ଭୁବନେଶ୍ବରଠୁ ଦିଲ୍ଲୀରେ ପେଟ୍ରୋଲ୍ ଶସ୍ତା
1 min readଭୁବନେଶ୍ବର: ପେଟ୍ରୋଲ୍ ଦାମ୍ ଗତ କିଛିଦିନ ହେଲାଣି କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାର ପ୍ରଭାବରେ ଆଜି ଭୁବନେଶ୍ବରରେ ଏକ ଲିଟର ପେଟ୍ରୋଲ୍ର ଦାମ୍ ୮୨ ଟଙ୍କା ସ୍ତର ଅତିକ୍ରମ କରିଛି। ରବିବାର ଭୁବନେଶ୍ବରର ଇଣ୍ଡିଆନ୍ ଅଏଲ୍ ପେଟ୍ରୋଲ୍ ପମ୍ପ୍ରେ ପେଟ୍ରୋଲ୍ର ଲିଟର ପିଛା ଦାମ୍ ୮୨ ଟଙ୍କା ୪ ପଇସା ରହିଥିବା ବେଳେ ଡିଜେଲ୍ ଦାମ୍ ୮୦ ଟଙ୍କା ୩ ପଇସା ରହିଛି। କେବଳ ଭୁବନେଶ୍ବର କିମ୍ବା ଓଡ଼ିଶା ନୁହେଁ ଗତ ଆଠ ଦିନ ଧରି ସାରା ଦେଶରେ ପେଟ୍ରୋଲ୍ ମହଙ୍ଗା ହେବାରେ ଲାଗିଛି। ଡିଜେଲ୍ ଦାମ୍ରେ କିନ୍ତୁ ଅପେକ୍ଷାକୃତ କମ୍ ବୃଦ୍ଧି ଘଟୁଛି। ଚଳିତ ମାସ ୧୫ରେ ଭୁବନେଶ୍ବରରେ ପେଟ୍ରୋଲ୍ ଦାମ୍ ୮୧ ଟଙ୍କା ୧୫ ପଇସା ଓ ଡିଜେଳଲ୍ ଦର ୮୦ ଟଙ୍କା ୩ ପଇସା ଥିଲା। ଡିଜେଲ୍ ମୂଲ୍ୟ ଅପରିବର୍ତି ରହିଥିବା ବେଳେ ପେଟ୍ରୋଲ୍ ଦାମ୍ କିନ୍ତୁ ପ୍ରତିଦିନ କିଛି କିଛି ପଇସା ବଢ଼ୁଛି।
ଜାତୀୟ ସ୍ତରରେ ବିଗତ ଆଠ ଦିନରେ ଦିଲ୍ଲୀରେ ପେଟ୍ରୋଲ୍ ଦାମ୍ ୧ ଟଙ୍କା ୬ ପଇସା ବଢ଼ିଛି। ରବିବାର ଦିନ ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଦାମ୍ରେ ୧୪ ପଇସା ବୃଦ୍ଧି କରିଥିଲେ। ଫଳରେ ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ୍ର ଦାମ୍ ୮୧ ଟଙ୍କା ୪୯ ପଇସାରେ ପହଞ୍ଚିିଛି ଯାହା ଭୁବନେଶ୍ବର ଦର ଠାରୁ ପ୍ରାୟ ୫୦ ପଇସା କମ୍। ଦେଶରେ ତିନି ସରକାରୀ କଂପାନି ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଅଧିକ ତେଲ ବିକ୍ରି କରୁଛନ୍ତି। ଏହି ତିନି କଂପାନିର ସାରା ଦେଶରେ ବହୁ ସଂଖ୍ୟାରେ ପେଟ୍ରୋଲ ପମ୍ପ୍ ରହିିଛି। ସେଠାରେ ପ୍ରତିଦିନ ସକାଳ ୬ଟାରେ ତେଲ ଦରରେ ପରିବର୍ତନ କରାଯାଉଛି। ତେଲ କଂପାନିଗୁଡ଼ିକ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ଏବଂ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ତେଲ ଦର ନିର୍ଧାରଣ କରୁଛନ୍ତି। ଏବେ ଦେଶରେ ତେଲ ଦରରେ ଯେଉଁ ବୃଦ୍ଧି ଦେଖାଦେଇଛି ତାହାର ପ୍ରମୁଖ କାରଣ ହେଉଛି ଅଶୋଧିତ ତେଲ ଦରରେ ବୃଦ୍ଧି, ଟଙ୍କାର ଦୁର୍ବଳ ବିନିମୟ ମୂଲ୍ୟ ଓ ସ୍ଥାନୀୟ ଟିକସ। ବର୍ତ୍ତମାନ ବ୍ରେଣ୍ଟ୍ କ୍ରୁଡ୍ର ବ୍ୟାରେଲ୍ ପିଛା ଦାମ୍ ୪୪.୩୫ ଡଲାର ରହିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୪ ଟଙ୍କା ୮୫ ପଇସା ରହିଛି।