Mon. Feb 24th, 2025

ମାସ ଶେଷ ସୁଦ୍ଧା ଇପିଏଫ୍ ସୁଧ ଜମା ହେବ

1 min read
Spread the love

ନୂଆଦିଲ୍ଲୀ : ଚଳିତ ମାସରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏହାର ୬ କୋଟିରୁ ଅଧିକ ସଦସ୍ୟଙ୍କୁ ନୂଆବର୍ଷ ଉପହାର ଦେଇପାରେ। ସଦସ୍ୟମାନଙ୍କ ଖାତାରେ ୨୦୧୯-୨୦ ଆର୍ଥିକ ବର୍ଷ ବାବଦ ୮.୫ ପ୍ରତିଶତ ସୁଧ ଟଙ୍କା ଜମା କରାଯିବାର ଅନେକ ସମ୍ଭାବନା ରହିଛି। ଏଥରର ସୁଧକୁ ଦୁଇଟି କିସ୍ତିରେ ଭାଗ କରିବା ଲାଗି ନିଷ୍ପତ୍ତି ହୋଇଥିଲା। ଗତ ସେପ୍ଟେମ୍ବରରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ପ୍ରଥମ କିସ୍ତିରେ ୮.୧୫% ଓ ଦ୍ବିତୀୟ କିସ୍ତିରେ ୦.୩୫% ସୁଧ ଜମା କରାଯିବାର ଥିଲା। ମାତ୍ର ଷ୍ଟକ ବଜାର ସ୍ଥିତିରେ ଉନ୍ନତି ଘଟିଥିବାରୁ ୮.୫% ସୁଧକୁ ଗୋଟିଏ ଥରରେ ସଦସ୍ୟଙ୍କ ଖାତାରେ ଜମା କରାଯାଇପାରେ ବୋଲି ଚର୍ଚା ହେଉଛି। ଏହି କାର୍ଯ୍ୟ ଚଳିତ ମାସ ଶେଷ ସୁଦ୍ଧା ହୋଇଯିବାର ଅନେକ ସମ୍ଭାବନା ରହିଛି।

ଗତ ଆର୍ଥିକ ବର୍ଷର ସୁଧ ହାର ଉପରେ ଅର୍ଥ ମନ୍ତ୍ରଣାଳୟ କେତେକ ସ୍ପଷ୍ଟୀକରଣ ମାଗିଥିଲା ଓ ସେହି ପ୍ରସଙ୍ଗର ସମାଧାନ ହୋଇସାରିଛି। ଚଳିତ ବର୍ଷ ମାର୍ଚ୍ଚରେ ଶ୍ରୀ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଇପିଏଫ୍‌ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ୨୦୧୯-୨୦ ପାଇଁ ୮.୫% ସୁଧ ଦେବା ପ୍ରସ୍ତାବକୁ ମଞ୍ଜୁରି ମିଳିଥିଲା। ତେବେ ମହାମାରୀର ପ୍ରଭାବକୁ ଦୃଷ୍ଟିରେ ରଖି ସୁଧ ଟଙ୍କା କିସ୍ତିରେ ଦେବା ଲାଗି ଗତ ସେପ୍ଟେମ୍ବରରେ ନିଷ୍ପତ୍ତି ହୋଇଥିଲା। ଏବେ ଷ୍ଟକ ବଜାର ସ୍ଥିତି ସ୍ବାଭାବିକ ରହିଥିବାରୁ ଗୋଟିଏ ଥରରେ ବର୍ଷର ସବୁ ସୁଧ ଜମା କରିବା ଇପିଏଫ୍‌ଓ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି କୁହାଯାଉଛି।

Copyright © All rights reserved.