Fri. Feb 7th, 2025

ପିପିଲି ଉପନିର୍ବାଚନ ଉଷ୍ମତା ବଢ଼ିଲା

1 min read
Spread the love

ଭୁବନେଶ୍ବର : ପିପିଲି ବିଧାନସଭା ଆସନରେ କେବେ ଉପନିର୍ବାଚନ ହେବ, ସେ ସଂକ୍ରାନ୍ତରେ ଭାରତର ନିର୍ବାଚନ କମିସନ ଏଯାଏ ତାରିଖ ଘୋଷଣା କରିନାହାନ୍ତି। ଏହି ଆସନ ଦଖଲ ଲାଗି କିନ୍ତୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିସାରିଲେଣି।ଏହି କ୍ରମରେ ବିଜୁ ଜନତା ଦଳ ଆଜି ପିପିଲି ଉପନିର୍ବାଚନ ପାଇଁ ବିଧାୟକ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି। ଦଳ ପକ୍ଷରୁ ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ଦସ୍ତଖତରେ ଏ ସଂକ୍ରାନ୍ତ ନିର୍ଦେଶନାମା ଜାରି ହୋଇଛି। ଏହା ପୂର୍ବରୁ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ବାଳଙ୍କ ନେତୃତ୍ବରେ ଏକ କମିଟି ଗଠନ କରିଥିଲା। ପିପିଲିରେ ଦଳର ପ୍ରାର୍ଥୀ କିଏ ହେବେ; ସେ ଦାୟିତ୍ବ ଦଳ ଏହି କମିଟି ଉପରେ ହିଁ ନ୍ୟସ୍ତ କରିଛି। ତେବେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏଯାଏ ଏଭଳି କୌଣସି କମିଟି ଗଠନ ହୋଇନାହିଁ କିମ୍ବା କୌଣସି ନେତାଙ୍କୁ ବିଧିବଦ୍ଧ ଦାୟିତ୍ବ ଦିଆଯାଇନାହିଁ। ହେଲେ ଦଳର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଘନ ଘନ ଗସ୍ତ କରି ରାଜନୈତିକ ତାତି ସୃଷ୍ଟି କରୁଛନ୍ତି।

ଦିବଂଗତ ବିଧାୟକ ପ୍ରଦୀପ ମହାରଥୀ ପିପିଲି ଆସନରୁ ୭ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହି ଆସନରେ ତାଙ୍କର ବେଶ୍ ପ୍ରଭାବ ରହିଥିଲା। ଗତ ବିଧାନସଭା ନିର୍ବାଚନରେ ମହାରଥୀଙ୍କୁ କଡ଼ା ଟକ୍କର ଦେଇଥିଲା ବିଜେପି। କଂଗ୍ରେସ ଏଠାରେ ତୃତୀୟ ସ୍ଥାନକୁ ଖସିଯାଇଥିଲା। ମହାରଥୀ ୧୫ ହଜାର ୭୮୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।ରାଜନୈତିକ ମହଲର କହିବା କଥା ହେଉଛି, ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ଆସନକୁ ହାତେଇବା ପରେ ଏବେ ବିଜେଡିର ନଜର ପିପିଲି ଉପରେ ରହିଛି। ଏହି ଆସନ ଜିତିଲେ, ଦଳ ହ୍ୟାଟ୍ରିକ୍ କରିବ। ଏହା ପୂର୍ବରୁ ଉଭୟ ବିଜେପୁର ଓ ପାଟକୁରା ଆସନକୁ ବିଜେଡି ହାତେଇ ସାରିଥିବାରୁ ପିପିଲି ଦଖଲ କଲେ, ଏ ସଙ୍କେତ ଯିବ ଯେ ଏବେ ବି ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କ ସମକକ୍ଷ କେହି ନାହାନ୍ତି।ଅନ୍ୟପକ୍ଷରେ କ୍ରମାଗତ ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ କଂଗ୍ରେସ ପାଇଁ ଏହି ଆସନ ଏବେ ସମ୍ମାନର ପ୍ରଶ୍ନ ହୋଇଛି। ଦଳ ଯଦି ପ୍ରଭାବୀ ପ୍ରଦର୍ଶନ ନ କରିବ, ତେବେ କଂଗ୍ରେସ କର୍ମୀ ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଅଧିକ ନିରାଶ ହେବେ ଓ ଦଳକୁ ପ୍ରମୁଖ ନେତାମାନେ ମୁହଁ ମୋଡ଼ିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।ବିଜେପି ପାଇଁ ଏହି ନିର୍ବାଚନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ବାଲେଶ୍ବର ଆସନ ବିଜେଡି ଛଡାଇ ନେବା ପରେ ବିଜେପିକୁ ବିଧାନସଭାରେ ତାର ପୂର୍ବ ସଂଖ୍ୟା ଓ ପତିଆରା ଫେରିପାଇବାକୁ ହେଲେ ପିପିଲି ଆସନ ଜିତିବାକୁ ହେବ। ସମ୍ଭବତଃ ଦଳର ନେତାମାନେ ଏକଥା ବୁଝିଛନ୍ତି। ଗତ କିଛି ଦିନ ଧରି ପୁରୀ ଜିଲ୍ଲାରେ ବିଜେପିର ଘନ ଘନ କାର୍ଯ୍ୟକ୍ରମ ଜାରି ରହିଛି। ଏମିତିରେ ବି ଗତ ନିର୍ବାଚନରେ ପିପିଲିରୁ ଦଳ ପ୍ରାର୍ଥୀ ହୋଇଥିବା ଆଶ୍ରିତ ଏବେ ବିଜେପି ଜିଲ୍ଲା ସଭାପତି ଅଛନ୍ତି ଓ ତାଙ୍କର ସେ ଅଞ୍ଚଳରେ ଭଲ ପ୍ରଭାବ ରହିଛି। ତାଙ୍କ ନିଜ ରାଜନୈତିକ କ୍ୟାରିଅର ପାଇଁ ଏହି ଉପନିର୍ବାଚନ ଅନେକ ଗୁରୁତ୍ବ ରଖେ।ସମାନ୍ତରାଳ ଭାବେ ଯେଉଁମାନେ ସରକାରଙ୍କ ବିରୋଧରେ ହୁ୍‌ଂ କାର ଦେଉଛନ୍ତି ବିଜେପିର ସେହି ମୁଣ୍ଡିଆଳମାନଙ୍କ ପାଇଁ ଏହା ସେତିକି ଗୁରୁତ୍ବପୂର୍ଣ୍ଣ। ଏସବୁ କାରଣରୁ ପିପିଲି ନିର୍ବାଚନମଣ୍ଡଳୀର ଭୋଟ ରାଜନୀତି ଏବେ ବେଶ ସରଗରମ ସ୍ଥିତି ଆଡକୁ ଯାଉଛି।ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଯେଉଁ କୌତୂହଳ ଦିଗ ସଂପର୍କରେ ଆଙ୍ଗୁଠି ଉଠାଉଛନ୍ତି, ତାହା ହେଲା, ତିର୍ତ୍ତୋଲ ଓ ବାଲେଶ୍ବର ସଦର ଭଳି ଅତି ସହଜ ସ୍ଥିତିରେ ନାହିଁ ଏହି ନିର୍ବାଚନମଣ୍ଡଳୀ। ବିଜେଡି ପାଇଁ ଏହି ଆସନକୁ ରଖିବା ଯେତିକି କଷ୍ଟସାଧ୍ୟ, ବିଜେପି ଓ କଂଗ୍ରେସ ପାଇଁ ବି ସେମିତି ସ୍ଥିତି ରହିଛି। ଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି ପିପିଲି ଆସନଟି ଦୁଇଟି ପରିବାର ହାତରେ ରହିଆସିଛି। ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ପ୍ରଦୀପ ମହାରଥୀ ଏବଂ କଂଗ୍ରେସରୁ ଯୁଧିଷ୍ଠିର ସାମନ୍ତରାୟ ପ୍ରାର୍ଥୀ ହୋଇ ଆସୁଥିଲେ। ଗତ ନିର୍ବାଚନରେ ଶେଷ ମୁହୂର୍ତରେ ଶ୍ରୀ ସାମନ୍ତରାୟ ନିର୍ବାଚନରୁ ଓହରିଯାଇଥିଲେ। ଏବେ ଏହି ପରିବାର ବିରୋଧରେ ଗୋଟିଚାଳନା କରୁଥିବା ନେତାମାନେ ସକ୍ରିୟ ହେବା ସ୍ବାଭାବିକ। ଏହା ହିଁ ବିଜେପିର ଭୋଟ୍ ବହୁଗୁଣିତ ହେବା ପଛର ରହସ୍ୟ ବୋଲି କୁହାଯାଉଛି।

Copyright © All rights reserved.