ବିହାର ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବେ ଏହି ନେତା
1 min read
ନୂଆଦିଲ୍ଲୀ : ଅକ୍ଟୋବର ୨୮ ତାରିଖରୁ ବିହାରରେ ୩ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବ। ୨୮ରୁ ନିର୍ବାଚନ ଆରମ୍ଭ ହୋଇ ନଭେମ୍ବର ୭ରେ ଶେଷ ହେବ ଏବଂ ୧୦ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ବିଧାନସଭା କାର୍ଯ୍ୟକାଳ ନଭେମ୍ବର ୨୯ରେ ଶେଷ ହେବାକୁ ଥିବାବେଳେ ଏହାର ୩ ସପ୍ତାହ ପୂର୍ବରୁ ନୂଆ ସରକାରର ଭାଗ୍ୟ ନିର୍ଦ୍ଧାରଣ ହୋଇସାରିଥିବ। ଚଳିତ ବିଧାନସଭା ନିର୍ବାଚନରେ ପ୍ରମୁଖ ବ୍ୟକ୍ତିତ୍ବଙ୍କ ସଂପର୍କରେ ଏକ ଉପସ୍ଥାପନା।
ନରେନ୍ଦ୍ର ମୋଦୀ: ବିହାର ବିଧାନସଭା ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ। ରାଜ୍ୟ ନେତୃତ୍ବ ନୀତୀଶ କୁମାର ନେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ବିହାର ବିଧାନସଭା ନିର୍ବାଚନ ଲଢ଼ାଯିବ ବୋଲି ବିଜେପି କହିସାରିଛି। ମହାମାରୀ ମଧ୍ୟରେ ଏହା ପ୍ରଥମ ନିର୍ବାଚନ। ମୋଦୀଙ୍କ ପାଇଁ ଏହା ଏକ ବଡ଼ ପରୀକ୍ଷା। ୨୦୧୫ରେ ତାଙ୍କ ଦଳକୁ ସଫଳତା ମିଳିନଥିଲା। ଚଳିତ ନିର୍ବାଚନ ଉପରେ ମୋଦୀଙ୍କ ଫୋକସ୍ ରହିଛି।
ନୀତୀଶ କୁମାର: ଯଦି ଏଥର ବିଜେପି-ଜେଡିୟୁ ମେଣ୍ଟ ସଫଳ ହୁଏ ତା’ହେଲେ ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର। ନୀତୀଶ ଜଣେ ନିର୍ବିବାଦୀୟ ନେତା ଭାବେ ବିବେଚିତ ହୋଇଛନ୍ତି । ସହଯୋଗୀଙ୍କ ମଧ୍ୟରେ ସେ ଠିକ୍ ସନ୍ତୁଳନ ରଖିପାରିଛନ୍ତି। ସୁଶାସନ, ବିକାଶମୂଳକ କାର୍ଯ୍ୟକ୍ରମ ଏବଂ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ବ ଦେଉଥିବା ନୀତୀଶ ପୁଣିଥରେ ରାଜ୍ୟର ଶାସନ ଭାର ଗ୍ରହଣ କରିବେ ବୋଲି ଆଶା ପ୍ରକଟ ହୋଇଛି।
ତେଜସ୍ୱୀ ପ୍ରସାଦ ଯାଦବ: ବିହାରରେ ପୁଣି ଆର୍ଜେଡି ଶାସନ ଫେରାଇ ଆଣିବାପାଇଁ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ ତେଜସ୍ବୀ ପ୍ରସାଦ ଯାଦବ କର ବା ମର ଲଢ଼େଇରେ ଅବତୀର୍ଣ୍ଣ ହେବେ। ନୀତୀଶ କୁମାର ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଂଜ। ସେ ମୁସଲିମ୍ ଏବଂ ଯାଦବ ଭୋଟ୍ ଉପରେ ନିର୍ଭର କରି ଦଳ ପାଇଁ ବିଜୟ ଆଣିବାକୁ ଯୋଜନା କରିଛନ୍ତି। ।