ସାଇକେଲରେ ବୁଲୁଛନ୍ତି ବିଡିଓ : ଅଭିଯୋଗ ଶୁଣୁଛନ୍ତି, ସମାଧାନ କରୁଛନ୍ତି
1 min readକଟକ : ସାଇକେଲରେ ଗାଁ ବୁଲୁଛନ୍ତି ବିଡିଓ। ଲୋକଙ୍କ ସମସ୍ୟା ଶୁଣିବା ସହିତ ତାହାର ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି। କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ବିଡିଓ ପ୍ରଦୀପ କୁମାର ସାହୁଙ୍କ ଏଭଳି ସାଇକେଲ ଯାତ୍ରା ଏବେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଦୁଇ ମାସ ହେଲା ସେ ଏଭଳି ଅଭିଯାନ ଜାରି ରଖିବା ସହିତ ସାଇକେଲରେ ୧୫ରୁ ଅଧିକ ଗାଁ ବୁଲି ସମସ୍ୟା ଶୁଣିଲେଣି।
ଗୋଟିଏ ଘଟଣାକୁ ନେଇ ବିଡିଓ ଶ୍ରୀ ସାହୁ ଏଭଳି ଅଭିଯାନ ଆରମ୍ଭ କରିଥିବା କହିଛନ୍ତି। କାନପୁର ଗାଁର ଦୁଇ ଝିଅ ଅଭିଯୋଗ ନେଇ ତାଙ୍କ ପାଖରେ ପହଞ୍ଚିଥିଲେ। ସେମାନଙ୍କ ବାପା କିଡ୍ନି ରୋଗରେ ଆକ୍ରାନ୍ତ ହୋଇ ଶେଷ ଶଯ୍ୟାରେ। ମା’ ବି ରୋଗରେ। ସେମାନଙ୍କୁ ସରକାରୀ ସହାୟତା ମିଳୁ ବୋଲି ସେମାନେ ଅନୁରୋଧ କରିଥିଲେ। ବିଡିଓ ଯାହା ସାହାଯ୍ୟ କରିବା କଥା କରିଥିଲେ। କିନ୍ତୁ ଦଶଦିନ ପରେ ଶୁଣିଲେ ଯେ ସେହି ଦୁଇ ଝିଅଙ୍କ ବାପା ଆଉନାହାନ୍ତି। ଏଭଳି ଘଟଣା ଶୁଣିବା ପରେ ବିଡିଓ ସେହି ପରିବାର ପାଖରେ ପହଞ୍ଚିଥିଲେ। କିନ୍ତୁ ସେଠି ପହଞ୍ଚିବା ପରେ ତଳସ୍ତରରେ ରହିଥିବା ଅନେକ ଅବ୍ୟବସ୍ଥା ତାଙ୍କ ନଜରକୁ ଆସିଥିଲା। ଆବାସ ଯୋଜନା, ହରିଶ୍ଚନ୍ଦ୍ର ଯୋଜନା… ସବୁଥିରେ ସାଧାରଣ ଲୋକ ସାମନା କରୁଥିବା ସମସ୍ୟାକୁ ସେ ଜାଣିବା ପରେ ସାଇକେଲରେ ଲୋକଙ୍କ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ବାସ୍ତବ ସମସ୍ୟା ଉପଲବ୍ଧି କରି ତାହାର ସମାଧାନ ପାଇଁ ପଦକ୍ଷେପ ନେବା ସହଜ ହେଉଛି ବୋଲି ବିଡିଓ କହିଛନ୍ତି।