ବିହାର ବିଧାନସଭା ନିର୍ବାଚନ
1 min readନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ବିହାର ବିଧାନସଭା ନିର୍ବାଚନ ଲଢ଼ାଯିବ। ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଆଜି ନୀତୀଶଙ୍କ ସହ ଆସନା ବୁଝାମଣା ନେଇ କଥାବାର୍ତ୍ତା କରିବା ପରେ ଏହା କହିଛନ୍ତି। ରାମ ବିଳାସ ପାଶ୍ବାନ୍ଙ୍କ ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ଏବଂ ନୀତୀଶଙ୍କ ନେତୃତ୍ବାଧୀନ ଜେଡିୟୁ (ଜନତା ଦଳ ୟୁନାଇଟେଡ୍) ମଧ୍ୟରେ ଏକ ପ୍ରକାର କନ୍ଦଳ ଲାଗି ରହିଥିବାବେଳେ ଆଜି ନଡ୍ଡା ନୀତୀଶଙ୍କ ନେତୃତ୍ବରେ ହିଁ ନିର୍ବାଚନ ଲଢ଼ାଯିବ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଜେଡିୟୁ ଏବଂ ଏଲ୍ଜେପି ମଧ୍ୟରେ ଥିବା ବିଭେଦ ଦୂର କରିବାକୁ ଚେଷ୍ଟା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଜେ ପି ନଡ୍ଡା ଏବେ ୨ ଦିନିଆ ବିହାର ଗସ୍ତରେ ଅଛନ୍ତି। ନଡ୍ଡା ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ବାସଭବନରେ ଆସନ ବୁଝାମଣା ନେଇ କଥାବାର୍ତ୍ତା କରିଛନ୍ତି। ବିଧାନସଭା ନିର୍ବାଚନ ପାଇଁ ଏନ୍ଡିଏର ମେଣ୍ଟ ସହଯୋଗୀ ମାନଙ୍କ ମଧ୍ୟରେ କିଭଳି ଆସନ ବୁଝାମଣା ହେବ ସେନେଇ ଆଜିର ବୈଠକରେ ଆଲୋଚନା ହୋଇଛି। ବୈଠକରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ, ବିଜେପି ଜାତୀୟ ସାଧାରଣ ସମ୍ପାଦକ ଭୂପେନ୍ଦ୍ର ଯାଦବ ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଉପସ୍ଥିତ ଥିଲେ। ବିହାରରେ ବିଜେପିର ନିର୍ବାଚନୀ ପ୍ରଚାର ପରିଚାଳନା କରୁଛନ୍ତି ଫଡ଼ନାବିସ। ଚଳିତ ନିର୍ବାଚନରେ ବିଜେପି ଅଧିକ ଆସନରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଉଛି। ଖୁବ୍ ଶୀଘ୍ର କେଉଁ ଦଳକୁ କେତେ ଆସନ ମିଳିବ ତାହା ଘୋଷଣା କରାଯିବ। ଅକ୍ଟୋବର-ନଭେମ୍ବରରେ ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ହେବ।