ବୋଲରଙ୍କ ବଳରେ ଶୁଭାରମ୍ଭ, ଅଷ୍ଟ୍ରେଲିଆ ୧୯୫ରେ ସୀମିତ, ଭାରତ ୩୬/୧
1 min readମେଲ୍ବର୍ନ: ଶନିବାରଠାରୁ ଆରମ୍ଭ ହୋଇଥିବା ବକ୍ସିଂ ଡେ’ ଟେଷ୍ଟ୍ର ପ୍ରଥମ ଦିନ ଭାରତ ପାଇଁ ଭଲ ବିତିଛି। ଯଶପ୍ରୀତ୍ ବୁମରାଙ୍କ ନେତୃତ୍ବାଧୀନ ବୋଲିଂ ବାହିନୀ ଅଷ୍ଟ୍ରେଲିଆର ପ୍ରଥମ ପାଳିକୁ ୧୯୫ ରନ୍ରେ ସୀମିତ ରଖି ଦେଇଛନ୍ତି। ବୁମରା ନିଜେ ୪ ୱିକେଟ୍ ଚଟ୍କାଇ ଥିବାବେଳେ ରବିଚନ୍ଦ୍ରନ ଅଶ୍ବିନ୍ ୩, ପଦାର୍ପଣକାରୀ ମହମ୍ମଦ ସିରାଜ ୨ ଏବଂ ରବୀନ୍ଦ୍ର ଜାଦେଜା ୧ ୱିକେଟ୍ ନେଇଛନ୍ତି। ଆଡିଲେଡ୍ ପରାଜୟ ସହ ପିତା ହେବାକୁ ଛୁଟିରେ ଯାଇଥିବା ବିରାଟ କୋହଲିଙ୍କ ବିନା ଯେ ଭାରତୀୟ କ୍ରିକେଟ୍ରେ ଜୀବନ ଅଛି ଏହା ମଧ୍ୟ ପ୍ରମାଣିତ ହୋଇଛି। ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ବ ମଧ୍ୟ ପ୍ରଶଂସିତ ହୋଇଛି। ଗତ ପାଳିରେ ୩୬ ରନ୍ କରିଥିବା ଭାରତ ଶନିବାର ପ୍ରଥମ ଦିନ ଷ୍ଟମ୍ପ୍ସ ଅପସାରଣ ବେଳକୁ ୧ ୱିକେଟ୍ ହରାଇ ୩୬ ରନ୍ କରିଛି। ସିରାଜଙ୍କ ଭଳି ପଦାର୍ପଣ କରିଥିବା ଶୁଭମନ ଗିଲ୍ ମଧ୍ୟ ଭଲ ଆରମ୍ଭ କରି ୨୮* ରନ୍ରେ ଅପରାଜିତ ରହିଛନ୍ତି। ଭାରତ ପ୍ରଥମ ଓଭରରେ ମୟଙ୍କ ଅଗ୍ରୱାଲ(୦)ଙ୍କୁ ହରାଇଥିବା ବେଳେ ଗିଲଙ୍କ ସହ ତେତେଶ୍ବର ପୂଜାରା (୭*) ଦୃଢ଼ ଭାବେ ବ୍ୟାଟିଂ କରୁଛନ୍ତି।
ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟ୍କାମେଲବର୍ନ କ୍ରିକେଟ୍ ଗ୍ରାଉଣ୍ଡ୍ର ଗୌରବମୟ ଦିବସ (ବକ୍ସିଂ ଡେ’)ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲା। ଭାରତୀୟ ବୋଲର କିନ୍ତୁ ଘରୋଇ ଦଳର ପ୍ରଥମ ୩ ୱିକେଟ୍କୁ ୩୮ ରନ୍ ଭିତରେ ବାହାର କରି ନେଇଥିଲେ। ଜୋ ବର୍ନସଙ୍କୁ ଯଶପ୍ରୀତ୍ ବୁମରା ୱିକେଟ୍ ପଛପଟେ ପନ୍ତଙ୍କ ଗ୍ଲୋଭ୍ସରେ କ୍ୟାଚ୍ କରାଇ ନେଇଥିଲେ। ବର୍ନସ ୧୦ ବଲ୍ ଖେଳି ଖାତା ଖୋଲି ପାରିନଥିଲେ। ପ୍ରଥମ ପରିବର୍ତନରେ ଆସିଥିବା ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍ ନିଜର ଲଗାତାର ଓଭର ତଥା ୪ ବଲ୍ ଭିତରେ ଦୁଇ ଅଭିଜ୍ଞ ଖେଳାଳି ମାଥ୍ୟୁ ୱାଦେ ଓ ଷ୍ଟିଭେନ୍ ସ୍ମିଥ୍ଙ୍କୁ ଆଉଟ୍ କରି ଅଷ୍ଟ୍ରେଲିଆକୁ ବଡ଼ ଝଟକା ଦେଇଥିଲେ।