Thu. Nov 21st, 2024

ପୁଷ୍ପଲତାଙ୍କ ସହ ସମ୍ପର୍କରେ ଥିଲେ ବି କାହିଁକି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା ସଂଜୟ, କେମିତି କରିଥିଲା ଯୋଜନା

1 min read
Spread the love

ଭୁବନେଶ୍ବର: ପ୍ରେମ, ପ୍ରତିହିଂସା, ପ୍ରତାରଣା ଓ ଶେଷରେ ହତ୍ୟା । ରାଜଧାନୀରେ ମୁଣ୍ଡକାଟି ହତ୍ୟା କରାଯାଇଥିବା ମହିଳା ପୁଷ୍ପଲତାଙ୍କ କାହାଣୀ ଥିଲା କିଛି ଏହିପରି…
ସ୍ୱାମୀଙ୍କ ମୃତ୍ୟୁ ପରେ ସଂଜୟ ଓରଫ ଅଙ୍ଗଦକୁ ଏକ ପ୍ରକାର ଜୀବନସାଥୀ ଭାବେ ଗ୍ରହଣ କରିନେଇଥିଲେ ପୁଷ୍ପଲତା । କିନ୍ତୁ ସଂଜୟ ଯେ ଖେଳ ଖେଳୁଥିଲା, ଏହା ପୁଷ୍ପଲତା ବୁଝିପାରିନଥିଲେ । ପୂର୍ବରୁ ବିବାହିତ ଥିବା ସଂଜୟ, ପୁଷ୍ପଲତାଙ୍କୁ କେବଳ ଏକ ଉପଭୋଗର ସାମଗ୍ରୀ କରିଦେଇଥିଲା । କିନ୍ତୁ ପୁଷ୍ପଲତା, ବିବାହ କରିବାକୁ ଚାହୁଁଥିଲେ । ୫-୬ ବର୍ଷ ସାଙ୍ଗରେ ରହିବା ପରେ ବି ବାହାଘର ପାଇଁ ରାଜି ହେଉନଥିଲା ସଂଜୟ । କିନ୍ତୁ ପୁଷ୍ପଲତା ଏକ ଏଭଳି ଜୀବନ ଚାହୁଁଥିଲେ, ଯାହା ଉପରେ ପରିବାରର ସ୍ୱୀକୃତି ଥିବ ସମାଜର ସ୍ୱୀକୃତି ଥିବ ।ଏଭଳି ସମୟରେ ପ୍ରୀତିରଂଜନ ପତି ନାମକ ଜଣେ ଯୁବକ, ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ଯେହେତୁ ପୁଷ୍ପଲତା ଏକ ବୈଧ ସାମାଜିକ ଜୀବନ ଚାହୁଁଥିଲେ, ତେଣୁ ତୁରନ୍ତ ଏଥିରେ ରାଜି ହୋଇଯାଇଥିଲେ । ଭାବିଥିଲେ ପ୍ରୀତିରଂଜନଙ୍କ ସହ ସୁଖର ସଂସାର ଗଢିବେ । ଏପଟେ ସୈତାନ ସଂଜୟ କିନ୍ତୁ କେମିତି ପୁଷ୍ପଲତାଙ୍କୁ ହଇରାଣ କରିବ, ସେନେଇ ପ୍ଲାନ କରୁଥିଲା । ପୁଷ୍ପଲତାଙ୍କ କିଛି ଅଶ୍ଲିଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବ ବୋଲି ପୁଷ୍ପଲତାଙ୍କୁ ଧମକ ଦେଲା ।

ସ୍ୱାମୀଙ୍କ ସହ ଖୁସିରେ ଥିବା ପୁଷ୍ପଲତା ହଠାତ୍ ଏଭଳି ଧମକରେ ହଡବଡେଇଗଲେ । ଆଉ ଏହି ଧମକ ଅଟକିଲା ନାହିଁ । ବାରମ୍ବାର ସଂଜୟ ବିଭିନ୍ନ ପ୍ରକାର ଧମକ ଦେଲା । ଯେହେତୁ ପୁଷ୍ପଲତା ପୂର୍ବରୁ ସଂଜୟ ସହ ୫-୬ ବର୍ଷ ଥିଲେ, ତେଣୁ ସଂଜୟ ଅନେକ ସମୟର ଭିଡିଓ ତିଆରି କରିଥିଲା । ପୁଷ୍ପଲତା ଏସବୁ ଶୁଣି ଡରିଗଲେ ଏବଂ ସଂଜୟ ପାଖକୁ ଆସିବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଗଲେ । କିନ୍ତୁ ପୁଷ୍ପଲତା ଜାଣିନଥିଲେ, ସଂଜୟର ଡାକରା ମୃତ୍ୟୁର ଡାକରା ଥିଲା ବୋଲି । ସଂଜୟ ପ୍ଲାନ କରିସାରିଥିଲା, ପୁଷ୍ପଲତାଙ୍କୁ ଆଉ ଏ ଦୁନିଆଁରେ ରଖେଇ ଦେବ ନାହିଁ । ଆଉ ପୁଷ୍ପଲତା ଫେରି ଆସିବା ପରେ ପ୍ରତିଶୋଧ ନେଲା ସଂଜୟ । ତଂଟିଚିପି ହତ୍ୟା କରିଦେଲା । ଆଉ ତାପରେ କେହି ଯେମିତି ଜାଣିପାରିବେ ନାହିଁ, ମୁଣ୍ଡକୁ କାଟି ନେଇ ଅନ୍ୟ ଜାଗାରେ ଫିଙ୍ଗିଦେଲା ।

Copyright © All rights reserved.