Fri. Nov 22nd, 2024

ବ୍ରହ୍ମପୁର: ମହାନଗରରେ କଂଗ୍ରେସ ମଂଗ ଧରିବ କିଏ?

1 min read
Spread the love

ବ୍ରହ୍ମପୁର: ଦୁଇବର୍ଷ ହେଲା ବିନା ଜନପ୍ରତିନିଧିରେ ପ୍ରାଶାସନିକ ଅଧିକାରୀଙ୍କ ଦ୍ବାରା ବ୍ରହ୍ମପୁର ମହାନଗର ନିଗମ ପରିଚାଳିତ ହେଉଛି। ଆସନ୍ତାବର୍ଷ ପୌର ନିର୍ବାଚନ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷୀରେ ପ୍ରମୁଖ ରାଜନୈତିକ ଦଳମାନେ ମହାନଗରରେ ସେମାନଙ୍କ ସଂଗଠନକୁ ମଜ୍‌ବୁତ୍ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିସାରିଲେଣି। କିନ୍ତୁ ପ୍ରମୁଖ ଜାତୀୟ ଦଳ କଂଗ୍ରେସ୍‌ ଅନ୍ୟମାନଙ୍କ ତୁଳନାରେ ବେଶ୍ ପଛରେ ପଡ଼ିଯାଇଛି। ଦୁଇ ବର୍ଷ ହେଲା ମହାନଗରରେ ନିଜର ସ୍ଥିତି ବଜାୟ ରଖିବା ପାଇଁ ସଂଘର୍ଷ କରୁଛି। ଜିଲ୍ଲାର ଏକମାତ୍ର କଂଗ୍ରେସ୍‌ ବିଧାୟକ ରମେଶ ଜେନାଙ୍କୁ ଦଳର ଜିଲ୍ଲା ସଭାପତି ପଦ‌ରେ ନିଯୁକ୍ତ କରାଗଲା ପରେ କର୍ମୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। କିନ୍ତୁ ସେ ଦାୟିତ୍ବ ନେବାର ପ୍ରାୟ ଦୁଇ ମାସ ବିତିଯାଇଥିଲେ ମଧ୍ୟ ମହାନଗରରେ ସଂଗଠନକୁ ମଜ୍‌ବୁତ୍‌ କରିବା ପାଇଁ କୌଣସି ଆଖିଦୃଶିଆ ପଦକ୍ଷେପ ନେଲା ଭଳି ଅନୁମେୟ ହେଉନାହିଁ।ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ହୋଇ ୨୦୧୧ମସିହାରେ ସେ ଗିରଫ ହୋଇଥିଲେ। ଏହି ମାମଲାର ବିଚାରଣା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ତେବେ ଏହି ମାମଲାରେ ରମେଶଙ୍କୁ ଜାମିନ୍ ମିଳିଥିବା ବେଳେ କୋର୍ଟଙ୍କ ବିନା ଅନୁମତିରେ ବ୍ରହ୍ମପୁରରେ ପ୍ରବେଶ ନକରିବାର ସର୍ତ୍ତ ମଧ୍ୟ ରହିଛି। ଫଳରେ ସେ ଦଳର ଜିଲ୍ଲା ସଭାପତି ହେଲାପରେ ବି ଏହା ମଧ୍ୟରେ ହୋଇଥିବା ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସେ ଯୋଗ ଦେଇପାରିନାହାନ୍ତି। ଏପରିକି ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ଗିରଫ ହେବା ପରେ ତାଙ୍କର ବେଆଇନ୍‌ କାର୍ଯ୍ୟକଳାପ ଏବଂ କ୍ଷମତାର ଦୁରୁପଯୋଗ କରି ରମେଶଙ୍କ ପ୍ରତି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, ସେ ସମ୍ପର୍କରେ ରମେଶ ଜେନା ପ୍ରେସ୍‌ମିଟ୍‌ ଡାକିଥିଲେ। ଏଥିପାଇଁ ତାଙ୍କୁ ବ୍ରହ୍ମପୁର ପରିବର୍ତ୍ତେ କୁକୁଡ଼ାଖଣ୍ଡି ବ୍ଲକରେ ସ୍ଥାନ ବାଛିବାକୁ ପଡ଼ିଥିଲା।

ଅନ୍ୟପକ୍ଷେ ୨୦୧୮ ଏପ୍ରିଲ୍‌ରେ ପ୍ରମୁଖ ନେତାମାନେ ସେମାନଙ୍କ ଅନୁଗାମୀଙ୍କ ସହ ଦଳବଦଳ କରିବା ପରେ ଯେଉଁମାନେ ପୁଣିଥରେ ଦଳ ପାଇଁ ଶକ୍ତି ଗୋଟାଇବାକୁ ଉଦ୍ୟମ ଜାରି ରଖିଥିଲେ, ଦଳୀୟ କାର୍ଯ୍ୟକ୍ରମରେ ଏବେ ସେମାନଙ୍କ ଦେଖାମିଳୁନି। ଏପରିକି ଦଳର ମହାନଗର ସଭାପତି ପ୍ରମୋଦ ଜେନାଙ୍କ ମଧ୍ୟ ଏସବୁ କାର୍ଯ୍ୟକ୍ରମରେ ଦୃଶ୍ୟ ହେଉନାହାନ୍ତି। ଏସମ୍ପର୍କରେ ତାଙ୍କ ପ୍ରତିକ୍ରିୟା ନେବାରୁ କିଛି ବ୍ୟକ୍ତଗତ କାମ ପାଇଁ ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରି ନଥିବା ବେଳେ ସେ ସର୍ବଦା କଂଗ୍ରେସ୍‌ରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ମହାନଗରରେ ଦଳର ସଂଗଠନକୁ ସଜାଡ଼ି ପାଇଁ ପିସିିସି ପକ୍ଷରୁ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ। ମହାନଗରରେ ଦଳର ସ୍ଥିତି ସୁଧାରିବା ପାଇଁ କିଏ ଦାୟିତ୍ବ ନେବ, ସେନେଇ ଏଯାବତ୍‌ ସସ୍‌ପେନ୍ସ ଜାରି ରହିଛି।

Copyright © All rights reserved.