ପରାଜୟ ଧାରା ଭାଙ୍ଗିଲା, ଚେନ୍ନାଇ ୧୦ ୱିକେଟରେ ବିଜୟୀ
1 min read
ଦୁବାଇ: ପରାଜୟ ଧାରା ଭାଙ୍ଗିବାରେ ସଫଳ ହୋଇଛି ୩ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ। ସେନ୍ ୱାଟସନ୍ ଫର୍ମକୁ ଫେରିବା ସହ ଚେନ୍ନାଇ ଭାଗ୍ୟରେ ବଡ଼ ପରିବର୍ତନ ଆଣିଛି। ରବିବାରର ରାତି ମ୍ୟାଚ୍ରେ ଚେନ୍ନାଇ ଏକତରଫା ଭାବେ ୧୦ ୱିକେଟରେ କିଙ୍ଗ୍ସ ଇଲେଭେନ୍ ପଞ୍ଜାବକୁ ପରାସ୍ତ କରିଛି। ପୂର୍ବ ୪ ମ୍ୟାଚ୍ରୁ ମୋଟ ୫୨ ରନ୍ କରିଥିବା ସେନ୍ ୱାଟସନ୍ ରବିବାର ନିରଂଙ୍କୁଶ ବ୍ୟାଟିଂ କରିଥିଲେ। ମାତ୍ର ୫୩ ବଲରୁ ୮୩* ରନ୍ କରିଥିଲେ। ଫାପ୍ ଡୁ ପ୍ଲେସିସ୍ (୮୭*, ୫୩ ବଲ)ଙ୍କ ସହ ଅତୁଟ ପ୍ରଥମ ୱିକେଟ୍ ପାଇଁ ୧୮୧ ରନ୍ କରି ଦଳକୁ ୧୪ ବଲ ପୂର୍ବରୁ ବଡ଼ ବିଜୟ ଦେଇଥିଲେ। ୧୮୧* ରନ୍ ପ୍ରଥମ ୱିକେଟ୍ ଭାଗୀଦାରି ମଧ୍ୟ ଚେନ୍ନାଇ ପାଇଁ ସର୍ବୋଚ୍ଚ ହୋଇଛି। ପୂର୍ବରୁ ୨୦୧୧ରେ ଆର୍ସିବି ବିପକ୍ଷରେ ମାଇକ୍ ହସି ଏବଂ ମୁରଲୀ ବିଜୟ ୧୫୯ ରନ୍ କରିଥିଲେ।
ପୂର୍ବରୁ ଆଇପିଏଲ୍ର ଏହି ଅଷ୍ଟାଦଶ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ୪ ୱିକେଟ୍ ବିନିମୟରେ ୧୭୮ ରନ୍ କରିଛି। ହ୍ୟାଟ୍ରିକ୍ ପରାଜୟ ବରଣ କରି ଆସିଥିବା ଚେନ୍ନାଇ ଉପରେ ଚାପ ପକାଇବାକୁ ପଞ୍ଜାବ ଚାପ ପକାଇବା ପାଇଁ ପ୍ରଥମେ ବ୍ୟାଟିଂ କରିବାର କୌଶଳ ପ୍ରସ୍ତୁତ କରିଥିଲା। ସ୍ଥିର ପ୍ରଦର୍ଶନ ଦେଉ ଆସୁଥିବା ପଞ୍ଜାବ ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ୍ ଏବଂ ମୟଙ୍କ ଅଗ୍ରୱାଲ୍ ପୁଣି ଏକ ଅର୍ଧଶତକୀୟ ଭାଗୀଦାରି ଗଢ଼ିଥିଲେ। ଏଥର କିନ୍ତୁ ମୟଙ୍କ (୨୬, ୧୯ ବଲ, ୩ ଚୌକା) ବଡ଼ ପାଳି ଖେଳି ପାରିନଥିଲେ। ପୀୟୂଷ ଚାୱଲା ତାଙ୍କୁ କରନ୍ଙ୍କ ହାତରେ କ୍ୟାଚ୍ କରାଇା ୬୧ ରନ୍ ଭାଗୀଦାରିକୁ ଅଲଗା କରି ଦେଇଥିଲେ। ଅଧିନାୟକ କେଏଲ୍ ରାହୁଲ (୬୩, ୫୨ ବଲ, ୭ ଚୌକା, ୧ ଛକା) ଦାୟିତ୍ବପୂର୍ଣ୍ଣ ଅର୍ଧଶତକ ହାସଲ କରିଥିଲେ ମଧ୍ୟ ଡେଥ୍ ଓଭର ବେଳକୁ ଆଉଟ୍ ହୋଇଯିବାରୁ ସମ୍ଭାବ୍ୟ ୨୦୦ ରନ୍ ପୂର୍ବରୁ ଦଳ ଅଟକି ଯାଇଥିଲା। ଅବଶ୍ୟ ମନଦୀପ୍ ସିଂହ (୨୭, ୧୬ ବଲ, ୨ ଛକା), ନିକୋଲାସ୍ ପୂରନ୍ (୩୩, ୧୭ ବଲ୍, ୧ ଚୌକା, ୩ ଛକା) ବିସ୍ଫୋରକ ବ୍ୟାଟିଂ କରିବାରୁ ଏହା ସମ୍ଭବ ହୋଇଥିଲା। ଚେନ୍ନାଇ ପକ୍ଷରୁ ସାର୍ଦୁଲ ଠାକୁର ସର୍ବାଧିକ ୩୯ ରନ୍ ବ୍ୟୟ କରିଥିଲେ ମଧ୍ୟ ଠିକଣା ସମୟରେ ରାହୁଲ ଓ ପୂରନଙ୍କୁ ଲଗାତାର ବଲରେ ଆଉଟ୍ କରିଥିଲେ। ତେବେ ହ୍ୟାଟ୍ରିକ୍ ହାସଲରୁ ବଞ୍ଚିତ ରହିଥିଲେ।