Fri. Nov 22nd, 2024

ନୂଆବର୍ଷରୁ ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ, ଏନ୍‌ଏଚ୍‌ଏଆଇ ଚଳାଇଛି ଡ୍ରାଏ ରନ୍‌

1 min read
Spread the love

ଭୁବନେଶ୍ବର: ଜାନୁଆରି ୧ ତାରିଖରୁ ଟୋଲ୍‌ପ୍ଲାଜାରେ ଆଉ ନଗଦ କାରବାର ହେବ ନାହିଁ। ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ସମସ୍ତ ଗାଡ଼ି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କରିବାକୁ ବାଧ୍ୟ। ଯଦି ଗାଡ଼ିଗୁଡ଼ିକ ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ନ କରି ଟୋଲ୍‌ ପ୍ଲାଜା ଭିତରେ ପ୍ରବେଶ କରନ୍ତି ତେବେ ମାଲିକ ନାମରେ ଇ-ଚାଲାଣ କଟାଯିବ। ତାହା ମାଲିକ ଠିକଣାରେ ଘରକୁ ଯିବ। ତାହା ପୁଣି ଦୁଇଗୁଣ। ଗୋଟିଏ ପରିଶୋଧ ନ ହୋଇ ଆଉ ଗୋଟିଏ କଟା ଗଲେ ମାମଲା ଯିବ କୋର୍ଟକୁ। ଏଭଳି କଡ଼ା‌ ବ୍ୟବସ୍ଥା ଜାନୁଆରି ଠାରୁ ହେବାକୁ ଯାଉଛି। ଏହି ଫାସ୍‌ଟ୍ୟାଗ୍‌ କଡ଼ାକଡ଼ି ହେବା ପୂର୍ବରୁ ଆଜି ଏନ୍‌ଏଚ୍‌ଏଆଇ ଆଞ୍ଚଳିକ ଅଧିକାରୀ ରାମପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ଏକ ଦଳ ରାଜ୍ୟରେ ଥିବା ୧୪ଟି ଟୋଲ୍‌ ପ୍ଲାଜାରେ ବୁଲି ଭିତ୍ତିଭୂମି ଯାଞ୍ଚ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରତ୍ୟେକ ଟୋଲ୍‌ ପ୍ଲାଜାରେ ଡ୍ରାଏ ରନ୍‌ ବା ପରୀକ୍ଷଣ ଚାଲିଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ବ୍ୟବସ୍ଥା କାମ କରୁଥିବା ନିଶ୍ଚିତ କରିବାକୁ କୁହାଯାଇଛି। ଫାସ୍‌ଟ୍ୟାଗ୍‌ ସହ ଓ ବିନା ଫାସ୍‌ଟ୍ୟାଗ୍‌ରେ ଗାଡ଼ିଗୁଡ଼ିକୁ ଟୋଲ୍‌ପ୍ଲାଜା ଦେଇ ନିଆଯାଇଛି। ପ୍ରତ୍ୟେକ ଟୋଲପ୍ଲାଜାରେ ଏହାର ସଫଳ ପରୀକ୍ଷଣ ହୋଇଥିବା ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଛି।

ବନ୍ଦ ହେବ ଇଟିସି ଲେନ୍‌: ପ୍ରତ୍ୟେକ ଟୋଲ୍ ପ୍ଲାଜାରେ ଇଟିସି(ଇଲେକ୍ଟ୍ରୋନିକ ଟୋଲ କଲେକ୍ସନ) ଲେନ୍‌ ରହିଛି। ଏବେ ଏହି ଲେନ୍‌ରେ କେବଳ ନଗଦ କାରବାର କରାଯାଉଛି। ଅନେକ ଗାଡ଼ି ଏହି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା କରିନ ଥିବାରୁ ଏହି ଲେନ୍‌ ଦେଇ ଯିବା‌ ବେଳେ ନଗଦ କାରବାର କରୁଛନ୍ତି। ଜାନୁଆରି ୩୧ ତାରିଖ ଦିନ ଏହି ଲେନ୍‌କୁ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି। ବିନା ଫାସ୍‌ଟ୍ୟାଗ୍‌ରେ ‌ଟୋଲପ୍ଲାଜା ଅତିକ୍ରମ କଲେ ଆପେ ଆପେ ଇ-ଚାଲାଣ କଟାଯିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ୨୪ ଘଣ୍ଟା ଭିତରେ ଫେରିଲେ ଅଧା : ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ଟୋଲ୍‌ ଗେଟ୍‌ ଦେଇ ଫେରିଲେ ଗାଡ଼ିଚାଳକକୁ ଯିବାବେଳେ ଯେତିକି ଅର୍ଥ ଦେବାକୁ ପଡ଼ିବ ଫେରିବା ବେଳେ ତାହାର ଅଧା ଦେବାକୁ ହେବ। ଅର୍ଥାତ ଯିବାବେଳେ ଆକାଉଣ୍ଟରୁ ଶୁଳ୍କ ବାବଦରେ ଯେତିକି କଟିବ ଫେରିବା ବେଳେ ତାହାର ଅଧା କଟିବ। ଏଣୁ ଏଥିରେ ଦ୍ବନ୍ଦ୍ବ ହେବାର ନାହିଁ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Copyright © All rights reserved.