Thu. Feb 6th, 2025

ବ୍ୟାଙ୍କ ବିରୋଧରେ ଅଭିଯୋଗ କରିବା ସହଜ ହେବ

1 min read
Spread the love

ମୁମ୍ବାଇ : ଦେଶରେ ଏବେ ବ୍ୟାଙ୍କ, ଏନବିଏଫ୍‌ସି ଓ କାର୍ଡ ଜାରି କରୁଥିବା ସଂସ୍ଥାଙ୍କ ବିରୋଧରେ ଅଭିଯୋଗ କରିବା ଲାଗି ଗ୍ରାହକଙ୍କ ନିମନ୍ତେ ୩ଟି ଭିନ୍ନ ଭିନ୍ନ ପ୍ରକାରର ଲୋକପାଳ ଯୋଜନା ରହିଛି। କିନ୍ତୁ ଖୁବଶୀଘ୍ର ଦେଶରେ ଗୋଟିଏ ବ୍ୟାଙ୍କ ଲୋକପାଳ ବ୍ୟବସ୍ଥା ହେବ। ଏହାଦ୍ବାରା ଅଭିଯୋଗକାରୀମାନେ ଗୋଟିଏ ଜାଗାରେ ସେମାନଙ୍କ ବ୍ୟାଙ୍କିଂ କାରବାର ସଂପର୍କିତ ଅଭିଯୋଗ କରିପାରିବେ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଯୋଜନା ରହିଛି ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ମୁଦ୍ରା ନୀତି କମିଟି ବୈଠକ ପରେ ଶକ୍ତିକାନ୍ତ ଏହି ସୂଚନା ଦେଇଛନ୍ତି। ସମନ୍ବିତ ଲୋକପାଳ ଯୋଜନା ବା ଗୋଟିଏ ଦେଶ ଜଣେ ଓମ୍ବଡସ୍‌ମ୍ୟାନ୍‌କୁ ରିଜର୍ଭ ବ୍ୟାଙ୍କ ୨୦୨୧ ଜୁନ୍‌ରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଉଲ୍ଲେଖଯୋଗ୍ୟ, ଦେଶରେ ଏବେ ରିଜର୍ଭ ବ୍ୟାଙ୍କର ୨୨ଟି ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକରେ ୨୨ ଜଣ ବ୍ୟାଙ୍କ ଲୋକପାଳ କାର୍ଯ୍ୟ କରୁଛନ୍ତି। ବଜେଟ୍‌ ଉପସ୍ଥାପନ ହେବାର ୪ ଦିନ ପରେ ରିଜର୍ଭ ବ୍ୟାଙ୍କର ଆଜି ଏହାର ମୁଦ୍ରାନୀତି ରିପୋର୍ଟ ଘୋଷଣା କରିଛି। ବଜେଟ୍ ପରବର୍ତ୍ତୀ ମୁଦ୍ରାନୀତିରେ ରେପୋ ହାରକୁ ୪ ପ୍ରତିଶତ ଏବଂ ‌ରିଭର୍ସ ରେପୋ ହାରକୁ ୩.୩୫ ପ୍ରତିଶତରେ ସ୍ଥିର ରଖାଯାଇଛି। କ୍ରମାଗତଭାବେ ଚତୁର୍ଥ ଥର ପାଇଁ ରିଜର୍ଭ ବ୍ୟାଙ୍କ ଉକ୍ତ ସୁଧ ହାରରେ କୌଣସି ପରିବର୍ତ୍ତନ ଆଣିନାହିଁ। ବ୍ୟାଙ୍କିଂ ବ୍ୟବସ୍ଥା‌ରେ ପର୍ଯ୍ୟାପ୍ତ ପରିମାଣର ନଗଦ ଅର୍ଥ ରଖି ଅଭିବୃଦ୍ଧିରେ ସୁଧାର ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ମୁଦ୍ରା ନୀତି କମିଟି ବୈଠକରେ ସର୍ବସମ୍ମତି କ୍ରମେ ସୁଧ ହାର ଅପରିବର୍ତ୍ତିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଅର୍ଥନୈତିକ ଅଭିବୃଦ୍ଧିରେ ସୁଧାର ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ଗତ ମାର୍ଚ୍ଚରୁ ଇତିମଧ୍ୟରେ ରେପୋ ହାରରେ ୧.୧୫ ପ୍ରତିଶତ ହ୍ରାସ ‌କରିସାରିଛି। ସେହିଭଳି ‌ଆସନ୍ତା ଆର୍ଥିକ ବର୍ଷରେ ଦେଶର ଜିଡିପି ଅଭିବୃଦ୍ଧି ହାର ୧୦.୫ ପ୍ରତିଶତ ରହିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆକଳନ କରାଯାଇଛି।

Copyright © All rights reserved.