Fri. Nov 22nd, 2024

ଧୋନିଙ୍କ ଆଇପିଏଲ୍ ବିବାଦ, ଶ୍ରୀକାନ୍ତଙ୍କ ସମାଲୋଚନା

1 min read
Spread the love

ଦୁବାଇ: କ୍ୟାପ୍ଟେ‌ନ୍ କୁଲ୍ ଧୋନି ଆଉ ଆଗ ଭଳି ନାହାନ୍ତି! ବୟସ ବଢ଼ିବା ସହ ଅନେକ ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସୁଛନ୍ତି ‌ସେ। ଶାନ୍ତ ଓ ବରଫ ଭଳି ଶୀତଳ ସ୍ବଭାବ ପାଇଁ ପରିଚିତ ଧୋନି କେତେବେଳେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରୁଛନ୍ତି ତ ଆଉ କେତେ ବେଳେ ପଡ଼ିଆ ଭିତରକୁ ଧଶେଇ ପଶୁଛନ୍ତି। ଧୋନିଙ୍କ ଏଭଳି ରୂପକୁ କିନ୍ତୁ ପ୍ରଶଂସକ ସହଜରେ ଗ୍ରହଣ କରିପାରୁନାହାନ୍ତି। ସାଥୀ ଓ ପୂର୍ବତନ ‌ଖେଳାଳି ବି ଚକିତ ହୋଇ ଯାଉଛନ୍ତି। ଚଳିତ ଋତୁରେ ଚେନ୍ନାଇ ସୁପରକିଙ୍ଗ୍ସର ଦୁର୍ବଳ ପ୍ରଦର୍ଶନ ସହ ବ୍ୟକ୍ତିଗତ ଭାବେ ଭଲ ଖେଳି ନପାରିବା ଧୋନି ଏଭଳି ବ୍ୟବହାର କରିବାର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ରାଜସ୍ଥାନ ରୟାଲ୍ସଠାରୁ ଚେନ୍ନାଇ ସୁପରକିଙ୍ଗ୍ସ ୭ ୱିକେଟ୍‌ରେ ପରାଜିତ ହେବା ପରେ ଧୋନି ଦେଇଥିବା ମନ୍ତବ୍ୟ ମଧ୍ୟ ଏବେ ବିବାଦ ଘେରକୁ ଆସିଛି। ଏଭଳି ସ୍ଥିତିରେ ଧୋନିଙ୍କ ପ୍ରମୁଖ ଆଇପିଏଲ୍ ବିବାଦ ଉପରେ ଆସନ୍ତୁ ନଜର ପକାଇବା।

ଚଳିତ ଆଇପିଏଲ୍‌ରେ ୧୦ ମ୍ୟାଚ୍‌ ଖେଳିସାରିବା ପରେ ମଧ୍ୟ ପଏଣ୍ଟ୍‌ ତାଲିକାର ସର୍ବନିମ୍ନ ସ୍ଥାନରୁ ଉଠିପାରୁନଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ସୋମବାର ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ହାରିଯିବା ପରେ ବିଶେଷକରି ଯୁବ ତାରକାଙ୍କ ଉପରେ ଯେଭଳି ଟିପ୍ପଣୀ ଦେଇଛନ୍ତି ତାକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ୧୯୮୩ ବିଶ୍ବକପ୍‌ ବିଜେତା ଦଳର ସଦସ୍ୟ କୃଷ୍ଣମାଚାରୀ ଶ୍ରୀକାନ୍ତ। ଚେନ୍ନାଇ ଦଳ ଚଳିତ ସଂସ୍କରଣରେ ପରାଜୟ ବରଣ କରିଚାଲିଥିଲେ ସୁ୍ଦ୍ଧା କେଦାର ଯାଦବ ଏବଂ ପୀୟୂଷ ଚାୱଲାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ବଜାୟ ରଖିବା ନେଇ ଧୋନିଙ୍କୁ ପ୍ରଶ୍ନ କରାଯାଇଥିଲା। ରାଜସ୍ଥାନ ରୟାଲ୍‌ସ ନିକଟରୁ ପରାସ୍ତ ହେବା ପରେ ‌ଧୋନି ମନ୍ତବ୍ୟ ରଖିଥିଲେ; ଅଧିକାଂଶ ଯୁବ ତାରକା ଚମକହୀନ ହୋଇଥିବା ସେ ଦେଖିଥିଲେ। ତେଣୁ ବରିଷ୍ଠ ତଥା ଅଭିଜ୍ଞତାକୁ ଦୃଷ୍ଟିରେ ରଖି କେଦାର ଓ ପୀୟୂଷଙ୍କୁ ୧୧ ଜଣଙ୍କ ମଧ୍ୟରେ ଖେଳାଯାଉଥିଲା। ଏହାର ମାନେ ଯୁବତାରକାଙ୍କ ପ୍ରତି ଧୋନିଙ୍କ ଆସ୍ଥା ଓ ବିଶ୍ବାସ ନଥିବା ତାଙ୍କ ଟିପ୍ପଣୀରୁ ସ୍ପଷ୍ଟ ହୋଇଯାଇଥିଲା। ଯୁବତାରକାଙ୍କ ସଂପର୍କରେ ଏଭଳି ଟିପ୍ପଣୀ ‌ଧୋନିଙ୍କଠାରୁ ଶୁଣିବା ପରେ ଶ୍ରୀକାନ୍ତଙ୍କ ଆଖିରେ ଲୁହ ଭରିଯାଇଥିଲା। କେଦାର ଯାଦବ ୮ ମ୍ୟାଚ୍‌ ଖେଳି ମାତ୍ର ୬୨ ରନ୍‌ କରିଥିଲା ବେଳେ ତାଙ୍କୁ ବାରମ୍ବାର ସୁଯୋଗ ମିଳୁଛି। ହେଲେ ପ୍ରଥମ ୧୦ ମ୍ୟାଚ୍‌ରେ ଜଣେ ହେଲେ ଯୁବ ତାରକାଙ୍କୁ ଖେଳାନଯିବା ଧୋନିଙ୍କ ମନମାନୀର ପରିଚାୟକ ବୋଲି ଶ୍ରୀକାନ୍ତ କହିଛନ୍ତି।

Copyright © All rights reserved.