Mon. Feb 24th, 2025

ଦିବ୍ୟାଙ୍ଗଙ୍କୁ ଖାଦ୍ୟ ସୁରକ୍ଷା ସହାୟତା କେବେ?

1 min read
Spread the love

ଭୁବନେଶ୍ୱର : ଉଭୟ କେନ୍ଦ୍ର ଓ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାରୁ ପାଖାପାଖି ୩ କୋଟି ଲୋକ ସାମିଲ୍ ହୋଇପାରିଛନ୍ତି। ଲକ୍ଷ ଲକ୍ଷ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ଫାଇଦା ଉଠାଉଥିବା ନେଇ ବହୁ ସମୟରେ ଅଭିଯୋଗ ହୋଇଆସୁଛି। ମାତ୍ର ପରିତାପର କଥା ଦୀର୍ଘ ବର୍ଷ ପରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଦିବ୍ୟାଙ୍ଗମାନେ ଏହି ଯୋଜନାରେ ସାମିଲ୍ ହୋଇପାରିନାହାନ୍ତି। ସରକାରୀସ୍ତରରେ ହେଉଥିବା ବିଭିନ୍ନ ଅବହେଳା କାରଣରୁ ବହୁ ଦିବ୍ୟାଙ୍ଗ ଏହି ଯୋଜନାର ସୁଫଳ ପାଇ ପାରିନାହାନ୍ତି। ଏମିତିକି ପ୍ରଶାସନର ଉଦାସୀନତା ପାଇଁ ଶହ ଶହ ଦିବ୍ୟାଙ୍ଗ ଆଜି ପର୍ଯ୍ୟନ୍ତ ପ୍ରମାଣପତ୍ରଟିଏ ମଧ୍ୟ ପାଇ ପାରିନାହାନ୍ତି। ରାଜ୍ୟରେ ସ୍ବତନ୍ତ୍ର କମିସନ ଥିବା ବେଳେ ଓଡ଼ିଶା ବିକଳାଙ୍ଗ ମଞ୍ଚ ଭଳି ବହୁ ସ୍ବେଚ୍ଛାସେବୀ ସଂଗଠନ ଏମାନଙ୍କ ପାଇଁ କାମ କରୁଥିଲେ ମଧ୍ୟ ବହୁ ଦିବ୍ୟାଙ୍ଗ ଆଜି ପର ହାତ ଟେକାକୁ ଅପେକ୍ଷା କରୁଛନ୍ତି।

ଓଡ଼ିଶା ବିକଳାଙ୍ଗ ମଞ୍ଚର ସଭାପତି ନିରଞ୍ଜନ ବେହେରାଙ୍କ କହିବା କଥା, ୨୦୧୧ ଜନସଂଖ୍ୟା ପରିସଂଖ୍ୟାନ ଅନୁସାରେ, ରାଜ୍ୟରେ ପ୍ରାୟ ୧୦ରୁ ୧୨ଲକ୍ଷ ଦିବ୍ୟାଙ୍ଗ ଅଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ୫ ଶତକଡ଼ା ହିସାବରେ ପ୍ରାୟ ୧୫ ଲକ୍ଷ ଦିବ୍ୟାଙ୍ଗ ଏହି ଯୋଜନାରେ ସାମିଲ ହେବା କଥା। ଅର୍ଥାତ୍ ସରକାରଙ୍କ ନିଷ୍ଠା ଥିଲେ ଆଜି ରାଜ୍ୟର ସମସ୍ତ ଦିବ୍ୟାଙ୍ଗ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ସାରିଥାଆନ୍ତେ। ମାତ୍ର ତାହା ସମ୍ଭବ ହୋଇପାରିନାହିଁ। ତାଙ୍କ ଅଭିଯୋଗ ଅନୁସାରେ, କଟକ ଜିଲ୍ଲାର ଗାନ୍ଧୀ କୁଷ୍ଠାଶ୍ରମ ବା କଲୋନିରେ ଥିବା ୩୭ଜଣ ଦିବ୍ୟାଙ୍ଗ ଆଜି ପର୍ଯ୍ୟନ୍ତ ଏହି ଯୋଜନାରେ ସାମିଲ୍ ହୋଇପାରିନାହାନ୍ତି। ଦୀର୍ଘ ବର୍ଷ ଧରି ସେମାନେ ଆବେଦନ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ରାସନ କାର୍ଡ ମିଳିନାହିଁ। ସେହିଭଳି ନେହେରୁ ଲେପ୍ରୋସି କଲୋନିରୁ ୮ଜଣ ଓ ପୁରୀରୁ ୧୪ ଜଣ ଦିବ୍ୟାଙ୍ଗ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ହୋଇପାରିନାହାନ୍ତି। ସେହିପରି ଭୁବନେଶ୍ବରରେ ରହୁଥିବା ପ୍ରତ୍ୟୁଷ ଦାସ, ରିତ୍ବିକ ରଥ, ବିଜେବି ନଗରର ଅଭିଷେକ ସାମନ୍ତରାୟ, ବରମୁଣ୍ଡାର ଶ୍ରୀମାନ ଖଟୁଆ, ସୁଦୀପ୍ତା ମିଶ୍ରଙ୍କ ଭଳି ବହୁ ଦିବ୍ୟାଙ୍ଗ ଆଜି ପର୍ଯ୍ୟନ୍ତ ଏହି ଯୋଜନାରୁ ବଞ୍ଚିତ ହୋଇଆସିଛନ୍ତି। ସେହିଭଳି ନୂଆପଲ୍ଲୀ ନୀଳକଣ୍ଠସାହି ବସ୍ତିରେ ରହୁଥିବା ଦିବ୍ୟାଙ୍ଗ ପବିତ୍ର ସାହୁ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରମାଣପତ୍ରଟିଏ ପାଇନାହାନ୍ତି। ଫଳରେ ସେ ସରକାରଙ୍କ ବିଭିନ୍ନ ସୁବିଧା ଓ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି।

Copyright © All rights reserved.