Mon. Feb 24th, 2025

ମହଙ୍ଗା ହେଲା ସିମେଣ୍ଟ୍‌, ରଡ୍‌

1 min read
Spread the love

ନୂଆଦିଲ୍ଲୀ: ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବା ସହିତ ସେଥିରେ ବ୍ୟବହାର ହେଉଥିବା ରଡ୍ ଓ ସିମେଣ୍ଟ୍‌ ଦର ବଢ଼ିବା ଆରମ୍ଭ ହୋଇଛି। ଇସ୍ପାତ କଂପାନିଗୁଡ଼ିକ ଫ୍ଲାଟ୍‌ ଇସ୍ପାତର ଟନ୍ ପିଛା ଦରରେ ୫୦୦-୭୫୦ ଟଙ୍କାର ବୃଦ୍ଧି ଘୋଷଣା କରିଛନ୍ତି। ଲମ୍ବା ଇସ୍ପାତ ସାମଗ୍ରୀ ଦରରେ ୧୦୦୦ ଟଙ୍କା ଭଳି ବଡ଼ ଧରଣର ବୃଦ୍ଧି ହୋଇଛି। ସାତ ମାସ ପରେ ନିର୍ମାଣ କାର୍ଯ୍ୟ‌ରେ ଲାଗୁଥିବା ଇସ୍ପାତ ଦାମ୍ ବଢ଼ିଛି।

ସିମେଣ୍ଟ୍‌ ଦାମ୍‌ରେ ମଧ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି। ଦକ୍ଷିଣ ଭାରତର କିଛି ଅଞ୍ଚଳକୁ ବାଦ୍‌ ଦେଲେ ଅନ୍ୟ ସବୁ ଆଡ଼େ ସିମେଣ୍ଟ୍‌ ଦାମ୍ ବଢ଼ିଛି। ମୌସୁମୀ ଫେରିଯିବା ପରେ ସିମେଣ୍ଟ୍‌ ଦାମ୍‌ରେ ବୃଦ୍ଧି ଆରମ୍ଭ ହୋଇଥିଲା ଯାହା ଉତ୍ସବ ଋତୁ ପରେ ଆଉ କିଛି ଟଙ୍କା ଅଧିକ ହୋଇଯାଇଛି। ଗୁଜରାଟ, ପଞ୍ଜାବ, ହରିୟାନା, ଉତ୍ତର ପ୍ରଦେଶ ଓ ପୂର୍ବ ଭାରତର କେତେକ ରାଜ୍ୟରେ ସିମେଣ୍ଟ୍‌ ଦାମ୍‌ ବଢ଼ିଛି। ଦକ୍ଷିଣ ଭାରତରେ ଯଦିଓ ଅନେକ ଅଞ୍ଚଳରେ ସିମେଣ୍ଟ୍‌ ଦାମ୍‌ କମିଛି, ମାତ୍ର ଚେନ୍ନାଇ, ବାଙ୍ଗାଲୋର ଓ କୋଚି ଭଳି ସହରରେ ଏହାର ଦାମ୍ ବଢ଼ିଛି। ଦକ୍ଷିଣ ଭାରତ ତୁଳନାରେ ଉତ୍ତର, ପୂର୍ବ ଏବଂ ପଶ୍ଚିମ ଭାରତରେ ଅଧିକ ସିମେଣ୍ଟ୍‌ ବିକ୍ରି ହେଉଛି। ଉତ୍ତର ଭାରତରେ ସିମେଣ୍ଟ୍‌ ଦାମ୍‌ ବସ୍ତା ପିଛା ୫ ଟଙ୍କା ବୃଦ୍ଧି ପାଇ ୩୨୫-୩୩୫ ଟଙ୍କା ସ୍ତରରେ ପହଞ୍ଚିଛି। ଘର ନିର୍ମାଣ କରିବା ଲାଗି ଲୋକମାନେ ଅଧିକ ସିମେଣ୍ଟ୍‌ କିଣୁଛନ୍ତି। ସରକାରୀ ସ୍ତରରେ ସିମେଣ୍ଟ୍‌ କିଣାକିଣିରେ ଏବେବି ମାନ୍ଦାବସ୍ଥା ରହିଛି। ହାଉସିଂ ଓ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ପରିମାଣ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ସିମେଣ୍ଟ୍‌ ଚାହିଦା ବଢ଼ିଚାଲିବ ବୋଲି ଏମ୍‌ପି ବିର୍ଲା ସିମେଣ୍ଟ୍‌ର ସିଇଓ ସନ୍ଦୀପ ଘୋଷ କହିଛନ୍ତି। ଆସନ୍ତା ମାସରେ ସିମେଣ୍ଟ୍‌ର ବସ୍ତା ପିଛା ଦର ଆଉ ୧୦-୨୦ ଟଙ୍କା ବଢ଼ିବ ବୋଲି କୁହାଯାଉଛି। ଟାଟା ଷ୍ଟିଲ୍‌ର ସିଇଓ ଟିଭି ନରେନ୍ଦ୍ରନ କହିଛନ୍ତି, ଅକ୍ଟୋବର ମଧ୍ୟ ଭାଗ ପରେ ସ୍କ୍ରାପ୍ ଦାମ୍ ବଢ଼ିବା ଆରମ୍ଭ ହୋଇଥିଲା। ତାହାର ପ୍ରଭାବରେ ରିବାର୍‌ ଏବଂ ସ୍ପଞ୍ଜ୍‌ ଆଇରନ୍‌ ଦାମ୍ ବଢ଼ିଛି। ଜେଏସ୍‌ଡବ୍ଲୁ ଷ୍ଟିଲ୍‌ର ନିର୍ଦେଶକ (ବାଣିଜ୍ୟ ଓ ବିତରଣ) ଜୟନ୍ତ ଆଚାର୍ଯ୍ୟ କହିଛନ୍ତି, ଇସ୍ପାତ ଦାମ୍ ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା। ଆନ୍ତର୍ଜାତିକ ବଜାରରେ ଏବେ ଇସ୍ପାତ ଦାମ୍‌ରେ ଟନ୍ ପିଛା ୨୫-୩୦ ଡଲାରର ବୃଦ୍ଧି ଦେଖାଦେଇଛି।

Copyright © All rights reserved.