Fri. Nov 22nd, 2024

ନୂଆବର୍ଷ ଉପହାର: ୧୦୦ କୋଟିର ବେପାର ସୁଯୋଗ

1 min read
Spread the love

ଭୁବନେଶ୍ବର: ଆଉ ମାତ୍ର କିଛିଦିନ ପରେ ବିଦାୟ ନେବ ୨୦୨୦ ମସିହା। ୨୦୨୧ ମସିହା ଆସିବ। ନୂଆବର୍ଷରେ ଲୋକେ ପରସ୍ପରକୁ ଶୁଭେଚ୍ଛା ଜଣାଇବେ। ଉପହାର ଦେବେ। ଭଲ ପାଇବାର ଭାବନାକୁ ପରିପ୍ରକାଶ କରିବେ। ଏଥିପାଇଁ ଉପହାର ବଜାର ଚଳଚଞ୍ଚଳ ହୋଇଉଠିଲାଣି। ଡାଏରି ଠାରୁ ଆରମ୍ଭ କରି କ୍ୟାଲେଣ୍ଡର, ଦାମୀ କଲମ, ଗ୍ରିଟିଙ୍ଗ୍‌ସ କାର୍ଡ, ଚକଲେଟ୍‌, ଫୁଲ ତୋଡ଼ା, କେକ୍‌, ମିଠା ସମେତ ବିଭିନ୍ନ ପ୍ରକାର ଫ୍ୟାନ୍ସି ସାମଗ୍ରୀ ବଜାରରେ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷକରି ଉପହାର ଓ କାର୍ଡ ଦୋକାନ ଗୁଡ଼ିକରେ ଗହଳି ଲାଗିବା ଆରମ୍ଭ ହୋଇଯାଇଛି। ‌ତେବେ ଚଳିତବର୍ଷ କରୋନା ମହାମାରୀ ଏହି ବଜାରକୁ କିଛି ମାତ୍ରାରେ ପ୍ରଭାବିତ କରିଛି। ବ୍ୟବସାୟୀଙ୍କ କହିବାନୁଯାୟୀ ଉପହାର ବ୍ୟବସାୟ ଗତଥର ଭଳି ହେବନାହିଁ। କରୋନା ପାଇଁ ଲୋକେ ଦୋକାନକୁ ଆସିବା ଲାଗି କୁଣ୍ଠା ପ୍ରକାଶ କରୁଛନ୍ତି। ବିକ୍ରି ପାଖାପାଖି ୫୦ ପ୍ରତିଶତ କମିଯାଇଛି। କେତେକ କାର୍ଯ୍ୟାଳୟରେ ଏବେ ବି କମ୍ କର୍ମଚାରୀରେ କାମ ହେଉଛି। ତେଣୁ ଡାଏରି, କଲମ ଆଦି ବ୍ୟବସାୟ ପୂର୍ବଭଳି ହେଉନାହିଁ। କିନ୍ତୁ କ୍ରକେରି ଏବଂ ଥର୍ମୋଫ୍ଲାସ୍କ ଭଳି ସାମଗ୍ରୀର ବିକ୍ରି ପୂର୍ବଭଳି ରହିଛି ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି।

ଏଥର ନୂଆବର୍ଷରେ ଡାଏରି ଏବଂ କ୍ୟାଲେଣ୍ଡର ବିକ୍ରି କମ୍‌ ରହିବାର ପ୍ରମୁଖ କାରଣ କରୋନା ବୋଲି ରାଜଧାନୀର ଜଣେ ପ୍ରମୁଖ ‌ଉପହାର ସାମଗ୍ରୀ ସୋ’ରୁମ୍‌ର ସ୍ବତ୍ବାଧିକାରୀ ମତ ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ମାର୍ଚ୍ଚ ମାସରୁ ଲକଡାଉନ୍ ଆରମ୍ଭ ହୋଇଗଲା। ଏଥିପାଇଁ ଯୋଗାଣ ଶୃଙ୍ଖଳ ବ୍ୟାହତ ହେଲା। ଗ୍ରାହକଙ୍କଠାରୁ ଆମେ ନୂଆ ସାମଗ୍ରୀ ବିକ୍ରି ପାଇଁ ଆଦେଶ ପାଇଲୁନାହିଁ। ସେଥିପାଇଁ ନିର୍ମାତାମାନଙ୍କୁ ଆମେ କ୍ରୟ ଆଦେଶ ‌ଦେଇପାରିଲୁନାହିଁ। ଆମ ମନରେ ଆଶଙ୍କା ରହିଲା ନୂଆବର୍ଷ ବେଳକୁ ବଜାର ସ୍ଥିତି କ’ଣ ରହିଥିବ। ଡାଏରି ଛପାଇଲେ ଯଦି ସେଗୁଡ଼ିକ ବିକ୍ରି ହେବନାହିଁ ତାହେଲେ ଟଙ୍କା ପାଣିରେ ପଡ଼ିଯିବ। ତେଣୁ ଡାଏରି ପରିବର୍ତ୍ତେ ତାରିଖ ଲେଖା ନଥିବା ନୋଟ୍‌ବୁକ୍‌ ବରାଦ ଅଧିକ ସଂଖ୍ୟାରେ ଦିଆଯାଇଛି। କିନ୍ତୁ ରାଜ୍ୟରେ ନୂଆବର୍ଷ ଉପହାର ବଜାର ଆକାର ଯଦିଓ କେତେ ତାହା ନିର୍ଦ୍ଦି‌ଷ୍ଟ ଭାବେ କହିବା କଷ୍ଟକର ତଥାପି ଏହା ୧୦୦ କୋଟିରୁ ଅଧିକ ହେବ ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ବ୍ୟବସାୟୀଙ୍କ ପାଇଁ ନୂଆବର୍ଷ ଉପଲକ୍ଷେ ଏତେବଡ଼ ବ୍ୟବସାୟ ସୁଯୋଗ ରହିଥିବାରୁ ସେମାନେ ଉତ୍ସାହିତ ହୋଇପଡ଼ିଛନ୍ତି।

Copyright © All rights reserved.