Fri. Nov 22nd, 2024

ନୂଆ ରଣନୀତି ପାଇଁ ବିଜେଡିର କସରତ

1 min read
Spread the love

ଭୁବନେଶ୍ବର : ଆସନ୍ତା ୨୦ ତାରିଖରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ୨୧ ତାରିଖରେ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ଆଜି ବିଜେଡିର ବରିଷ୍ଠ ନେତାମାନେ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଡାକି ଏହି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଆସନ୍ତା ଡିସେମ୍ବର ୨୬ ତାରିଖ ଦିନ ବିଜେଡିର ପ୍ରତିଷ୍ଠା ଦିବସ। ଦଳକୁ ୨୩ ପୂରି ୨୪ ଚାଲିବ। ତେଣୁ ଏଥର ଓଡ଼ିଶାର ସମସ୍ତ ନିର୍ବାଚନ ମଣ୍ଡଳୀ, ପୌରାଞ୍ଚଳ ଏବଂ ବ୍ଲକ୍‌ସ୍ତରରେ କୋଭିଡ୍ କଟକଣା ଭିତରେ ପ୍ରତିଷ୍ଠା ଦିବସ ପାଳନ ପାଇଁ ସ୍ଥିର ହୋଇଛି।

ବିଜେଡି ବରିଷ୍ଠ ଉପସଭାପତି ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ର, ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ଼ର ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଏବଂ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଗଣମାଧ୍ୟମକୁ ଦଳର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।ବିଜେଡି ପକ୍ଷରୁ କୁହାଯାଇଛି ଯେ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଆଜି ଓଡ଼ିଶାର ବୃହତ୍ତମ ଓ ଭାରତବର୍ଷରେ ଏକ ନମ୍ବର ଆଞ୍ଚଳିକ ଦଳରେ ପରିଣତ ହୋଇଛି। ୨୬ ତାରିଖରେ ଦଳର ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ କାର୍ଯ୍ୟକାରିଣୀ ବୈଠକ ଏବଂ ପରିବର୍ଦ୍ଧିତ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ଏଥିରେ ଦଳର ସାଙ୍ଗଠନିକ ବିଷୟଠାରୁ ଆରମ୍ଭ କରି ରାଜନୈତିକ ଓ ଅର୍ଥନୈତିକ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରସ୍ତାବ ଆସିବ। ଏଥିସହ ଦଳର ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ରୂପରେଖ ପ୍ରସ୍ତୁତ ହେବ ଏବଂ ଏ ସମ୍ପର୍କରେ ମଧ୍ୟ ପ୍ରସ୍ତାବ ଗ୍ରହଣ କରାଯିବ। ଏହି ପରିପ୍ରେକ୍ଷୀରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ବଣ୍ଟନ କରାଯିବା ସହ ଆଗାମୀ ଦିନ ପାଇଁ ଦଳର ରଣକୌଶଳ ନିର୍ଦ୍ଧାରଣ କରାଯିବ। ବିଭିନ୍ନ ଦୃଷ୍ଟିକୋଣରୁ ଏହି ଦୁଇ ଦିନିଆ ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ନେତାମାନେ କହିଥିଲେ।

Copyright © All rights reserved.