ପିସିସି ସଭାପତି ପରିବର୍ତ୍ତନ ପାଇଁ ସ୍ୱର ଉଠାଉଥିବା ନେତାଙ୍କୁ ତାରାଙ୍କ ଜବାବ
1 min readଭୁବନେଶ୍ବର : ସାରା ଦେଶରେ କଂଗ୍ରେସର ସ୍ଥିତି ଖରାପ। ଓଡ଼ିଶାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କି କାର୍ଯ୍ୟ କରିପାରିଲେନି ଯେ ତାଙ୍କୁ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରାଯାଉଛି। ପିସିସି ସଭାପତି ପରିବର୍ତ୍ତନ ନେଇ ଗୋଟିଏ ଗୋଷ୍ଠୀ ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ସମୟ ମାଗିଥିବାବେଳେ ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମର୍ଥନରେ ଏପରି ଯୁକ୍ତି ଦର୍ଶାଇଛନ୍ତି। ସଭାପତି ପରିବର୍ତ୍ତନ ନେଇ ଯେଉଁମାନେ କହୁଛନ୍ତି, ସେମାନେ କେତେ ଥର ନିର୍ବାଚନ ଜିତିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ବିଧାୟକ ସୁରେଶ କୁମାର ରାଉତରାୟ ଖୋଲାଖୋଲି କହିଛନ୍ତି, ପିସିସି ସଭାପତି ଭାବେ ନିରଞ୍ଜନ ବାବୁ ବହୁ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି। ଯେଉଁମାନେ ଏବେ ତାଙ୍କୁ ହଟାଇବାକୁ କହୁଛନ୍ତି, ସେମାନେ କେବେ ବି କଂଗ୍ରେସ କର୍ମୀ ନୁହନ୍ତି। ସଭାପତି ପରିବର୍ତ୍ତନ ନେଇ ସେ କେବେ ବି ଏ ମେଳିରେ ସାମିଲ ହେବେନି। ଅନ୍ୟପଟେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କୁ ଅସନ୍ତୁଷ୍ଠ ଗୋଷ୍ଠୀ ଭେଟି ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ ସମର୍ଥନ ଲୋଡ଼ିଛନ୍ତି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପଦରୁ ହଟାଇବା ପାଇଁ ଗୋଟିଏ ଗୋଷ୍ଠୀ ସମର୍ଥନ ଯୋଗାଡ଼ରେ ଲାଗିଛନ୍ତି। ଏହି ଗୋଷ୍ଠୀର ଦିଲ୍ଲୀ ଗସ୍ତ ନେଇ ବିଧାୟକ ଶ୍ରୀ ବାହିନୀପତି ପ୍ରଶ୍ନ ଉଠାଇଛନ୍ତି। ସେ କହିଥିଲେ, ‘ ଏମିତି ଦୁଆର ଦୁଆର ବୁଲି କିଛି ଲାଭନାହିଁ ‘। ଏକଥା ସତ, ଦଳର ସ୍ଥିତି ସାରା ଭାରତରେ ଭଲ ନାହିଁ। ଏପରି ଟଣାଓଟରା ଯୋଗୁଁ ଓଡ଼ିଶାରେ ଆଜିକୁ ୨୦ ବର୍ଷ ହେଲାଣି ଦଳ ଲୋକଙ୍କ ବିଶ୍ବାସ ଜିତିପାରୁନି। ଏଆଇସିସିରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା ଯେତେ ଯାହା ହେଲେ ବି ନିରଞ୍ଜନ ବାବୁ ସଭାପତି ରହିବେ। ଦିଲ୍ଲୀ ଯାଇ ପିସିସି ସଭାପତି ପରିବର୍ତ୍ତନ ନେଇ ସୋନିଆ ଗାନ୍ଧୀଙ୍କୁ ଭେଟିବାକୁ ଯେଉଁମାନେ ସମୟ ମାଗିଛନ୍ତି, ସେମାନେ କେତେଥର ନିର୍ବାଚନ ଜିତି ବିଧାୟକ ହୋଇଛନ୍ତି ବୋଲି ତାରା ପ୍ରଶ୍ନ କରିଥିଲେ। ଯଦି କିଛି ସମସ୍ୟା ଅଛି, ସେଥିପାଇଁ ଦିଲ୍ଲୀ ନ ଯାଇ ଏଠି ଆଲୋଚନା କରିବାକୁ ଶ୍ରୀ ବାହିନୀପତି ପରାମର୍ଶ ଦେଇଥିଲେ। ଯେଉଁମାନେ ଦିଲ୍ଲୀ ଯିବା ନେଇ ସ୍ଥିର କରିଛନ୍ତି ସେମାନେ ଅନ୍ୟ ଦଳରୁ ଅର୍ଥ ନେଇ ଏପରି ପ୍ରୟାସ କରୁଛନ୍ତି। ଅସନ୍ତୁଷ୍ଟ ମେଳିଙ୍କୁ ଟାର୍ଗେଟ କରି ତାରା ସିଧାସିଧା କହିଲେ, ଏପରି କରିବା ଦ୍ବାରା ଦଳ ବରବାଦ ହେବ। ଦଳର ପ୍ରତିଛବି ମଳିନ ପଡ଼ିବା ସହ ଲୋକେ କେବେ ବି ସେମାନଙ୍କୁ କ୍ଷମା ଦେବେନି।