Mon. Feb 24th, 2025

ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ମିଳିବ ୨୦ ହଜାର କୋଟି

1 min read
Spread the love

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଆସନ୍ତା ଅକ୍ଟୋବର-ଡିସେମ୍ବର ତ୍ରୟମାସରେ ୨୦ ହଜାର କୋଟି ଟଙ୍କାର ପାଣ୍ଠି ସରକାର ଯୋଗାଇ ପାରନ୍ତି। ନିକଟରେ ସଂସଦରେ ୨.୩୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଦାବି ଗୃହୀତ ହୋଇଛି। ଏଥିରେ ‌ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୨୦ ହଜାର କୋଟି ଟଙ୍କାର ପାଣ୍ଠି ଦେବାର ବ୍ୟୟବରାଦ ହୋଇଛି। ରିଜର୍ଭ ବ୍ୟାଙ୍କର ପୁଞ୍ଜି ଆବଶ୍ୟକତା ପୂରଣ ପାଇଁ ବ୍ୟାଙ୍କଗୁଡ଼ିକୁ ଏହି ପାଣ୍ଠି ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ଆର୍ଥିକ ଫଳାଫଳ ଆସିବା ପରେ କେଉଁ ସରକାରୀ ବ୍ୟାଙ୍କକୁ କେତେ ପାଣ୍ଠି ଦେବାକୁ ହେବ ସେ ନେଇ ଏକ ଚିତ୍ର ସାମ୍ନାକୁ ଆସିବ। ଏହି ଆଧାରରେ ବ୍ୟାଙ୍କଗୁଡ଼ିକୁ ପାଣ୍ଠି ଯୋଗାଇ ଦିଆିଯବ।

ଉଲ୍ଲେଖଯୋଗ୍ୟ, ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍‌ରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ପାଣ୍ଠି ପ୍ରଦାନ ନେଇ କୌଣସି ବ୍ୟବସ୍ଥା ହୋଇ ନଥିଲା। ବ୍ୟାଙ୍କଗୁଡ଼ିକ ସେମାନଙ୍କ ଆବଶ୍ୟକତା ଅନୁସାରେ ବଜାରକୁ ପାଣ୍ଠି ସଂଗ୍ରହ କରିବେ ବୋଲି ସରକାର ଆଶା ରଖିଥିଲେ। ତେବେ ୨୦୧୯-୨୦ ଆର୍ଥିକ ବର୍ଷରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ପାଇଁ ୭୦ ହଜାର କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରିଥିଲେ। ଏଥିରୁ ପିଏନ୍‌ବିକୁ ୧୬୦୯୧ କୋଟି, ୟୁନିୟନ ବ୍ୟାଙ୍କକୁ ୧୧,୭୬୮ କୋଟି, କାନାରା ବ୍ୟାଙ୍କକୁ ୬୫୭୧ କୋଟି, ଇଣ୍ଡିଆନ ବ୍ୟାଙ୍କକୁ ୨୫୩୪ କୋଟି, ଆହ୍ଲାବାଦ ବ୍ୟାଙ୍କକୁ ୨୧୫୩ କୋଟି, ୟୁନାଇଟେଡ ବ୍ୟାଙ୍କକୁ ୧୬୬୬ କୋଟି, ଆନ୍ଧ୍ରା ବ୍ୟାଙ୍କକୁ ୨୦୦ କୋଟି ଟଙ୍କା ଯୋଗାଇ ଦେଇଥିଲେ। ଏହାବ୍ୟତୀତ ବ୍ୟାଙ୍କ ଅଫ୍ ବରୋଦାକୁ ୭ ହଜାର କୋଟି, ଆଇଓବିକୁ ୪୩୬୦ କୋଟି, ୟୁକୋ ବ୍ୟାଙ୍କକୁ ୨୧୪୨ କୋଟି, ପଞ୍ଜାବ ଆଣ୍ଡ୍ ସିନ୍ଦ୍‌ ବ୍ୟାଙ୍କକୁ ୭୮୭ କୋଟି, ସେଣ୍ଟ୍ରାଲ ବ୍ୟାଙ୍କକୁ ୩୩୫୩ କୋଟି ଏବଂ ଆଇଡିବିଆଇ ବ୍ୟାଙ୍କକୁ ୪୫୫୭ କୋଟି ଟଙ୍କା ଦିଆଯାଇଥିଲା।

Copyright © All rights reserved.