ସପ୍ତମ ପରାଜୟ ସହ ବିଦାୟ ଦ୍ବାରରେ ଚେନ୍ନାଇ, ସ୍ପିନର ଓ ବଟଲର ରୟାଲ୍ସକୁ ଜିତାଇଲେ
1 min read![](https://www.dailyodiasamachar.com/odia/wp-content/uploads/2020/10/index1234-5.jpg)
ଆବୁ ଧାବି: ୩ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସର ୨୦୨୦ ଆଇପିଏଲ୍ ଅଭିଯାନ ବିନା ପ୍ଲେ ଅଫ୍ରେ ଶେଷ ହେବା ଆଶଙ୍କା ସୃଷ୍ଟି ହୋଇଛି। ଚମକହୀନ ବ୍ୟାଟିଂ କରିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ସୋମବାର ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ନିକଟରୁ ୭ ୱିକେଟରେ ଶୋଚନୀୟ ଭାବେ ପରାଜୟ ବରଣ କରିଛି। ସପ୍ତମ ପରାଜୟ ସହ ଏହି ସଫଳତମ ଦଳ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ନ ଖେଳି ବିଦାୟ ନେବାର ଦ୍ବାର ଦେଶରେ ପହଞ୍ଚିଯାଇଛି। ସୋମବାର ଧୋନିଙ୍କ ଦଳ ମାତ୍ର ୧୨୫/୫ରେ ସୀମିତ ରହିଥିଲା। ଜବାବରେ ରାଜସ୍ଥାନ ରୟାଲ୍ସ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ଇଂଲିସ୍ ବ୍ୟାଟସମ୍ୟାନ୍ ଜୋସ୍ ବଟ୍ଟଲର୍ (୭୦*, ୪୮ ବଲ୍) ମ୍ୟାଚ୍କୁ ଏକତରଫା କରି ଦେଇଥିଲେ। ରାଜସ୍ଥାନ ରୟାଲ୍ସ ଲଗାତାର ବିଜୟ ସହିତ ୧୦ ମ୍ୟାଚ୍ରୁ ୮ ପଏଣ୍ଟ୍ ସହ ପ୍ଲେ ଅଫ୍ ସମ୍ଭାବନାକୁ ଉଜ୍ଜୀବିତ କରିଛି।
୧୨୬ ରନ୍ ବିଜୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ରୟାଲ୍ସ ବି ସମାନ ଢ଼ଙ୍ଗରେ ପ୍ରାରମ୍ଭିକ ସଙ୍କଟରେ ପଡ଼ିଥିଲା। ମାତ୍ର ୧୦ ବଲ୍ ଓ ୨ ରନ୍ ଭିତରେ ୩ ୱିକେଟ୍ (ବେନ୍ ଷ୍ଟୋକ୍ସ, ରବିନ୍ ଉଥପ୍ପା, ସଞ୍ଜୁ ସାମସନ୍) ହରାଇ ୨୮/୩ ସ୍କୋର୍ ସହ ଚାପରେ ପଡ଼ିଥିଲା। ଏହି ସମୟରେ କିନ୍ତୁ ଦୁଇ ବିଦେଶୀ ଖେଳାଳି ଜୋସ୍ ବଟ୍ଟଲର୍ ଏବଂ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ପାଳି ସଜାଡ଼ିବା ସହିତ ମ୍ୟାଚ୍ ବାହାର କରି ନେଇଥିଲେ। ସ୍ମିଥ୍ ପାଳି ନିର୍ମାଣରେ ଲାଗି ରହିଥିବା ବେଳେ ବଟ୍ଟଲର୍ ବିସ୍ଫୋରକ ବ୍ୟାଟିଂ କରି ମ୍ୟାଚ୍କୁ ଅଢ଼େଇ ଓଭର ପୂର୍ବରୁ ଶେଷ କରି ଦେଇଥିଲେ। ବଟ୍ଟଲର୍ ୪୮ ବଲରୁ ୭୦* (୭ ଚୌକା, ୨ ଛକା) ଏବଂ ସ୍ମିଥ୍ ୩୪ ବଲରୁ ୨୬* ରନ୍ କରି ଅପରାଜିତ ରହିଥିଲେ। ବଟ୍ଟଲର୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ।