ନିର୍ଦ୍ଧାରିତ ତାରିଖରେ ହେବ ନିଟ୍-ଜେଇଇ ପରୀକ୍ଷା
1 min readନୂଆଦିଲ୍ଲୀ: ନିଟ୍ ଏବଂ ଜେଇଇ ପରୀକ୍ଷା ପରିଚାଳନା ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି। ଜଷ୍ଟିସ ଅରୁଣ ମିଶ୍ରଙ୍କ ଏକ ଖଣ୍ଡପୀଠ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ସକୁ ସ୍ଥଗିତ ରଖିବାର ଆବେଦନକୁ ଖାରଜ କରିଦେଇଛନ୍ତି। ଅବେଦନକୁ ଖାରଜ କରିବା ସହିତ ପରୀକ୍ଷାକୁ ନିର୍ଦ୍ଧାରିତ ତାରିଖରେ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ପ୍ରଶ୍ନ କରିଛି ଯେ ଦେଶରେ ସବୁକିଛି ବନ୍ଦ କରାଯିବା ଉଚିତ କି? ଏପରି ମୂଲ୍ୟବାନ ବର୍ଷ ନଷ୍ଟ ହେବା ଉଚିତ୍ କି?
ସୂଚନା ମୁତାବକ, କୋଭିଡ -୧୯ ସଂକ୍ରମଣର ବୃଦ୍ଧି ହେତୁ ସେପ୍ଟେମ୍ବରରେ ପ୍ରସ୍ତାବିତ ଜେଇଇ ମେନ୍ସ ଏବଂ ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖିବାକୁ ଆବେଦନ କରାଯାଇଥିଲା। ୧୧ଟି ରାଜ୍ୟରୁ ୧୧ ଜଣ ଛାତ୍ର ଏହି ପରୀକ୍ଷା ସ୍ଥଗିତ ରଖିବାକୁ ଅନୁରୋଧ କରି ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯାହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଜେଇଇ ପରୀକ୍ଷା ସେପ୍ଟେମ୍ବର ୧ରୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ହେବ | ଏଥି ସହିତ ସେପ୍ଟେମ୍ବର ୧୩ରେ ନିଟ୍ ପରୀକ୍ଷା ହେବାର ଯୋଜନା ରହିଛି |କରୋନା ଭୂତାଣୁ ମହାମାରୀକୁ କାରଣ ଦର୍ଶାଇ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ର ଜୁଲାଇ ୩ନୋଟିସକୁ ସ୍ଥଗିତ କରିବାକୁ ଏହି ଆବେଦନ କରାଯାଇଥିଲା। ଏହି ବିଜ୍ଞପ୍ତି ମାଧ୍ୟମରେ ଏନଟିଏ ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମେନ୍, ଏପ୍ରିଲ୍ ୨୦୨୦ ଏବଂ ନିଟ୍ ୟୁଜିକୁ ସେପ୍ଟେମ୍ବରରେ କରିବାକୁ ନିଷ୍ପତ୍ତି ନେଇଥିଲା |