ମୁକେଶଙ୍କ ପ୍ରତି ଘଣ୍ଟାରେ ଆୟ ୯୦ କୋଟି
1 min read
ମୁମ୍ବାଇ: ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି ଲକ୍ଡାଉନ୍ ଘୋଷଣା ହେବା ପରେ ବିପୁଳ ପରିମାଣର ସମ୍ପତ୍ତି ହାସଲ କରିଛନ୍ତି। ପ୍ରତି ଘଣ୍ଟାରେ ସେ ୯୦ କୋଟି ଟଙ୍କାର ଆୟ କରିଥିବା ଜଣାପଡ଼ିଛି। କ୍ରମାଗତ ନବମ ବର୍ଷ ପାଇଁ ଭାରତର ଏକ ନମ୍ବର ଧନୀ ବ୍ୟକ୍ତିର ମାନ୍ୟତା ବଜାୟ ରଖିଥିବା ମୁକେଶଙ୍କ ସମ୍ପତ୍ତି ମୂଲ୍ୟ ୨,୭୭,୦୦୦ କୋଟି ଟଙ୍କା ବୃଦ୍ଧି ପାଇ ୬,୫୮,୦୦୦ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଆଇଆଇଏଫ୍ଏଲ୍ ୱେଲଥ୍ ହୁରୁନ୍ ଇଣ୍ଡିଆ ଧନୀ ତାଲିକା ୨୦୨୦ରୁ ଜଣାପଡ଼ିଛି।ଚଳିତ ବର୍ଷ ମାର୍ଚ୍ଚ ୨୫ରେ ଲକ୍ଡାଉନ୍ ଘୋଷଣା ହେବା ପରଠାରୁ ମୁକେଶଙ୍କ ଡିଜିଟାଲ୍ କଂପାନି ଜିଓ ପ୍ଲାଟଫର୍ମସ୍ରେ ଫେସବୁକ୍, ଗୁଗୁଲ୍, ଇଣ୍ଟେଲ୍ ଭଳି ବିଶ୍ବସ୍ତରୀୟ ନିବେଶକମାନେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି।
ରାଇଟସ୍ ଇସ୍ୟୁ କରି କଂପାନି ପ୍ରାୟ ୫୫ ହଜାର କୋଟି ଟଙ୍କା ହାସଲ କରିଛି। ଏବେ ନିଜର ରିଟେଲ୍ ସଂସ୍ଥା ରିଲାଏନ୍ସ ରିଟେଲ୍ର ଅଂଶଧନ ବିକ୍ରି କରି ପୁଞ୍ଜିଯୋଗାଡ଼ କରିବାରେ ସେ ଲାଗିଛନ୍ତି। ଦୁଇଟି ବିଶ୍ବସ୍ତରୀୟ ନିବେଶ ସିଲ୍ଭର୍ ଲେକ୍ ଓ କେକେଆର୍ ପକ୍ଷରୁ ରିଲାଏନ୍ସ ରିଟେଲ୍ରେ ପ୍ରାୟ ୧୩ ହଜାର କୋଟି ଟଙ୍କା ନିବେଶ କରାଯାଇଛି। ଚଳିତ ବର୍ଷର ହୁରୁନ୍ ଧନୀ ତାଲିକା ୨୦୨୦ରେ ୧୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ରଖିଥିବା ୮୨୮ ଜଣ ବ୍ୟକ୍ତିଙ୍କ ନାମ ରହିଛି। ଗତ ପାଞ୍ଚ ବର୍ଷ ଭିତରେ ଏଭଳି ବ୍ୟକ୍ତିଙ୍କ ସଂଖ୍ୟା ତିନି ଗୁଣ ବଢ଼ିଛି। ବିଲିୟନ ଡଲାରରୁ ଅଧିକ ମୂଲ୍ରର ସମ୍ପତ୍ତି ରଖିଥିବା ଲୋକଙ୍କ ସଂଖ୍ୟା ୧୭୯ ରହିଛି। ୨୦୧୩ ପରଠାରୁ ଏଭଳି ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ତିନି ଗୁଣ ବଢ଼ିଛି। ୨୦୨୦ ଧନୀ ତାଲିକାରେ ସ୍ଥାନ ପାଇଥିବା ୮୨୮ ଜଣଙ୍କ ମଧ୍ୟରୁ ୬୨୭ ଜଣଙ୍କ ସମ୍ପତ୍ତି ବଢ଼ିଥିବା ବେଳେ ୨୨୯ ଜଣ ସମ୍ପତ୍ତି ହରାଇଛନ୍ତି। ୭୫ ଜଣ ତାଲିକାରୁ ବିଦାୟ ନେଇଛନ୍ତି। ଛଅ ଜଣ ରୢାଙ୍କ୍ଧାରୀଙ୍କ ମୃତ୍ୟୁ ହୋଇଛି। ନୂତନ ଭାବେ ୧୬୨ ଜଣ ତାଲିକାରେ ପ୍ରବେଶ କରିଛନ୍ତି। ପ୍ରାୟ ୩୨,୪୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ସ୍ମିତା ଭି କ୍ରିଷ୍ଣା ହେଉଛନ୍ତି ଭାରତର ସବୁଠ ଧନୀ ମହିଳା।