Fri. Nov 22nd, 2024

ବେଆଇନ ନିର୍ମାଣରୁ ନିସ୍ତାର ନାହିଁ : ଜନପଥ ଏବଂ ନନ୍ଦନକାନନ ରାସ୍ତାରେ ହେବ ଚଢ଼ଉ

1 min read
Spread the love

ଭୁବନେଶ୍ବର : ଯେଉଁମାନେ ବ୍ୟାବସାୟିକ ପ୍ରତିଷ୍ଠାନ ନିର୍ମାଣ ସମୟରେ ପାର୍କିଂ ପାଇଁ ପ୍ଲାନ୍‌ ଅନୁମୋଦନ କରିଛନ୍ତି କିନ୍ତୁ ପାର୍କିଂ ଅଞ୍ଚଳ ରଖିନାହାନ୍ତି, ସେଗୁଡ଼ିକୁ ଖୋଜି ଖୋଜି ଚିହ୍ନଟ କରାଯିବ। ବିଏମ୍‌ସି ଓ ବିଡିଏର ମିଳିତ ଟିମ୍ ଏନେଇ ସର୍ଭେ କରିବେ। ଯେଉଁ ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ନିର୍ମାଣ ସମୟରେ ଆବଶ୍ୟକ ପାର୍କିଂ ଅଞ୍ଚଳ ରଖିବେ ବୋଲି ସର୍ତ୍ତ ରଖିଥିଲେ, ସେମାନେ ଏବେ ରଖିଛନ୍ତି କି ନାହିଁ, ସେହି ସ୍ଥାନ ଏବେ କ’ଣ ‌‌ହେଉଛି, ଜାଣିବା ପାଇଁ ମିଳିତ ଟିମ୍ ସର୍ଭେ କରିବ। ଯଦି ପାର୍କିଂ ଅଞ୍ଚଳରେ ବେଆଇନ ନିର୍ମାଣ ହୋଇଥିବ, ତାକୁ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି।

ଏହି ବେଆଇନ ନିର୍ମାଣ ଚିହ୍ନଟ ପ୍ରକ୍ରିୟା ଏବେ ଜନପଥ ଏବଂ ରାଜଭବନ-ନନ୍ଦନକାନନ ରୋଡ୍‌ରୁ ଆରମ୍ଭ ହେବ। ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଖୁବ୍‌ଶୀଘ୍ର ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କର ଏକ ବୈଠକ ବସିବ ବୋଲି ଜଣାପଡ଼ିଛି।ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ରାଜଧାନୀରେ ବିଭିନ୍ନ ପ୍ରତିଷ୍ଠାନ ନିର୍ମାଣ ପାଇଁ ବିଡିଏ ଓ ବିଏମ୍‌ସି ପ୍ଲାନ୍ ଅନୁମୋଦନ କରିଛନ୍ତି। ତେଣୁ ଦୁଇଟି ସଂସ୍ଥା ମିଳିତ ଭାବେ ସର୍ଭେ କରିବେ। ବିଏମ୍‌ସିର ତିନିଟି ଯାକ ଜୋନ୍‌ର ଜୋନାଲ ଡେପୁଟି କମିସନରମାନଙ୍କ ନେତୃତ୍ବରେ ଟିମ୍ ଗଠନ ହେବ। ଏହି ଟିମ୍‌ରେ ବିଡିଏ ଓ ବିଏମ୍‌ସି ଅଧିକାରୀ ରହିବେ। ଏହାସହ ମିଳିତ ଉଚ୍ଛେଦକାରୀ ଟିମ୍‌ ରହିବେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି କମିସନରେଟ୍ ପୁଲିସର ବି ସହାୟତା ନିଆଯିବ। ଯେଉଁଠି ପାର୍କିଂ ନିୟମ ଉଲ୍ଲଂଘନ ହୋଇଥିବ, ସେଠାରେ ବେଆଇନ ନିର୍ମାଣକୁ ତୁରନ୍ତ ଉଚ୍ଛେଦ କରାଯିବ। ଏହାସହ ଜରିମାନା ବି ଆଦା‌ୟ ହେବ। ରାସ୍ତା ଉପରେ ଯେପରି କୌଣସି ଯାନବାହନ ପାର୍କିଂ ହେବନି, ତାହାକୁ ଗୁରୁତ୍ବ ଦିଆଯିବ।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଏବେ ଜନପଥରେ ବହୁ ବ୍ୟାବସାୟିକ ପ୍ରତିଷ୍ଠାନ, ହୋଟେଲ, ମଲ୍‌ ପାର୍କିଂ ପାଇଁ ପ୍ଲାନ୍ ଅନୁମୋଦନ କରାଇ ଥିଲେ ମଧ୍ୟ ପାର୍କିଂ ସୁବିଧା ଯୋଗାଉ ନାହାନ୍ତି। ଫଳରେ ଲୋକମାନେ ରାସ୍ତା ଉପରେ ଅବ୍ୟବସ୍ଥିତ ଢଙ୍ଗରେ ଗାଡ଼ି ପାର୍କିଂ କରୁଛନ୍ତି। ଏହାବାଦ୍ ବେଆଇନ ନିର୍ମାଣ ହେଉ ଥିବାରୁ ସହରରେ ବିଭିନ୍ନ ସମସ୍ୟା ଦେଖାଯାଉଛି।

Copyright © All rights reserved.