ବର୍ଷା ବାଧାପ୍ରାପ୍ତ ପ୍ରଥମ ଦିବସରେ ଅଷ୍ଟ୍ରେଲିଆ ୧୬୬/୨: ଲାବୁସେନ୍, ପକସ୍କି ସମ୍ଭାଳିଲେ
1 min readସିଡନି: ବର୍ଷା ବାଧାପ୍ରାପ୍ତ ସିଡ୍ନି ଟେଷ୍ଟ୍ର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୨ ୱିକେଟ୍ ବିନିମୟରେ ୧୬୬ ରନ୍ ସଂଗ୍ରହ କରିଛି। ସହଜ ପିଚ୍ ଏବଂ କ୍ୟାଚ୍ ହାତଛଡ଼ା କାରଣରୁ ଘରୋଇ ଦଳ ଖୁସୀରେ ଖେଳ ଶେଷ କରିଛି। ମାର୍ନସ ଲାବୁସେନ୍ ଏବଂ ପଦାର୍ପଣକାରୀ ୱିଲ୍ ପକସ୍କିଙ୍କ ଅର୍ଧଶତକୀୟ ପାଳି ଜରିଆରେ ହିଁ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଶୃଙ୍ଖଳାରେ ଓଭର ପିଛା ୩.୦୦ ଊର୍ଧ୍ବରେ ରନ୍ ସଂଗ୍ରହ କରିଛି ଏବଂ ପ୍ରଥମ ଥର ପାଇଁ ମଧ୍ୟ ୩୦୦ ରନ୍ କରିବାର ଆତ୍ମବିଶ୍ବାସ ଦେଖାଇଛି। ଷ୍ଟିଭ୍ ସ୍ମିଥ୍ ମଧ୍ୟ ତାଙ୍କ ଖରାପ ଫର୍ମକୁ ପଛରେ ପକାଇ ୩୧ ରନ୍ରେ ଅପରାଜିତ ଥିବାରୁ ଅଷ୍ଟ୍ରେଲିଆ ବ୍ୟାଟିଂ ଦୁର୍ବଳତାକୁ ସିଡ୍ନିରେ ପଛରେ ପକାଇଦେବାକୁ ଯାଉଛି। ବର୍ଷା କାରଣରୁ କିନ୍ତୁ ପ୍ରଥମ ଦିବସରେ ୫୫ ଓଭର ଖେଳ ସମ୍ଭବ ହୋଇଥିଲା।
ମେଘୁଆ ପାଗର ପୂର୍ବାନୁମାନ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଗୁରୁବାର ସକାଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ନିଷ୍ପଳ ରହୁଥିବା ଜୋ ବର୍ନସ, ଟ୍ରାଭିସ୍ ହେଡ୍ ଦଳରୁ ବାଦ୍ ପଡ଼ିଥିବା ବେଳେ ଡେଭିଡ୍ ୱାର୍ନର ଏବଂ ୱିଲ୍ ପକସ୍କିଙ୍କୁ ସାମିଲ କରାଯାଇଥିଲା। ପ୍ରାରମ୍ଭିକ ଯୋଡ଼ିକୁ ଅଷ୍ଟ୍ରେଲିଆ ପରିବର୍ତନ କରିଥିଲା। ଅଭିଜ୍ଞ ଡେଭିଡ୍ ୱାର୍ନରଙ୍କ ସହ ପାଳି ଆରମ୍ଭ କରିଥିଲେ ନବାଗତ ୱିଲ୍ ପକସ୍କି। ପ୍ରଥମ ଓଭରରୁ ଉତ୍ସାହୀ ମହମ୍ମଦ ସିରାଜ ଉଭୟଙ୍କୁ ଅଡୁଆରେ ପକାଇବା ସହ ପୁରସ୍କାର ସ୍ବରୂପ ୱାର୍ନରଙ୍କୁ ଶିକାର ବନାଇଥିଲେ। ଆହତ କାରଣରୁ ପ୍ରଥମ ଦୁଇ ଟେଷ୍ଟ୍ ଖେଳିନଥିବା ୱାର୍ନର ମାତ୍ର ୫ ରନ୍ କରି ପୂଜାରାଙ୍କ ହାତରେ ଧରାପଡ଼ିଥିଲେ। ଘରୋଇ ପରିବେଶରେ ବିଗତ ୪ ବର୍ଷ ଏବଂ ଶେଷ ୨୫ ପାଳି ମଧ୍ୟରେ ପ୍ରଥମ ଥର ପାଇଁ ୱାର୍ନର ୧୦ ରନ୍ରୁ ତଳେ ଆଉଟ୍ ହୋଇଥିଲେ।