ଦୀପାବଳି ବଜାରରେ ୭୨ ହଜାର କୋଟିର ବ୍ୟବସାୟ କଲେ ଭାରତୀୟ ବ୍ୟବସାୟୀ, ୪୦ ହଜାର କୋଟିର କ୍ଷତି ସହିଲା ଚୀନ
1 min read
ନୂଆଦିଲ୍ଲୀ : ଚୀନ ଓ ଭାରତ ମଧ୍ୟରେ ଉତ୍ତେଜନା ପରିପ୍ରେକ୍ଷୀରେ ଚୀନା ସାମଗ୍ରୀ ବର୍ଜନ ପାଇଁ ଏଥର ସାରା ଦେଶରେ ଦାବି ଉଠିଥିଲା । ବିଶେଷକରି ଦୀପାବଳିରେ ଚୀନ ସାମଗ୍ରୀ ବଦଳରେ ଭାରତୀୟ ସାମଗ୍ରୀ କିଣିବା ଉପରେ ଲୋକମାନେ ଗୁରୁତ୍ବ ଦେଇଥିଲେ । ଏହାର ଫଳସ୍ବରୂପ ଭାରତୀୟ ବ୍ୟବସାୟୀମାନେ ଏଥରର ଦୀପାବଳୀ ଋତୁରେ ପ୍ରାୟ ୭୨ ହଜାର କୋଟି ଟଙ୍କାର ବ୍ୟବସାୟ କରିଛନ୍ତି ।
ଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ଏଥର ଦୀପାବଳୀ ଋତୁରେ ଭାରତୀୟ ବ୍ୟବସାୟୀମାନେ ପ୍ରାୟ ୭୨ ହଜାର କୋଟି ଟଙ୍କାର ବ୍ୟବସାୟ କରିଛନ୍ତି । ପ୍ରତିବର୍ଷ ଏହି ବ୍ୟବସାୟର ଏକ ବଡ଼ ଭାଗ ଚୀନକୁ ଯାଇଥାଏ । କିନ୍ତୁ ଏଥର ଚୀନରୁ ରପ୍ତାନି ହ୍ରାସ ଓ ଚୀନ ଦ୍ରବ୍ୟର ବର୍ଜନ ଡାକରା ମଧ୍ୟରେ ଭାରତୀୟ ବ୍ୟବସାୟୀଙ୍କ ଲାଭ ଓ ଚୀନର କ୍ଷତି ହୋଇଛି । ମହାସଂଘ ଦ୍ବାରା କରାଯାଇଥିବା ଏକ ଅଟକଳ ଅନୁସାରେ ଚଳିତ ଦୀପାବଳି ଋତୁରେ ଚୀନର ପ୍ରାୟ ୪୦ ହଜାର କୋଟି ଟଙ୍କାର କ୍ଷତି ହୋଇଛି ।ତେବେ ଏଥର ବାଣ ଫୁଟାଇବା ଉପରେ ସରକାରଙ୍କ ନିଷେଧାଜ୍ଞା ଫଳରେ ଦେଶର ଛୋଟ ବ୍ୟବସାୟୀ ଓ ବାଣ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକର ପ୍ରାୟ ୧୦ ହଜାର କୋଟିର କ୍ଷତି ହୋଇଛି । ବାଣ ଶିଳ୍ପର ଏହି କ୍ଷତିପାଇଁ ବିଭିନ୍ନ ରାଜ୍ୟ ସରକାରମାନେ କ୍ଷତିପୂରଣ ଦେବାକୁ ମହାସଂଘ ପକ୍ଷରୁ ଦାବି କରାଯାଇଛି ।