ବାଲେଶ୍ୱରରୁ ନୂଆ ଚେହେରା : ପ୍ରାର୍ଥିତ୍ୱକୁ ନେଇ ବିଜେଡିରେ ପ୍ରତିକ୍ରିୟା
1 min readବାଲେଶ୍ୱର : ବାଲେଶ୍ୱର ସଦର ଉପନିର୍ବାଚନ ପରିପ୍ରେକ୍ଷୀରେ ଏକ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ଦଳର ନୂଆ ମୁହଁ ଭାବେ ପୂର୍ବତନ କାଉନସିଲର ସ୍ବରୂପ ଦାସଙ୍କ ପ୍ରାର୍ଥିତ୍ବ ଉପରେ ମୋହର ମାରିଛନ୍ତି। ନବୀନଙ୍କ ଏହି ମାଷ୍ଟରଷ୍ଟ୍ରୋକ୍ ବିଜେଡି ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ଆଦୌ ଚର୍ଚ୍ଚାରେ ନଥିବା ନୂଆ ଚେହେରା ସ୍ବରୂପ ଦାସଙ୍କ ନାଁ ଦଳ ପକ୍ଷରୁ ଘୋଷଣା କରାଯିବା ପରେ ରବୀନ୍ଦ୍ରଙ୍କ ଶିବିରରେ ଅସନ୍ତୋଷ ପ୍ରକାଶ ପାଇଛି। ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ଏମ୍ଡି ସାହିରୁଲ ହକ୍ ଦଳରୁ ଇସ୍ତଫା ଦେଇଥିବା ବେଳେ ଛାତ୍ର ଓ ଯୁବ ବିଜେଡି ସଙ୍ଗଠନର ଏକାଧିକ କର୍ମକର୍ତ୍ତାଙ୍କ ସହିତ ରବୀନ୍ଦ୍ରଙ୍କ ବହୁ ଅନୁଗତ ତାଙ୍କ କାର୍ଯ୍ୟାଳୟ ଆଗରେ ଭିଡ଼ ଜମାଇଥିଲେ। ସମ୍ଭବତଃ ପ୍ରାର୍ଥିତ୍ବକୁ ନେଇ ଅସନ୍ତୁଷ୍ଟ ଥିବା ରବୀନ୍ଦ୍ର କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ତାଙ୍କ ଶିବିରରୁ ଶୁଣିବାକୁ ମିଳୁଛି। ସେପଟେ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ, ମନ୍ତ୍ରୀ ସ୍ଥାନୀୟ କଳିଙ୍ଗ ହୋଟେଲରେ ଏକାଠି ହୋଇ ସାଂପ୍ରତିକ ସ୍ଥିତି ଉପରେ ନଜର ରଖିବା ସହ ବିଚାରବିମର୍ଶ ଚଳାଇଛନ୍ତି।
ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସୋମବାର ସକାଳେ ରାଜ୍ୟ ନେତୃତ୍ବଙ୍କଠୁ ଡାକରା ପାଇ ରବୀନ୍ଦ୍ର ଭୁବନେଶ୍ବର ବାହାରି ଯାଇଥିଲେ। ସେଠାରେ ପାର୍ଟି କାର୍ଯ୍ୟାଳୟରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରତାପ ଜେନା, ସାଂସଦ ପ୍ରତାପ ଦେବ, ଦଳର ଉପସଭାପତି ଦେବୀ ମିଶ୍ର, ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହିତ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ତଥାପି ପ୍ରାର୍ଥିତ୍ବ ସଂପର୍କରେ କିଛି ଚୂଡ଼ାନ୍ତ ନିଷ୍କର୍ସ ବାହାରି ପାରିନଥିଲା। ପରେ କଥା ଯାଇଥିଲା ସୁପ୍ରିମୋଙ୍କ ପାଖକୁ। ପ୍ରାର୍ଥିତ୍ବକୁ ନେଇ ଦଳରେ ଉପୁଜିଥିବା ଅନ୍ତଃକନ୍ଦଳ ସଂପର୍କରେ ସୁପ୍ରିମୋଙ୍କୁ ଅବଗତ କରାଯିବା ସହ ଜିଲ୍ଲା ପର୍ଯ୍ୟବେକ୍ଷକ ତାଙ୍କ ରିପୋର୍ଟ ପ୍ରଦାନ କରିଥିଲେ। ଦିନ ୧୧ଟା ବେଳକୁ ଉଭୟ ତିର୍ତ୍ତୋଲ ଓ ବାଲେଶ୍ବର ସଦର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯିବାକୁ ସ୍ଥିର ହୋଇଥିଲେ ମଧ୍ୟ ବାଲେଶ୍ବର ଅଡୁଆ ନ ତୁଟିବାରୁ ନାମ ଘୋଷଣା ବିଳମ୍ବିତ ହୋଇଥିଲା। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ବାଲେଶ୍ବର ଏବଂ ବିଭିନ୍ନ ସ୍ଥାନରେ ରବୀନ୍ଦ୍ରଙ୍କ ପକ୍ଷରୁ ଖୋଲାଯାଇଥିବା ସମସ୍ତ ନିର୍ବାଚନ କାର୍ଯ୍ୟାଳୟଗୁଡ଼ିକୁ ହଠାତ୍ ବନ୍ଦ କରିଦେବା ପାଇଁ ଅଘୋଷିତ ନିର୍ଦ୍ଦେଶ ଆସିଥିଲା। ଏ କଥା ଜାଣିବା ପରେ କିଛି ବଡ଼ ପରିବର୍ତ୍ତନର ଆଭାସ ପାଇଥିଲେ ରବୀନ୍ଦ୍ରଙ୍କ ଅନୁଗତ। ଏହାକୁ ନେଇ କର୍ମୀ ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିବା ବେଳେ ମଧ୍ୟାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଆସିଥିଲା ବଡ଼ ଖବର। ବାଲେଶ୍ବର ଆସନ ପାଇଁ ସ୍ବରୂପ କୁମାର ଦାସଙ୍କ ନାଁରେ ସୁପ୍ରିମୋ ମୋହର ମାରିଥିବା ନେଇ ଦୁଇଧାଡ଼ିଆ ପ୍ରେସ୍ ବିବୃତି ମିଡିଆକୁ ଧରାଇ ଦିଆଯାଇଥିଲା। ଶେଷବେଳକୁ ଚିତ୍ର ଓଲଟପାଲଟ ହୋଇ ଯାଇଥିବା ଦେଖି ବାଲେଶ୍ବରରେ ରବୀନ୍ଦ୍ରଙ୍କ ଶିବିରରେ ନୈରାଶ୍ୟ ଖେଳି ଯାଇଥିଲା।