ଭାରତର ବିଜୟ ସମ୍ଭାବନା ଉଜ୍ଜ୍ବଳ
1 min readମେଲ୍ବର୍ନ: ଆଡିଲେଡ୍ ଟେଷ୍ଟ୍ରେ ଲଜ୍ଜାଜନକ ଦ୍ବିତୀୟ ପାଳି ପାଇଁ ପରାଜିତ ହୋଇଥିବା ଭାରତୀୟ ଦଳ ମେଲବର୍ନରେ କିନ୍ତୁ ବିଜୟ ସମ୍ଭାବନା ସୃଷ୍ଟି କରିଛି। ତିନି ଦିନ ଧରି ପ୍ରାଧାନ୍ୟ ବିସ୍ତାର କରିବା ପରେ ଅଜିଙ୍କ୍ୟ ରାହାଣେଙ୍କ ଦଳ ଡ୍ରାଇଭର୍ ସିଟ୍ରେ ବସିଛି। ଭାରତର ପ୍ରଥମ ପାଳିକୁ ୩୨୬ ରନ୍ରେ ଶେଷ କରି ଦେଇଥିଲେ ମଧ୍ୟ ଘରୋଇ ଦଳ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୩୩ ରନ୍ରେ ୬ ୱିକେଟ୍ ହରାଇ ସୁଯୋଗ ହାତଛଡ଼ା କରିଛି। ହାତରେ ୪ ୱିକେଟ୍ ଥାଇ ଅଷ୍ଟ୍ରେଲିଆ ମାତ୍ର ୨ ରନ୍ରେ ଆଗୁଆ ହୋଇଥିବାରୁ ମ୍ୟାଚ୍ ଭ୍ରମଣକାରୀ ଦଳ ନିୟନ୍ତ୍ରଣରେ ରହିଛି।
ସୋମବାର ଭାରତ ୨୭୭/୫ ଦୃଢ଼ ସ୍ଥିତିରୁ ଖେଳିଥିଲେ ମଧ୍ୟ ତୃତୀୟ ଦିନ ସକାଳେ ସେଭଳି ପ୍ରଭାବୀ ରହିନଥିଲା। ପୂର୍ବ ସଂଧ୍ୟାରେ ଶତକ ପୂର୍ଣ୍ଣ କରିଥିବା ଅଧିନାୟକ ଅଜିଙ୍କ୍ୟ ରାହାଣେ (୧୧୨, ୨୨୩ ବଲ୍) ପ୍ରଥମ ୱିକେଟ୍ ରୂପରେ ରନ୍ଆଉଟ୍ ହୋଇଯାଇଥିଲେ। ଟେଷ୍ଟ୍ କ୍ରିକେଟ୍ରେ ରାହାଣେ ପ୍ରଥମ ଥର ରନ୍ ଆଉଟ୍ ହୋଇଥିଲେ। ଅର୍ଧଶତକର ନିକଟତର ଜାଦେଜା ଏକ ଅନାବଶ୍ୟକ ଏକ ରନ୍ ନେବାକୁ ଡାକିଥିବା ବେଳେ ରାହାଣେ ଠିକଣା ସମୟରେ ପହଞ୍ଚି ପାରିନଥିଲେ। ରାହାଣେଙ୍କ ସହ ୧୨୩ ରନ୍ ଭାଗୀଦାରି ଗଢ଼ିଥିବା ଜାଦେଜା (୫୭, ୧୫୯ ବଲ୍)ଙ୍କୁ ଷ୍ଟାର୍କ ଆଉଟ୍ କରିଦେବା ପରେ ଭାରତର ବଡ଼ ଅଗ୍ରଣୀ ସମ୍ଭାବନା ମଉଳି ଯାଉଥିଲା। ରବିଚନ୍ଦ୍ରନ ଅଶ୍ବିନ (୧୪)ଙ୍କୁ ହାଜେଲଉଡ୍ ପ୍ୟାଭିଲିଅନନ୍ ପଠାଇ ଦେଇଥିଲେ। ଉମେଶ ଯାଦବ ଏବଂ ଯଶପ୍ରୀତ୍ ବୁମରାଙ୍କୁ ଲଗାତାର ଓଭରରେ ଆଉଟ୍ କରି ନାଥନ୍ ଲାୟନ୍ ଭାରତ ପାଳିକୁ ୩୨୬ ରନ୍ରେ ଶେଷ କରି ଦେଇଥିଲେ। ଏଥିସହ ଭାରତକୁ ପ୍ରଥମ ପାଳିରେ ୧୩୧ ରନ୍ ଅଗ୍ରଣୀ ମିଳିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ଓ ଲାୟନ୍ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇଥିଲେ।