି ହାସଲ କରିଛି ବୋଲି ପ୍ରଦର୍ଶନ କରାଯାଇଥିଲା ସେଥି ମଧ୍ୟରୁ ମାତ୍ର ଚାରିଟି କ୍ଷେତ୍ରର ପ୍ରତିଫଳନ ଭାରତରେ ଦେଖିବାକୁ ମିଳିଥିଲା। ବଳକା କ୍ଷେତ୍ରର ଉନ୍ନତି କେବଳ ହିସାବ ପଦ୍ଧତିରେ କରାଯାଇଥିବା ପରିବର୍ତନ ଯୋଗୁଁ ସମ୍ଭବ ହୋଇଥିଲା। ତେବେ ବସୁ ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ଇଜ୍ ଅଫ୍ ଡୁଇଂ ବିଜନେସ୍ ରିପୋର୍ଟ ପ୍ରସ୍ତୁତ କରିବାରେ ଏକ ବହୁତ ବଡ଼ ଟିମ୍ କାର୍ଯ୍ୟ କରୁଛି। ସେମାନେ ବିଶ୍ବର ବିଭିନ୍ନ ସ୍ଥାନରୁ ଅର୍ଥନୈତିକ ତଥ୍ୟ ସଂଗ୍ରହ କରିଥାନ୍ତି। ତଥ୍ୟଗୁଡ଼ିକୁ ବିଭିନ୍ନ ସ୍ତରରେ ଯାଞ୍ଚ କରାଯାଇଥାଏ। ସେ ନିଜେ ସମ୍ପୂର୍ଣ୍ଣ ପ୍ରକ୍ରିୟାର ତଦାରଖ କରିଥିଲେ। ତଥ୍ୟ ସହ ହେରଫେର ହୋଇଥିବାର କୌଣସି ସଙ୍କେତ ମୁଁ ଦେଖିନାହିଁ ବୋଲି ସେ ଲେଖିଥିଲେ।