ପ୍ରଥମରୁ ପରାଜୟ : ଭାରତ ୬୬ ରନ୍ରେ ହାରିଲା, ଅଷ୍ଟ୍ରେଲିଆ ଆଗୁଆ
1 min read
ସିଡ୍ନି : ଘରେ ନପଶୁଣୁ ଚାଳ ବାଜିବା ଭଳି ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଲଢ଼େଇରେ ଭାରତ ହାର ମାନିଛି। ବୋଲର ମାତ୍ରାଧିକ ରନ୍ ବ୍ୟୟ କରିବା ପରେ ବ୍ୟାଟ୍ସମ୍ୟାନ୍ଙ୍କ ବେପରୁଆ ବ୍ୟାଟ୍ ଚାଳନା ପାଇଁ କୋହଲି ବାହିନୀ ସିଡ୍ନି ସମରକୁ ଶୁକ୍ରବାର ୬୬ ରନ୍ରେ ହାରିଯାଇଛି। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳାରେ ଘରୋଇ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଛି।
କୋଭିଡ୍-୧୯ ସଙ୍କଟ ପାଇଁ ଟିମ୍ ଇଣ୍ଡିଆ ଦୀର୍ଘ ୯ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଥିବାରୁ ଆଜିର ଏହି ହାଇସ୍କୋରିଂ ମୁକାବିଲା ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଓ ଉତ୍କଣ୍ଠାଭରା ହେବ ବୋଲି ଆଶା କରାଯାଉଥିଲା। ହେଲେ ଆଇପିଏଲ୍ ଖେଳି କଙ୍ଗାରୁ ଦେଶକୁ ଯାଇଥିବା କୋହଲି ବାହିନୀରେ ଘୋର ତାଳମେଳର ଅଭାବ ଦେଖିବାକୁ ମିଳିଥିଲା। ବୋଲର ଚମକହୀନ ବୋଲିଂ କରିଥିଲେ। ଅଧିକାଂଶ ଭାରତୀୟ ବ୍ୟାଟର୍ ଟ୍ବେଣ୍ଟି-୨୦ ଭାବନାରୁ ଯେମିତି ବାହରିନଥିବା ଭଳି ମନେ ହୋଇଥିଲା। ସେପଟେ ଆଇପିଏଲ୍ରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଅଷ୍ଟ୍ରେଲୀୟ ତାରକା ଗ୍ଲେନ୍ ମ୍ୟାକ୍ସୱେଲ (୪୫ ରନ୍, ୧୯ ବଲ୍, ୫ ଚୌକା, ୩ ଛକା)ଙ୍କଠାରୁ ଆରମ୍ଭ କରି ଅଧିନାୟକ ଆରୋନ ଫିଞ୍ଚ୍ (୧୧୪ ରନ୍, ୧୨୪ ବଲ୍, ୯ ଚୌକା, ୨ ଛକା)ଙ୍କ ପର୍ଯ୍ୟନ୍ତ ନିଜ ଜାତୀୟ ଦଳ ପାଇଁ ବିସ୍ଫୋରକ ଓ ଦାୟିତ୍ବବାନ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ସେଥିପାଇଁ ଆଇପିଏଲ୍ ପ୍ରଶଂସକମାନେ ସେମାନଙ୍କୁ ମଧ୍ୟ ଟ୍ରୋଲ୍ କରିଥିଲେ। ଆଇପିଏଲ୍ରେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ନିୟମିତ ଘାଇଲା କରିଥିବା ଯଶପ୍ରୀତ ବୁମ୍ରା ଓ ୟୁଜବେନ୍ଦ୍ର ଚହଲଙ୍କ ଚମକ ଯେମିତି ଉଭେଇ ଯାଇଥିଲା। ସେହିଭଳି ଅଧିନାୟକ ବିରାଟ କୋହଲିଙ୍କୁ ମିଳିଥିବା ଜୀବନଦାନରୁ ସେ ବିସ୍ମୟଜନକ ଭାବେ ବିଶେଷ ଫାଇଦା ଉଠାଇ ପାରିନଥିଲେ୩୭୫ ରନ୍ର ବିଶାଳ ସ୍କୋରକୁ ପିଛା କରୁଥିବା ଭାରତ ପାଇଁ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ (୭୪ ରନ୍, ୮୬ ବଲ୍, ୧୦ ଚୌକା) ଓ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା (୯୦ ରନ୍, ୭୬ ବଲ୍, ୭ ଚୌକା, ୪ ଛକା) ପଞ୍ଚମ ୱିକେଟ୍ରେ ୧୨୮ ରନ୍ ଯୋଡ଼ିଥିଲେ। ହେଲେ ଏହା ଭାରତର ପାହାଡ଼ ଭଳି ପଶ୍ଚାତଧାବନ ପାଇଁ ପର୍ଯ୍ୟାପ୍ତ ହୋଇନଥିଲା। ପାଣ୍ଡ୍ୟା ଧମାକାଦାର ବ୍ୟାଟିଂ କରିଥିଲେ। ଶିଖର ବି ମହତ୍ବପୂର୍ଣ୍ଣ ଅର୍ଧଶତକ ଅର୍ଜନ କରିଥିଲେ। ତେବେ ଉଭୟ ୧୮ ରନ୍ ଭିତରେ ଆଉଟ୍ ହେବା ପରେ ଭାରତର ଆଶା ମଉଳି ଯାଇଥିଲା। ଧାୱନ ଓ ମୟଙ୍କ ଅଗ୍ରୱାଲ (୨୨ ରନ୍, ୧୮ ବଲ୍, ୨ ଚୌକା, ୧ ଛକା) କିନ୍ତୁ ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ଉଭୟ ପ୍ରଥମ ୱିକେଟ୍ରେ ଦ୍ରୁତ ୫୩ ରନ୍ ସଂଗ୍ରହ କରିଥିଲେ। ମୟଙ୍କ (୨୨)ଙ୍କୁ ଜୋସ୍ ହାଜେଲଉଡ୍ ଏକ ସର୍ଟ ବଲ୍ରେ ଶିକାର କରି ନେଇଥିଲେ। ସେପଟେ ଅଧିନାୟକ କୋହଲି (୨୧ ରନ୍, ୨୧ ବଲ୍, ୨ ଚୌକା, ୧ ଛକା)ଙ୍କ ପାଳିର ଆଦ୍ୟ ପର୍ବରେ ଏକ ସହଜ କ୍ୟାଚ୍କୁ ପ୍ରତିପକ୍ଷ ସ୍ପିନର ଆଦାମ ଜାମ୍ପା ଛାଡ଼ି ଦେଇଥିଲେ। ସେ ଅବଶ୍ୟ ୪ ୱିକେଟ୍ ନେଇ ଏହି କ୍ଷତିକୁ ସଫଳତାର ସହ ଭରଣା କରି ନେଇଥିଲେ। ହାଜେଲଉଡ୍ ବି କୋହଲିଙ୍କୁ ଜୀବନଦାନର ଅଧିକ ଫାଇଦା ଉଠାଇବାକୁ ଦେଇନଥିଲେ। ଗୋଟିଏ ଓଭରରେ କୋହଲିଙ୍କ ସହ ଶ୍ରେୟସ୍ ଆୟର (୨)ଙ୍କୁ ଆଉଟ୍ କରି ସେ ହିଁ ଭାରତକୁ ସଙ୍କଟ ଭିତରକୁ ଠେଲି ଦେଇଥିଲେ। ଚର୍ତୁଦଶ ଓଭରରେ କେଏଲ୍ ରାହୁଲଙ୍କୁ ଆଉଟ୍ ହେବା ପରେ ଭାରତ ପରାଜୟ ଏକପ୍ରକାର ପକ୍କା ହୋଇ ଯାଇଥିଲା। ଶେଷ ଆଡ଼କୁ ରବୀନ୍ଦ୍ର ଜାଦେଜାଙ୍କ ୨୫, ନଭଦୀପ ସୈନିଙ୍କ ୨୯* ଓ ମହମ୍ମଦ ସାମିଙ୍କ ୧୩ ରନ୍ ବଳରେ ଭାରତ କଷ୍ଟେମଷ୍ଟେ ୩୦୦ ରନ୍ ଟପି କିଛିଟା ସମ୍ମାନ ସାଉଣ୍ଟିଥିଲା ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ଙ୍କ ସପ୍ତଦଶ ଶତକ ସହ ପୂର୍ବତନ ଅଧିନାୟକ ତଥା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଷ୍ଟିଭେନ୍ ସ୍ମିଥ୍ (୧୦୫ ରନ୍, ୬୬ ବଲ୍, ୧୧ ଚୌକା, ୪ ଛକା)ଙ୍କ ଧୂଆଁଧାର ଦଶମ ଶତକ ବଳରେ ନିର୍ଧାରିତ ୫୦ ଓଭରରେ ୬ ୱିକେଟ୍ ବିନିମୟରେ ୩୭୪ ରନ୍ କରି ନେଇଥିଲା। ଜବାବରେ ଭାରତ ୩୦୮/୮ରେ ଅଟକି ଯାଇଥିଲା। କୋଭିଡ୍ କଟକଣା ଓ ଜୈବ ବଳୟରେ କଠୋର ନିୟମ ଭିତରେ ଖେଳାଯାଉଥିବା ଏହି ବହୁ ପ୍ରତୀକ୍ଷିତ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାରିବା ପରେ ଭାରତ ପାଇଁ ରବିବାର ସେହି ସିଡ୍ନିରେ ଖେଳାଯିବାକୁ ଥିବା ଦ୍ବିତୀୟ ମ୍ୟାଚ୍ର ମହତ୍ବ ବଢ଼ି ଯାଇଛି। ଶୃଙ୍ଖଳା ବଞ୍ଚାଇବା ପାଇଁ ଏହି ମ୍ୟାଚ୍କୁ ଜିତିବା କୋହଲି କଂପାନି ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇଯାଇଛି।