Sat. Feb 8th, 2025

ବ୍ୟାଙ୍କ ଋଣ ତଦାରଖ କରିବେ ମୁଖ୍ୟମନ୍ତ୍ରୀ: ଜିଲ୍ଲାପାଳ, ବ୍ୟାଙ୍କକୁ ନେଇ ବୈଠକ ଆୟୋଜନ କରାଯିବ

1 min read
Spread the love

ଭୁବନେଶ୍ବର: ରାଜ୍ୟର ତିନିଟି ପ୍ରମୁଖ କ୍ଷେତ୍ର କୃଷି, ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଓ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍‌ଏମ୍‌ଇ)କୁ ଆବଶ୍ୟକ ‌ଋଣ ଯୋଗାଇ ଦେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର୧୬୦ତମ ବୈଠକରେ ‌ଭାଗ ନେଇ ସେ କହିଛନ୍ତି ଯେ ଏହି ତିନି ପ୍ରମୁଖ କ୍ଷେତ୍ରକୁ ଋଣ ପ୍ରବାହ କିଭଳି ରହିଛି ତାହା ମୁଁ ନିଜେ ଅନୁଧ୍ୟାନ କରିବାକୁ ଚାହୁଛି। ନଭେମ୍ବର ଶେଷ ସୁଦ୍ଧା ଜିଲ୍ଲା ସ୍ତରୀୟ ସମୀକ୍ଷା ନିଜେ ମୁଖ୍ୟମନ୍ତ୍ରୀ କରିବେ ବୋଲି କହିଛନ୍ତି। ଜିଲ୍ଲାପାଳ ଏବଂ ବ୍ୟାଙ୍କ ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା କରାଯିବ ‌ବୋଲି ଜଣାପଡ଼ିଛି। କରୋନା ମହାମାରୀକୁ ନଜରରେ ରଖି ପ୍ରଥମ ଥର ଲାଗି ଭର୍ଚୁଆଲ୍ ମାଧ୍ୟମରେ ଆୟୋଜନ କରାଯାଇଥିବା ଏହି ବୈଠକରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶ୍ରେଷ୍ଠ ପ୍ରଦର୍ଶନକାରୀ ବ୍ୟାଙ୍କକୁ ଚାମ୍ପିଅନ୍‌ ବ୍ୟାଙ୍କ ଭାବେ ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ପ୍ରଦାନ କରାଯିବ। ବ୍ୟାଙ୍କର ପ୍ରଦର୍ଶନ ବିଷୟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅବଗତ କରିବେ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଜୀବନ ରକ୍ଷା କରିବା‌ରେ ଡାକ୍ତରମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ବେଳେ ଜୀବିକା ରକ୍ଷା କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଭୂମିକା ତୁଲାଉଛନ୍ତି। ଏହି ଜଟିଳ ପରିସ୍ଥିତିରେ ବ୍ୟାଙ୍କଗୁଡ଼ିକ ଗରିବ, ମହିଳା, ଚାଷୀ ଓ ଏମ୍ଏସ୍‌ଏମ୍‌ଇଗୁଡ଼ିକୁ ସହାୟତା ଦେବା ଲାଗି ଆଗେଇ ଆସିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

Copyright © All rights reserved.