ପିଏସ୍ୟୁ ସଂଖ୍ୟା ୩୦୦ରୁ ୨୪କୁ ଖସିବ
1 min readନୂଆଦିଲ୍ଲୀ: କୌଣସି କ୍ଷେତ୍ରରେ ଏକାଧିକ ସରକାରୀ ସଂସ୍ଥା ରହିବ ନାହିଁ। କେବଳ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ କିଛି ହାତଗଣତି ସଂସ୍ଥା ରହିବ। ଏବେ ଦେଶରେ ୩୦୦ରୁ ଅଧିକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି। ସେଗୁଡ଼ିକ ସଂଖ୍ୟା ଦୁଇ ଡଜନ ପର୍ଯ୍ୟନ୍ତ ହ୍ରାସ କରିବା ଉପରେ ବିଚାର କରାଯାଉଛି। ଅଣ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଥିବା ସଂସ୍ଥାଗୁଡ଼ିକର ଘରୋଇକରଣ କରାଯିବ। କ୍ଷତିରେ ଚାଲୁଥିବା ସଂସ୍ଥାଗୁଡ଼ିକୁ ସବୁଦିନ ପାଇଁ ବନ୍ଦ କରାଯିବ।
କେଉଁ କ୍ଷେତ୍ରରେ କେତୋଟି ସଂସ୍ଥା ରହିବ, କେତୋଟି ସଂସ୍ଥା ବିକ୍ରି ହେବ ଏବଂ ବନ୍ଦ କରାଯିବ ତାହାର ତାଲିକା ପ୍ରସ୍ତୁତ କରିବା କାର୍ଯ୍ୟ ନିତି ଆୟୋଗକୁ ଦିଆଯାଇଛି। ନିତି ଆୟୋଗ ସୁପାରିସ କରିବା ପରେ କ୍ୟାବିନେଟ୍ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଘୋଷଣା କରି ଚାରିଟି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ଚିହ୍ନଟ କରିଛନ୍ତି। ସେହି କ୍ଷେତ୍ରଗୁଡ଼ିକ ହେଉଛି ଆଣବିକ ଶକ୍ତି, ମହାକାଶ, ପ୍ରତିରକ୍ଷା, ପରିବହନ, ଟେଲିଯୋଗାଯୋଗ, ବିଦ୍ୟୁତ ଶକ୍ତି, ପେଟ୍ରୋଲିୟମ୍, କୋଇଲା ଓ ଅନ୍ୟାନ୍ୟ ଖଣିଜ, ବ୍ୟାଙ୍କ, ବୀମା ଓ ଆର୍ଥିକ ସେବା। ଏହି କ୍ଷେତ୍ରଗୁଡ଼ିକରେ ଅତି ବେଶିରେ ତିନି କିମ୍ବା ଚାରିଟି ସରକାରୀ ସଂସ୍ଥା ରହିବ। ଅନ୍ୟ ସବୁ କ୍ଷେତ୍ରରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ସରକାର ବାହାରିଯିବେ। ଫଳରେ ସରକାରୀ ସଂସ୍ଥା ସଂଖ୍ୟା ଦୁଇ ଡଜନ ପାଖାପାଖି ହ୍ରାସ ପାଇବ। ବ୍ୟାଙ୍କ ଓ ବୀମା କଂପାନିରୁ ମଧ୍ୟ ସରକାର ନିଜର ଅଂଶଧନ ହ୍ରାସ କରିବେ। ଘରୋଇକରଣ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଇଏମ୍ଏଲ୍, ଗାର୍ଡେନ ରିଚ୍ ସିପ୍ ବିଲଡର୍ସ ଓ ମିଶ୍ର ଧାତୁ ଭଳି ସଂସ୍ଥା ଚିହ୍ନଟ କରାଯାଇଥିବା ବିଷୟରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ସୂଚନା ଦେଇଛନ୍ତି। ବିଇଏମ୍ଏଲ୍ରେ ଥିବା ୨୬% ସରକାରୀ ଅଂଶଧନ ବିକ୍ରି କରାଯିବ ଓ କଂପାନିର ପରିଚାଳନା ନିୟନ୍ତ୍ରଣ ମଧ୍ୟ ନୂଆ ଗ୍ରାହକଙ୍କୁ ପ୍ରଦାନ କରାଯିବ। ଗାର୍ଡେନ୍ ରିଚ୍ ସିପ୍ ବିଲଡର୍ସରେ ସରକାରଙ୍କ ୭୪.୫% ଓ ମିଶ୍ର ଧାତୁ ନିଗମରେ ୭୪% ଅଂଶଧନ ରହିଛି।